ଛତ୍ରପୁର: ତିନି ଦଶନ୍ଧି ମଧ୍ୟରେ ବିରଳ ସାମୁଦ୍ରିକ କଇଁଛ ଅଲିଭ ରିଡ୍ଲେ ସର୍ବାଧିକ ଗଣଅଣ୍ଡାଦାନ କରିଛନ୍ତି। ମାତ୍ର ୬ ଦିନରେ ୪ ଲକ୍ଷ ୯୨ ହଜାର ୨୭୫ ଅଣ୍ଡାଦାନ ରେକର୍ଡ କରାଯାଇଛି ଯାହା ଗତ ୨୮ ବର୍ଷ ମଧ୍ୟରେ ସର୍ବାଧିକ। ତେବେ ନିକଟ ଅତୀତ ଅର୍ଥାତ୍ ୨୦୧୮ ମସିହାରେ ହୋଇଥିବା ରେକର୍ଡସଂଖ୍ୟକ ୪ ଲକ୍ଷ ୮୨ ହଜାର ସାମୂହିକ ଅଣ୍ଡାଦାନର ରେକର୍ଡ ଭଗ୍ନ ହୋଇଛି। ତଥାପି ଗଣଅଣ୍ଡାଦାନ ଏତିକିରେ ଥମିନାହିଁ। ଏଣୁ ଏଥର ନୂଆ ରେକର୍ଡ ସଂଖ୍ୟକ ସାମୂହିକ ଅଣ୍ଡାଦାନ ହେବାର ଆଶା କରାଯାଉଛି।
ଗତ ୨୬ ତାରିଖ ରାତିରେ ଅନୁକୂଳ ପାଣିପାଗ ସହ ଦକ୍ଷିଣା ପବନ ପ୍ରବାହ ହେତୁ ବିରଳ ସାମୁଦ୍ରିକ କଇଁଛମାନେ ଗଣଅଣ୍ଡାଦାନ ଆରମ୍ଭ କରିଥିଲେ। ପ୍ରଥମ ରାତିରେ ୪୦,୫୩୩ ଅଣ୍ଡାଦାନ ହୋଇଥିଲା। ଦ୍ୱିତୀୟ ରାତିରେ ହୋଇଥିଲା ୧, ୧୪, ୩୦୫ ସାମୂହିକ ଅଣ୍ଡାଦାନ ଯାହା ଥିଲା ଯେକୌଣସି ଗୋଟିଏ ରାତିରେ ରେକର୍ଡ ସଂଖ୍ୟକ ସବୁଠାରୁ ଅଧିକ ମାସ୍ ନେଷ୍ଟିଂ। ତୃତୀୟ ରାତିରେ ୮୭ ହଜାର ୩୦୦, ଚତୁର୍ଥ ରାତିରେ ୮୫ ହଜାର ୭୪୭, ପଞ୍ଚମ ରାତିରେ ୯୪ ହଜାର ୮୬୩ ଏବଂ ଷଷ୍ଠ ରାତିରେ ୬୭ ହଜାର ୯୭୪ ଅଣ୍ଡାଦାନ ହୋଇଥିଲା। ଏଥିସହ ମୋଟ ୪ ଲକ୍ଷ ୯୨ ହଜାର ୨୭୫ ଅଣ୍ଡାଦାନ ହୋଇ ଗତ ୧୧ ବର୍ଷ ମଧ୍ୟରେ ସର୍ବାଧିକ ମାସ୍ ନେଷ୍ଟିଂ ନୂଆ ରେକର୍ଡ ହୋଇଥିବା ବନବିଭାଗ ସୂତ୍ରରୁ ପ୍ରକାଶ। ଚଳିତ ବର୍ଷ ଅଲିଭ୍ ରିଡ୍ଲେ କଇଁଛଙ୍କ ଅଣ୍ଡାଦାନରେ ବିଳମ୍ବ ଘଟିଥିଲେ ମଧ୍ୟ ଗଣ ଅଣ୍ଡାଦାନ ପରିବେଶବିତ୍, ଜୀବପ୍ରେମୀଙ୍କ ମଧ୍ୟରେ ନୂଆ ଉତ୍ସାହ ସୃଷ୍ଟି କରିଛି।
ଅଗସ୍ତି ନୂଆଗାଁରୁ ପୋଡ଼ମପେଟା ପାଞ୍ଚ କିଲୋମିଟର ପର୍ଯ୍ୟନ୍ତ ବିସ୍ତୀର୍ଣ୍ଣ ଆଇଲ୍ୟାଣ୍ଡ ରହିଛି। ସେହିପରି ପୋଡ଼ମପେଟାରୁ ସିଦ୍ଧାର୍ଥ ନଗର ପର୍ଯ୍ୟନ୍ତ ୩ କିଲୋମିଟର ବେଳାଭୂମିରେ ଗଣଅଣ୍ଡାଦାନ ପାଇଁ ଅନୁକୂଳ ପରିବେଶ ସୃଷ୍ଟି ହୋଇଛି। ଗଞ୍ଜାମ ଜିଲ୍ଲା ଗଞ୍ଜାମ ବ୍ଲକ୍ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତ ପୁରୁଣାବନ୍ଧ ନିକଟ ଋଷିକୁଲ୍ୟା