ତିନି ଦଶକ ପରେ ଭାରତରୁ ଚାଉଳ କିଣିିଲା ଚୀନ୍

ମୁମ୍ବାଇ – ପ୍ରାୟ ତିନି ଦଶକ ପରେ ଭାରତରୁ ଚାଉଳ ଆମଦାନୀ କରିଛି ଚୀନ୍ । ଅନ୍ୟ ଦେଶଗୁଡିକର ରତ୍ପାନୀ କଟକଣା ଓ ଉଚ୍ଚମୂଲ୍ୟ ଯୋଗୁଁ ଚୀନ୍ ଏବେ ଭାରତ ଠାରୁ ଚାଉଳ କିଣିବାକୁ ବାଧ୍ୟ ହୋଇଛି । ତା’ ପୁଣି ଅପେକ୍ଷାକୃତ ସୁଲଭ ଦରରେ । ଭାରତ ବିଶ୍ୱର ସର୍ବବୃହତ୍ ଚାଉଳ ରତ୍ପାନୀକାରୀ ଦେଶ ଓ ଚୀନ ସବୁଠୁ ଅଧିକ ଚାଉଳ ଆମଦାନୀ କରିଥାଏ । ଚୀନ୍ ବର୍ଷକୁ ପ୍ରାୟ ୪ ନିୟୁତ ଟନ୍ ଚାଉଳ ଆମଦାନୀ କରେ । କିନ୍ତୁ ଭାରତୀୟ ଚାଉଳ ନିମ୍ନମାନର ବୋଲି କହି ଚୀନ୍ ପ୍ରାୟ ତିନି ଦଶକରୁ ଊର୍ଦ୍ଧ୍ୱ ସମୟ ଧରି ଭାରତ ଠାରୁ ଚାଉଳ ଆମଦାନୀ କରୁନଥିଲା ।

ଦୁଇ ଦେଶ ମଧ୍ୟରେ ଉତ୍ତେଜନା ସତ୍ତ୍ୱେ ଚୀନ୍ ଏବେ ଭାରତ ଠାରୁ ଚାଉଳ କିଣିବାକୁ ନିଷ୍ପତ୍ତି ନେଇଛି । ଆସନ୍ତାବର୍ଷ ମଧ୍ୟ ଚୀନ ଆହୁରି ଅଧିକ ପରିମାଣରେ ଭାରତୀୟ ଚାଉଳ କିଣିପାରେ ବୋଲି ଭାରତୀୟ ଚାଉଳ ରତ୍ପାନୀକାରୀ ସଂଘ ସଭାପତି ବିଭି କ୍ରିଷ୍ଣା ରାଓ କହିଛନ୍ତି ।

ଡିସେମ୍ବର-ଫେବୃୟାରୀ ପାଇଁ ଚୀନକୁ ଭାରତ ୧୦୦,୦୦୦ ଟନ୍ ଚାଉଳ ରତ୍ପାନୀ କରିବ । ଟନ୍ ପିଛା ୩୦୦ ଡଲାରରେ ଚୀନକୁ ଚାଉଳ ବିକିବ ଭାରତ । ଚୀନ୍ ସାଧାରଣତଃ ଥାଇଲାଣ୍ଡ, ଭିଏତନାମ, ମିଆଁମାର ଓ ପାକିସ୍ତାନ ଠାରୁ ଚାଉଳ ଆମଦାନୀ କରିଥାଏ । କିନ୍ତୁ ଏହି ଦେଶଗୁଡିକରେ ଏଥର ଚାଉଳ ଉତ୍ପାଦନ କମିଥିବାରୁ ରତ୍ପାନୀ ପରିମାଣ ହ୍ରାସ କରାଯାଇଛି । ଏହାଛଡ଼ା ଭାରତୀୟ ଚାଉଳ ତୁଳନାରେ ଏହିସବୁ ଦେଶର ଚାଉଳ ଟନ୍ ପିଛା ୩୦ ଡଲାର ମହଙ୍ଗା । ଏହିସବୁ କାରଣରୁ ଚୀନ୍ ବାଧ୍ୟ ହୋଇ ଭାରତ ଠାରୁ ଚାଉଳ କିଣିଛି ।

Comments are closed.