ଟିକା ନେବା ସତ୍ତ୍ୱେ କରୋନାରେ ମେଡିକାଲ ଛାତ୍ରଙ୍କ ମୃତ୍ୟୁ

ପାଟନା – କୋଭିଡ୍ ଟିକା ନେବା ସତ୍ତ୍ୱେ ବିହାର ନାଳନ୍ଦା ମେଡିକାଲ କଲେଜ୍‌ର ଜଣେ ଶେଷବର୍ଷ ଛାତ୍ରଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ନାଳନ୍ଦା କଲେଜର ୨୩ ବର୍ଷୀୟ ଶୁଭେନ୍ଦୁ ସୁମନ ୨୨ ଦିନ ତଳେ ‘କୋଭାକ୍ସିନ’୍ ଟିକାର ପ୍ରଥମ ଡୋଜ୍ ନେଇଥିଲେ । ଟିକା ନେବା ସତ୍ତ୍ୱେ ଫେବୃୟାରୀ ୨୫ରେ ସେ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ । ଏହାପରେ ସେ ବେଗୁସରାଇ ସ୍ଥିତ ତାଙ୍କ ଘରକୁ ଚାଲି ଯାଇଥିଲେ । ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଫେବୃୟାରୀ ୨୭ରେ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତେବେ ସୋମବାର ସେଠାରେ ତାଙ୍କର ଚିିିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିଲା ।

ନାଳନ୍ଦା କଲେଜର ଆଉ ୧୫ ଛାତ୍ର ମଧ୍ୟ କରୋନା ସଂକ୍ରମିତ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ଅଧିକାଂଶ ଛାତ୍ର ବି କିଛିଦିନ ତଳେ କରୋନା ଭାକ୍ସିନର ପ୍ରଥମ ଡୋଜ୍ ନେଇଥିଲେ ।
ଦେଶରେ ଜାନୁୟାରୀ ୧୬ରୁ କରୋନା ବିରୋଧରେ ଟିକାକରଣ ଅଭିଯାନ ଆରମ୍ଭ ହୋଇଥିଲା । ପ୍ରଥମ ପର୍ଯ୍ୟାୟରେ ସ୍ୱାସ୍ଥ୍ୟକର୍ମୀ ଏବଂ କୋଭିଡ୍ ଯୋଦ୍ଧାଙ୍କୁ ଟିକା ଲଗାଯାଇଥିଲା । ମାର୍ଚ୍ଚ ପହିଲାରୁ ଟିକାକରଣର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ ହୋଇଛି । ଏହି ପର୍ଯ୍ୟାୟର ୬୦ ବର୍ଷ ବୟସ୍କ ଏବଂ ଜଟିଳ ରୋଗରେ ପୀଡିତ ଥିବା ୪୫ ବର୍ଷରୁ ଊର୍ଦ୍ଧ୍ୱ ବୟସ୍କ ବ୍ୟକ୍ତିଙ୍କୁ ଟିକା ଦିଆଯିବ । ଟିକା ନେବା ପାଇଁ କୋ-ୱିନ୍ ପୋର୍ଟାଲରେ ପଞ୍ଜିକରଣ କରିବାକୁ ପଡିବ ।

Comments are closed.