କୋରୋନା ବିରୋଧରେ ଲଢେଇ : ନବୀନ ସରକାରଙ୍କ ପ୍ରଶଂସନୀୟ ଓ ଅନୁକରଣୀୟ ପଦକ୍ଷେପକୁ ବର୍ଷେ

ଭୁବନେଶ୍ୱର- କୋରୋନା ମହାମାରୀର ପ୍ରକୋପ ଦେଶର ଅନେକ ରାଜ୍ୟ ଠିକ୍ ଭାବେ ବୁଝିପାରି ନ ଥିଲା ବେଳେ ଏହାର ଭୟାବହତା ଅନୁମାନ କରି ଓଡିଶା ସରକାର ଆଗୁଆ ହିଁ ନେଇଥିଲେ ଅନେକ ପ୍ରଶଂସନୀୟ ଠୋସ୍ ପଦକ୍ଷେପ । ଏଥିପାଇଁ ସାରାଦେଶରେ ଓଡିଶା ଚର୍ଚ୍ଚିତ ଥିଲା । ଓଡିଶା ମଡେଲକୁ ଏକ ଉଦାହରଣ ଭାବେ ନିଆଯାଇଥିଲା । ଏକ ଅଜଣା ମହାମାରୀ ବିରୋଧରେ ଦୀର୍ଘକାଳୀନ ଲଢେଇ ପାଇଁ ମାନସିକ ଭାବେ ଭଲଭାବେ ପ୍ରସ୍ତୁତି କରିଥିଲେ ନବୀନ ସରକାର । ୨୦୨୦ ମସିହା ଠିକ୍ ଆଜିର ଦିନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟରେ କୋରୋନା ମହାମାରୀର ମୁକାବିଲା ଲାଗି ନେଇଥିଲେ ଆଗୁଆ ପଦକ୍ଷେପ ।

ମହାମାରୀର ଭୟାବହତା ଦେଶର ଅନ୍ୟ ରାଜ୍ୟ ବୁଝିବା ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସରକାର ଆଗୁଆ ସତର୍କତାମୂଳକ ପଦକ୍ଷେପ ଭାବେ କୋରୋନାକୁ ରାଜ୍ୟରେ ସ୍ୱାସ୍ଥ୍ୟ ବିପର୍ଯ୍ୟୟ ଭାବେ ଘୋଷଣା କରିଥିଲେ । ୨୦୨୦ ମସିହା ଆଜିର ଦିନରେ ସଂକ୍ରମଣ ରୋକିବା ପାଇଁ ରାଜ୍ୟର ସମସ୍ତ ସିନେମା ହଲ୍‌, ସୁଇମିଡ ପୁଲ୍ ,ଜିମ୍ ତଥା ସ୍କୁଲକୁ ବନ୍ଦ କରିବାକୁ ଆଦେଶ ଦିଆଯାଇଥିଲା । ଏହାପରେ ଜାରି ହୋଇଥିଲା ଲକଡାଉନ । ଦେଶର ପ୍ରଥମ ରାଜ୍ୟ ଭାବେ ଓଡିଶାରେ ଲକଡାଉନ ଘୋଷଣା ହୋଇଥିଲା । ପରେ କେନ୍ଦ୍ର ସରକାର ଓଡିଶା ସରକାରଙ୍କ ପଦାଙ୍କ ଅନୁସରଣ କରିଥିଲେ । ଦେଶବ୍ୟାପୀ ଲକଡାଉନ ଘୋଷଣା ଆଗରୁ ଓଡିଶାର ୫ଟି ଜିଲ୍ଲାରେ ଲାଗୁ ହୋଇଥିଲା ଲକଡାଉନ୍ । ରାଜ୍ୟର ୮ଟି ବଜ ସହରରେ ଲକଡାଉନ ଜାରି କରାଯାଇଥିଲା । ସାଧାରଣ ପରିବହନ ସେବା,ଦୋକାନ ବଜାର ,ଅଫିସ ,କଳକାରଖାନା ବନ୍ଦ ରଖାଯାଇଥିଲା ।

