ଟେଷ୍ଟ କ୍ରିକେଟରୁ ଫାଫ ଡୁ ପ୍ଲେସିସଙ୍କ ଅବସର

ଡର୍ବାନ – ଦକ୍ଷିଣ ଆଫ୍ରିକା ଦଳର ପୂର୍ବତନ ଅଧିନାୟକ ଫାଫ ଡୁ ପ୍ଲେସିସ୍ ଟେଷ୍ଟ କ୍ରିକେଟରୁ ଅବସର ନେଇଛନ୍ତି। ସୋସିଆଲ ମିଡିଆରେ ଏକ ପୋଷ୍ଟ ମାଧ୍ୟମରେ ସେ ଏହା ଘୋଷଣା କରିଛନ୍ତି। ସେ ଦକ୍ଷିଣ ଆଫ୍ରିକାର ତୃତୀୟ ସଫଳ ଅଧିନାୟକ ତଥା ଟେଷ୍ଟରେ ଦଶମ ସର୍ବାଧିକ ରନ୍ ସଂଗ୍ରହକାରୀ ବ୍ୟାଟ୍ସମ୍ୟାନ୍।

୩୬ ବର୍ଷୀୟ ଡୁ ପ୍ଲେସିସ୍ ନଭେମ୍ବର ୨୦୧୨ରେ ତାଙ୍କର ଟେଷ୍ଟ ଡେବ୍ୟୁ କରିଥିଲେ । ଏହି ଡେବ୍ୟୁ ଟେଷ୍ଟରେ ସେ ଏକ ଶତକ ମଧ୍ୟ ହାସଲ କରିଥିଲେ। ତା’ପରେ ଡୁ ପ୍ଲେସିସ୍ ଆଡିଲେଡ୍ ଟେଷ୍ଟରେ ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଇନିଂସରେ ୭୮ ରନ୍ ଏବଂ ଦ୍ୱିତୀୟ ଇନିଂସରେ ୧୧୦ ରନ୍ ସଂଗ୍ରହ କରିଥିଲେ। ଏହି ମ୍ୟାଚ୍ ଡ୍ର ରହିଥିଲା।
ଦକ୍ଷିଣ ଆଫ୍ରିକାର ଏହି ଭେଟେରାନ ଖେଳାଳି ଏହି ମାସରେ ପାକିସ୍ତାନ ବିପକ୍ଷରେ ରାୱଲପିଣ୍ଡିରେ ନିଜ ଶେଷ ଟେଷ୍ଟ ଖେଳିଥିଲେ। ଏହି ମ୍ୟାଚ୍‌ରେ ସେ ପ୍ରଥମ ଇନିଂସରେ ୧୭ ରନ୍ ଏବଂ ଦ୍ୱିତୀୟ ଇନିଂସରେ ମାତ୍ର ୫ ରନ୍ ସଂଗ୍ରହ କରିଥିଲେ। ଏହି ମ୍ୟାଚକୁ ପାକିସ୍ତାନ ୯୫ ରନରେ ଜିତିଥିଲା।

ଡୁ ପ୍ଲେସିସ୍ ନିଜ ୮ ବର୍ଷର କ୍ୟାରିୟରରେ ୬୯ଟି ଟେଷ୍ଟ ଖେଳିଛନ୍ତି | ଏହି ସମୟ ମଧ୍ୟରେ ସେ ୪୦.୦୨ ଆଭରେଜରେ ୪୧୬୩ ରନ୍ କରିଥିଲେ | ତାଙ୍କର ଷ୍ଟ୍ରାଇକ୍ ରେଟ୍ ୪୬.୩୨ ଥିଲା। ତାଙ୍କର ଶ୍ରେଷ୍ଠ ସ୍କୋର ହେଉଛି ୧୯୯ ରନ୍ | ଟେଷ୍ଟରେ ଡୁ ପ୍ଲେସିସ୍ ୧୦ ଶତକ ଏବଂ ୨୧ ଅର୍ଦ୍ଧଶତକ ହାସଲ କରିଛନ୍ତି |

ଡୁ ପ୍ଲେସିସ୍ ତାଙ୍କ ପୋଷ୍ଟରେ ଲେଖିଛନ୍ତି, ‘ଏହି ବର୍ଷ ଆମ ସମସ୍ତଙ୍କ ପାଇଁ ବିଭିନ୍ନ କାରଣରୁ କଠୋର ସାବ୍ୟସ୍ତ ହେଇଛି | ଏହି ବର୍ଷ ମୁଁ ନିଜକୁ ଆକଳନ କରିଥିଲି | ତା’ପରେ ମୁଁ ଅନୁଭବ କଲି ଯେ ଏକ ନୂତନ ଅଧ୍ୟାୟ ଆରମ୍ଭ କରିବା ପାଇଁ ଏହା ହେଉଛି ଉପଯୁକ୍ତ ସମୟ | ଦେଶ ପାଇଁ ସମସ୍ତ ଫର୍ମାଟରେ ଖେଳିବା ମୋ ପାଇଁ ଗର୍ବର ବିଷୟ ଥିଲା, କିନ୍ତୁ ବର୍ତ୍ତମାନ ଟେଷ୍ଟ କ୍ରିକେଟରୁ ଅବସର ନେବାର ସମୟ ଆସିଛି।

Comments are closed.