ବିଧାନସଭାରେ ଶ୍ରୀମନ୍ଦିର ପରିକ୍ରମା ପ୍ରସ୍ତାବ ଗୃହୀତ, ନବୀନ କହିଲେ ଯୋଜନା ସାଢେ ଚାରି କୋଟି ଓଡିଆଙ୍କ ନିଜ ଯୋଜନା

ଭୁବନେଶ୍ୱର- ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଧାନସଭାରେ ଐତିହ୍ୟ କରିଡର ବିକାଶ ପାଇଁ ଶ୍ରୀମନ୍ଦିର ପରିକ୍ରମା ଯୋଜନା ଉପସ୍ଥାପନ କରିଛନ୍ତି । ଯୋଜନାକୁ ଚୂଡାନ୍ତ ରୂପ ଦେବାରେ ସହଯୋଗ କରିଥିବାରୁ ସମସ୍ତଙ୍କୁ ଆନ୍ତରିକ ଧନ୍ୟବାଦ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀ ଯୋଜନା ଉପସ୍ଥାପନ କରି କହିଛନ୍ତି ଯେ, ଭକ୍ତମାନେ ଯେପରି ଦିବ୍ୟ ଅନୁଭବ ନେଇ ଫେରିବେ, ତାହା ଆମ ସମସ୍ତଙ୍କ ଦାୟିତ୍ୱ । ସମସ୍ତଙ୍କ ସହ ଆଲୋଚନା ପରେ ଗଜପତି ମହାରାଜଙ୍କ ନେତୃତ୍ୱରେ ମନ୍ଦିର ପ୍ରଶାସନ ପ୍ରସ୍ତୁତ କରିଥିବା ଏହି ଯୋଜନା ସାଢେ ଚାରି କୋଟି ଓଡିଆଙ୍କ ନିଜ ଯୋଜନା ବୋଲି ନବୀନ କହିଛନ୍ତି । ସେ କହିଛନ୍ତି, ଶ୍ରୀଜଗନ୍ନାଥ ଓଡିଆ ଜାତିର ସବୁଠାରୁ ବଡ ପରିଚୟ । ଆମ ଇତିହାସ, ସଂସ୍କୃତି, ପରମ୍ପରା ଓ ଆମ ବିଶ୍ୱାସ ସବୁ କିଛି ମହାପ୍ରଭୁଙ୍କୁ କେନ୍ଦ୍ର କରି ଗଢି ଉଠିଛି ।

ଶ୍ରୀଜଗନ୍ନାଥ ଓଡିଆ ଅସ୍ମିତାର ପ୍ରତୀକ ।
ଶ୍ରୀମନ୍ଦିର ଐତିହ୍ୟ କରିଡର ଯୋଜନା କାର୍ଯ୍ୟ ଶୀଘ୍ର ସଂପୂର୍ଣ୍ଣ କରିବା ସହ ଏହି କାର୍ଯ୍ୟରେ ନିଜ ଅବଦାନ ରଖିବାକୁ ପ୍ରତି ଓଡିଆ ତଥା ଜଗନ୍ନାଥ ପ୍ରେମୀଙ୍କ ପାଇଁ ସୁଯୋଗ ସୃଷ୍ଟି କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି ମୁଖ୍ୟମନ୍ତ୍ରୀ ।

ମହାପ୍ରଭୁଙ୍କ ଧାମର ବିକାଶରେ ଯଦି କିଛି ଅବଦାନ ରଖିପାରିଲେ, ତାହା ହିଁ ଆମର ଶ୍ରେଷ୍ଠ ସୌଭାଗ୍ୟ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
ମୁଖ୍ୟମନ୍ତ୍ରୀଙ୍କ ବକ୍ତବ୍ୟ ପରେ ଶ୍ରୀମନ୍ଦିର ପରିକ୍ରମା ପ୍ରସ୍ତାବ ସର୍ବସମ୍ମତି କ୍ରମେ ଗୃହୀତ ହୋଇଛି । ବାଚନିକ ଭୋଟରେ ପ୍ରସ୍ତାବ ଗୃହୀତ ହୋଇଛି ।

Comments are closed.