ନଦୀ ମୁହାଣ ଏହି ବିରଳ ସାମୁଦ୍ରିକ କଇଁଛଙ୍କ ଏନ୍ତୁଡ଼ିଶାଳ ରୂପେ ପ୍ରସିଦ୍ଧି ଲାଭ କରିଛି। ପୂର୍ବରୁ ଗୋଖରକୁଦା ଠାରୁ ବଟେଶ୍ୱର ନିକଟ ପୋଡ଼ମପେଟା ମଧ୍ୟରେ ଅଲିଭ୍ ରିଡ୍ଲେ ଗଣ ଅଣ୍ଡାଦାନ କରି ଆସୁଥିଲେ। ଚଳିତ ଥର ନଦୀ ପୋଡ଼ମପେଟା ପର୍ଯ୍ୟନ୍ତ ଲମ୍ବି ନୂଆ ମୁହାଣ ସୃଷ୍ଟି ହୋଇଛି। ଆଗରୁ ମୁହାଣର ଉତ୍ତର ଦିଗରେ କଇଁଛ ଗଣଅଣ୍ଡାଦାନ କରୁଥିଲେ । ଏବେ ନୂଆ ମୁହାଣ ନିକଟରେ ଅଲିଭ ରିଡ୍ଲେଙ୍କ ସାମୂହିକ ଅଣ୍ଡାଦାନ ଜାରି ରହିଛି।
ଉଲ୍ଲେଖଯୋଗ୍ୟ ଯେ ଚଳିତ ଦଶନ୍ଧିରେ ୨୦୧୫- ୧୬, ୨୦୧୮- ୧୯ ଓ ୨୦୨୦- ୨୧ରେ ସାମୂହିକ ଅଣ୍ଡାଦାନ ହୋଇ ନଥିଲା। ତେବେ ୨୦୧୧– ୧୨ରେ ୧.୦୧ ଲକ୍ଷ, ୨୦୧୨- ୧୩ରେ ୨.୮୬ ଲକ୍ଷ, ୨୦୧୩ – ୧୪ରେ ୫୯ ହଜାର, ୨୦୧୪ – ୧୫ରେ ୩.୦୯ ଲକ୍ଷ, ୨୦୧୬ – ୧୭ରେ ୩.୭୦ ଲକ୍ଷ, ୨୦୧୯ – ୨୦ରେ ୩.୨୩ ଲକ୍ଷ ଅଣ୍ଡାଦାନ ହୋଇଥିଲା । ବ୍ରହ୍ମପୁର ଡିଏଫଓ ଅମ୍ଳାନ୍ ନାୟକ କହିଛନ୍ତି ଯେ- କାଉ, କୁକୁର ଓ ଅନ୍ୟ ଜୀବଜନ୍ତୁଙ୍କ ଠାରୁ କଇଁଛ ଅଣ୍ଡାଗୁଡ଼ିକୁ ସୁରକ୍ଷିତ ରଖିବା ପାଇଁ ବନ ବିଭାଗ ଦ୍ୱାରା ପାଟ୍ରୋଲିଂ, ସମୁଦ୍ରକୂଳେ ସୁରକ୍ଷା ଶିବିର, ତାର ଜାଲି ବିଛାଯାଇଛି। ବନବିଭାଗ ସ୍ଵେଚ୍ଛାସେବୀ, ସ୍ଥାନୀୟ ଗ୍ରାମବାସୀ ଓ ବନ ସୁରକ୍ଷା ସମିତି କର୍ମକର୍ତ୍ତାଙ୍କ ସହଯୋଗରେ ଅଣ୍ଡାଗୁଡ଼ିକୁ ବାଲି ଭିତରେ ପୋତି ରଖିବାରେ ଲାଗିଛି। ଅଣ୍ଡାଦାନର ୫୦ ଦିନ ବ୍ୟବଧାନରେ ଅଣ୍ଡା ଫୁଟି ଶାବକ ବାହାରି ସମୁଦ୍ରମୁହାଁ ହେବେ। ଆଉ ସମୁଦ୍ର ମଧ୍ୟରେ ଏହି ନୂଆ ଅତିଥି ଶାବକମାନେ ନିଜ ପ୍ରଜାତିର ବଂଶବିସ୍ତାର କରିବାରେ ସଫଳ ହେବେ। ଏଥିସହ ବିରଳ ସାମୁଦ୍ରିକ କଇଁଛଙ୍କ ଗତିବିଧି ଅନୁଧ୍ୟାନ ପାଇଁ ବନ ବିଭାଗ ସହଯୋଗରେ ଜୁଲୋଜିକାଲ ସର୍ଭେ ଅଫ୍ ଇଣ୍ଡିଆ ଦ୍ଵାରା ଅଲିଭ୍ ରିଡ୍ଲେଙ୍କ ଶରୀରରେ ଫ୍ରଣ୍ଟ୍ ଫ୍ଲିପର୍ସ ରିଙ୍ଗ୍ ଲଗାଯାଉଛି। ଏହାଦ୍ୱାରା ସମୁଦ୍ର ମଧ୍ୟରେ ଅଲିଭ୍ ରିଡ୍ଲେଙ୍କ ଗତିବିଧି ବାବଦରେ ଅନେକ ତଥ୍ୟ ସଂଗ୍ରହ କରାଯାଇ ଗବେଷଣା ହୋଇପାରୁଛି।
Comments are closed.