ଚାଷୀ ଆନ୍ଦୋଳନରେ ସାମିଲ ହେବେ ୨୦୦୦ରୁ ଊର୍ଦ୍ଧ୍ୱ ମହିଳା

ନୂଆଦିଲ୍ଲୀ – କେନ୍ଦ୍ରର ତିନି କୃଷି ଆଇନ ବିରୋଧରେ ଚାଲିଥିବା ଚାଷୀ ଆନ୍ଦୋଳନ ୨୦ ଦିନରେ ପହଞ୍ଚିଛି । ଆନ୍ଦୋଳନକୁ ଆହୁରି ଜୋରଦାର କରିବା ପାଇଁ ଚାଷୀମାନେ ଅଣ୍ଟା ଭିଡିଛନ୍ତି । ରାଜଧାନୀ ନଗରୀ ଦିଲ୍ଲୀ ସୀମାରେ ଚାଲିଥିବା ଏହି ଆନ୍ଦୋଳନରେ ଆହୁରି ବହୁସଂଖ୍ୟକ ଚାଷୀ ଯୋଗ ଦେଉଛନ୍ତି । ସିଂଘୁ ସୀମାରେ ବିକ୍ଷୋଭ ପ୍ରଦର୍ଶନ କରୁଥିବା ଚାଷୀମାନଙ୍କ ପରିବାରର ୨୦୦୦ରୁ ଊର୍ଦ୍ଧ୍ୱ ମହିଳା ମଧ୍ୟ ଆନ୍ଦୋଳନରେ ସାମିଲ ହେବା ସମ୍ଭାବନା ରହିଛି ।

ଚାଷୀ ଆନ୍ଦୋଳନରେ ଯୋଗଦେବାକୁ ପଞ୍ଜାବର ବିଭିନ୍ନ ଅଞ୍ଚଳରୁ ଆସୁଥିବା ମହିଳା ମାନଙ୍କ ଲାଗି ଆନ୍ଦୋଳନ ସ୍ଥଳରେ ବ୍ୟବସ୍ଥା କରାଯାଉଛି । ସେମାନଙ୍କ ପାଇଁ ତମ୍ବୁ ଲଗାଯିବା ସହ ଅଲଗା ଲଙ୍ଗର୍ ଓ ଶୌଚାଳୟ ବ୍ୟବସ୍ଥା ହୋଇଥିବା କୃଷକ ନେତାମାନେ କହିଛନ୍ତି । କୃଷି ଆଇନ ପ୍ରତ୍ୟାହାର ଦାବିରେ ଦୁଇ ସପ୍ତାହରୁ ଊର୍ଦ୍ଧ୍ୱ ଧରି ପଞ୍ଜାବ, ହରିୟାଣା, ରାଜସ୍ଥାନ, ଛତିଶଗଡ଼ ଓ ମଧ୍ୟପ୍ରଦେଶର ଚାଷୀମାନେ ଦିଲ୍ଲୀର ସିଂଘୁ, ଟିକ୍ରି ଓ ଗାଜିପୁର ସୀମାରେ ଆନ୍ଦୋଳନ ଚଳାଇଛନ୍ତି । ଏହି କାରଣରୁ ଦିଲ୍ଲୀକୁ ସଂଯୋଗ କରୁଥିବା କିଛି ପ୍ରମୁଖ ରାସ୍ତା ବନ୍ଦ ରହିଛି । ଲୋକମାନଙ୍କୁ ଅଲଗା ରୁଟ୍ ଦେଇ ଯିବା ଆସିବା କରିବାକୁ ଦିଲ୍ଲୀ ପୋଲିସ୍ ତରଫରୁ ପରାମର୍ଶ ଦିଆଯାଇଛି ।

Comments are closed.