କୋରୋନା ମୁକାବିଲାରେ ସାରା ଦେଶରେ ଉଦାହରଣ ସୃଷ୍ଟି କରିଥିଲେ ନବୀନ ସରକାର । ମହାମାରୀ ବିରୋଧରେ ଆରମ୍ଭରୁ ହିଁ ନିଆଯାଇଥିଲା ଅନେକ ପ୍ରୋଆକ୍ଟିଭ ପଦକ୍ଷେପ । ଗତବର୍ଷ ମାର୍ଚ୍ଚ ୧୮ ତାରିଖରେ ରାଜ୍ୟ ସରକାର ଓଡିଶା କୋଭିଡ-୧୯ ନିୟାମକ ଜାରି କରିଥିଲେ । କୋରୋନା ସଂକ୍ରମଣ ବିରୋଧରେ ଲୋକଙ୍କୁ ସଚେତନ କରିବା ପାଇଁ ଜୋରଦାର ଉଦ୍ୟମ ଆରମ୍ଭ କରାଯାଇଥିଲା । କୋଭିଡ କଟକଣା ପାଳନ ଉପରେ ଜୋର୍ ଦିଆଯାଇଥିଲା । ମାସ୍କ ପରିଧାନ, ସାବୁନ ପାଣି ବା ସାନିଟାଇଜରରେ ବାରମ୍ବାର ହାତ ଧୋଇବା ଓ ସାମାଜିକ ଦୂରତା ରକ୍ଷା ଉପରେ ଜୋର୍ ଦିଆଗଲା । କୋରୋନା ରୋଗୀଙ୍କ ଚିକିତ୍ସା ପାଇଁ ଉଭୟ ସରକାରୀ ଓ ବେସରକାରୀ ହସପିଟାଲରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିଲା । ତୃଣମୂଳ ସ୍ତରରେ କରୋନା ମହାମାରୀର ମୁକାବିଲା ପାଇଁ ରାଜ୍ୟ ସରକାର ସରପଂଚମାନଙ୍କୁ ଜିଲ୍ଲାପାଳଙ୍କ କ୍ଷମତା ଦେଇଥିଲେ , ଯାହା କି ଏକ ଯୁଗାନ୍ତକାରୀ ପଦକ୍ଷେପ ଥିଲା ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ । ଗୁଜରାଟ, ମହାରାଷ୍ଟ୍ର ଭଲି ଉଚ୍ଚ ସଂକ୍ରମିତ ରାଜ୍ୟରୁ ଆସୁଥିବା ପ୍ରବାସୀ କୋରୋନା ମୁକାବିଲା ପାଇଁ ମସ୍ତବଡ ଆହ୍ୱାନ ସୃଷ୍ଟି କରିଥିଲେ ବି ସେମାନଙ୍କ ପାଇଁ କ୍ୱାରେଂଟାଇନ୍ ସେଂଟର ପ୍ରତିଷ୍ଠା କରାଯାଇଥିଲା । ସେଠାରେ ସେମାନଙ୍କୁ ରଖାଯାଇ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଉଥିଲା । ବାହାରୁ ଆସିଥିବା ଲୋକଙ୍କ ପାଇଁ ହୋମ୍ କ୍ୱାରେଂଟାଇନ୍ ବ୍ୟବସ୍ଥା ବି କରାଯାଇଥିଲା । ଲୋକଙ୍କର ଟେଷ୍ଟିଂ ବୃଦ୍ଧି କରାଯାଇଥିଲା । ସଫେଇ କର୍ମଚାରୀ, ଡାକ୍ତର, ସ୍ୱାସ୍ଥ୍ୟକର୍ମୀ ଓ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ କୋରୋନା ଯୋଦ୍ଧା ଭାବେ ଘୋଷଣା କରି ସେମାନଙ୍କ ମନୋବଳ ବଢାଇଥିଲେ ରାଜ୍ୟ ସରକାର ।

ଗଞ୍ଜାମ ଓ ଖୋର୍ଦ୍ଧା ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ଅଧିକ ହୋଇଥିଲେ ମଧ୍ୟ ତୃଣମୂଳ ସ୍ତରରେ ସୁଚିନ୍ତିତ ପଦକ୍ଷେପ ଯୋଗୁଁ ଖୁବ୍ କମ ସମୟ ମଧ୍ୟରେ କୋରୋନା ମହାମାରୀ ନିୟନ୍ତ୍ରଣ ହୋଇପାରିଥିଲା ।

ବର୍ଷକ ପରେ ରାଜ୍ୟରେ ସ୍ଥିତି ବଦଳିଛି । ଆଗର ଭଳି ଭୟ ଆଉ ନାହିଁ । କିନ୍ତୁ କୋରୋନାର ଦ୍ୱିତୀୟ ସଂକ୍ରମଣ ଆଶଙ୍କା ଥବାରୁ ସରକାର କୌଣସି ସୁୁଯୋଗ ନେବାକୁ ଚାହୁଁନାହାନ୍ତି । ଲୋକଙ୍କୁ ସତର୍କ ରହିବା ସହ କୋଭିଡ କଟକଣା ମାନିବାକୁ ସରକାର ପରାମର୍ଶ ଦେଇଛନ୍ତି । ଟିକାକରଣ ବି ଆରମ୍ଭ ହୋଇଯାଇଛି । ସୁରୁଖୁରୁରେ ଚାଲିଛି କୋଭିଡ ଟିକାକରଣ । କିନ୍ତୁ ମହାମାରୀ ଭୟ ସଂପୂର୍ଣ୍ଣ ଟଳିନାହିଁ । ଆଉ ରାଜ୍ୟ ସରକାର ବି ଏହା ଭଲଭାବେ ଜାଣି ପଦକ୍ଷେପ ନେବା ଆରମ୍ଭ କରିଛନ୍ତି ।

Comments are closed.