ଦିଲ୍ଲୀ ଏୟାରପୋର୍ଟରୁ ଆଫଗାନ୍ ମହିଳା ସାଂସଦଙ୍କୁ ଫେରାଇ ଦିଆଗଲା, କହିଲେ ଭାରତ କେବଳ ହିନ୍ଦୁ ଆଫଗାନ୍‌ଙ୍କୁ ଅନୁମତି ଦେଉଛି

ନୂଆଦିଲ୍ଲୀ: ଆଫଗାନିସ୍ତାନର ଜଣେ ମହିଳା ସାଂସଦଙ୍କୁ ଦିଲ୍ଲୀ ବିମାନ ବନ୍ଦରରୁ ଫେରାଇ ଦିଆଯିବା ନେଇ ବିବାଦ ସୃଷ୍ଟି ହୋଇଛି ।

ଆଫଗାନିସ୍ତାନର ମହିଳା ସାଂସଦ ରଙ୍ଗିନା କାରଗର୍ ଚିକିତ୍ସା ଉଦ୍ଦେଶ୍ୟରେ ଶନିବାର ଇସ୍ତାନବୁଲରୁ ଏକ ଫ୍ଲାଇଟ୍‌ରେ ଦିଲ୍ଲୀ ଆସିଥିଲେ । କିନ୍ତୁ ତାଙ୍କୁ ଦିଲ୍ଲୀ ଏୟାରପୋର୍ଟରୁ ବାହାରକୁ ଯିବାକୁୁ ଅନୁମତି ମିଳିନଥିଲା । ସେ ଆଶ୍ରୟ ନେବା ପାଇଁ ନୁହେଁ ବରଂ ଚିକିତ୍ସା ପାଇଁ ଭାରତ ଆସିଥିଲେ । ତାଙ୍କ ପାଖରେ ବୈଧ ପାସପୋର୍ଟ ଓ କୂଟନୀତିଜ୍ଞ ଭିସା ବି ଥିଲା । ଏହା ସତ୍ତ୍ୱେ ତାଙ୍କୁ ଏୟାରପୋର୍ଟରୁ ହିଁ ଫେରାଇ ଦିଆଯାଇଥିଲା ବୋଲି ରଙ୍ଗିନା ଅଭିଯୋଗ କରିଛନ୍ତି । ଧର୍ମ ଆଧାରରେ ଭାରତ ଆଫଗାନ୍ ନାଗରିକଙ୍କ ପ୍ରତି ଆତର ଅନ୍ତର କରୁଛି ବୋଲି ରଙ୍ଗିନା ଅଭିଯୋଗ କରିଛନ୍ତି । ଭାରତ ସରକାର କେବଳ ହିନ୍ଦୁ ଆଫଗାନ୍‌ଙ୍କୁ ହିଁ ଭାରତ ଆସିବାକୁ ଅନୁମତି ଦେଉଛନ୍ତି । ଭାରତ ସରକାର ଆଫଗାନିସ୍ତାନ ସାଂସଦ ଅନାରକଲି ଓ ନରେନ୍ଦ୍ର ସିଂ ଖାଲ୍‌ସାଙ୍କୁ ଭାରତ ଆସିବାକୁ ଅନୁମତି ଦେଇଛନ୍ତି । କିନ୍ତୁ ମୋତେ କାହିଁକି ଅନୁମତି ଦେଲେ ନାହିଁ ବୋଲି ସେ ପ୍ରଶ୍ନ କରିଛନ୍ତି ।

ରାଙ୍ଗିନା କାରଗର୍ ଆଫଗାନିସ୍ତାନ ଉଲେସି ଜିଗ୍ରା ଦଳର ଜଣେ ନେତ୍ରୀ ଏବଂ ସେ ଫାୟାବ ପ୍ରଦେଶରୁ ସାଂସଦ ଅଛନ୍ତି । କାରଗର୍ କହିଛନ୍ତି ଯେ, ସେ ଶନିବାର ସକାଳ ୬ରେ ଇସ୍ତାନବୁଲରୁ ଦିଲ୍ଲୀରେ ପହଞ୍ଚିଥିଲେ । ତେବେ ତାଙ୍କୁ ଏୟାରପୋର୍ଟ ବାହାରକୁ ଯିବାକୁ ଅନୁମତି ମିଳିନଥିଲା । ସେ ରାତି ୧୦ଟା ଯାଏଁ ସେଠାରେ ଭୋକଶୋଷରେ ଅପେକ୍ଷା କରିଥିଲେ ମଧ୍ୟ ତାଙ୍କୁ ପୁଣି ଇସ୍ତାନବୁଲ ପଠାଇ ଦିଆଯାଇଥିଲା ବୋଲି କାରଗର କହିଛନ୍ତି ।

ଏହି ଘଟଣା ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ଭାରତୀୟ ବୈଦେଶିକ ବ୍ୟାପାର ମନ୍ତ୍ରାଳୟର ଜଣେ ସଚିବ ରଙ୍ଗିିନା କାରଗାରଙ୍କୁ ଫୋନ୍ କରି କ୍ଷମା ପ୍ରାର୍ଥନା କରିଥିଲେ । ସେ ପୁଣି କେବେ ଭାରତ ଆସିଲେ ଇ-ଭିସା ଆବେଦନ କରିବାକୁ ରଙ୍ଗିନାକୁ ପରାମର୍ଶ ଦେଇଥିଲେ ।

Comments are closed.