ମୁଖ୍ୟମନ୍ତ୍ରୀଙ୍କ ବନ୍ୟା ପ୍ୟାକେଜ : ମତ୍ସ୍ୟ ଚାଷୀ ଓ ବୁଣାକାରଙ୍କ ପାଇଁ ବି ରହିଛି ସହାୟତା

ଭୁବନେଶ୍ୱର- ମୁଖ୍ୟମନ୍ତ୍ରୀଙ୍କ ବନ୍ୟା ପ୍ୟାକେଜ ଅନ୍ତର୍ଗତ ୧ ଲକ୍ଷ ଚାଷୀଙ୍କୁ ସିଡ୍ ଟ୍ରିଟମେଂଟ୍ କାର୍ଯ୍ୟକ୍ରମ ଅନୁସାରେ ପ୍ରଶିକ୍ଷଣ ଦିଆଯିବ । ସିଡ୍ ଟ୍ରିଟମେଂଟ୍ କେମିକାଲ ମାଗଣାରେ ଯୋଗାଇ ଦିଆଯିବ । ବନ୍ୟା ପ୍ରଭାବିତ ଜିଲ୍ଲାଗୁଡିକରେ ଫାର୍ମ ମେକାନାଇଜେସନ ସବ୍‌ସିଡି ପାଇଁ ୧୦ କୋଟି ଟଙ୍କା ବଂଟନ କରାଯିବ । ଶସ୍ୟ ବୀମା ଯୋଜନା ଅନୁସାରେ କ୍ଷତିଗ୍ରସ୍ତ ଚାଷୀଙ୍କୁ ଆବଶ୍ୟକୀୟ ସହାୟତା ଯୋଗାଇ ଦିଆଯିବ ।

୧ ଲକ୍ଷ ଚାଷୀଙ୍କୁ ପନିପରିବା କିଟ୍ ଯୋଗାଇ ଦିଆଯିବ । କିଟରେ ପାଳଙ୍ଗ, ବିନ୍ସ, ଟମାଟୋ, ଝୁଡୁଙ୍ଗ, ଲଙ୍କା ଓ ମୂଳା ମଂଜି ରହିବ । ପ୍ରତି କିଟ୍ ୧୩୦ ଟଙ୍କାରେ ମିଳିବ । ୧୦ ହଜାର ଛତୁଚାଷୀଙ୍କୁ ୫ଶହ ଟଙ୍କାରେ ଘର ମରାମତି ପାଇଁ ସହାୟତା ରାଶି ମିଳିବ । ମୁଖ୍ୟମନ୍ତ୍ରୀଙ୍କ ବନ୍ୟା ପ୍ୟାରେଜରେ ଆମ୍ବ, କାଜୁ, ନଡିଆ ଓ ପାନକୁ ବାରମାସୀ ଫସଲର ଅନ୍ତର୍ଭୁକ୍ତ କରାଯାଇଛି । ପ୍ରକୃତ ଚାଷୀଙ୍କୁ ହିଁ ବନ୍ୟା ସହାୟତା ମିଳିବ ବୋଲି ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ୩୩ ପ୍ରତିଶତ ଫସଲ କ୍ଷତି ହୋଇଥିବା କ୍ଷୁଦ୍ର ଓ ମଧ୍ୟମ ଚାଷୀ ହିଁ ବନ୍ୟା ସହାୟତା ପାଇବେ । ବନ୍ୟାରେ କ୍ଷତିଗ୍ରସ୍ତ ମତ୍ସ୍ୟଚାଷୀଙ୍କ ପାଇଁ ବି ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ।

ଯେଉଁ ମତ୍ସ୍ୟଚାଷୀଙ୍କ ପୋଖରୀ ଓ ଡାଇକ୍ କ୍ଷତିଗ୍ରସ୍ତ ହୋଇଥିବା, ସେମାନଙ୍କୁ ହେକ୍ଟର ପିଛା ୧୨ ହଜାର ୨ ଶହ ଟଙ୍କା ଲେଖାଏଁ ଯୋଗାଇ ଦିଆଯିବ । ଏହାଛଡା ୮୨ ଶହ ଟଂକାର ଇନପୁଟ୍ ସବସିଡି ବି ଯୋଗାଇ ଦିଆଯିବ । ହସ୍ତତନ୍ତ ଓ ହସ୍ତକଳା କ୍ଷେତ୍ରକୁ ବି ସହାୟତା ମିଳିବ । ପ୍ରତି ବୁଣାକାର ଓ ହସ୍ତକଳା କାରିଗରଙ୍କୁ ୪୧ ଶହ ଟଙ୍କା ଲେଖାଏଁ ସହାୟତା ମିଳିବ । ବନ୍ୟା ପାଣି ହ୍ରାସ ହେଲେ ମନରେଗା ଅଧିନରେ ଜୋରଦାର୍ ନିର୍ମାଣ କାମ ହେବ ।

Comments are closed.