ନୂଆ ଗର୍ଲଫ୍ରେଣ୍ଡଙ୍କ ଖୁଲାସା: ଦୁଇଥର ଆଫତାବଙ୍କ ଘରକୁ ଯାଇଥିଲି, କିନ୍ତୁ ଶ୍ରଦ୍ଧାଙ୍କ କଟା ଅଙ୍ଗ ରଖାଯାଇଛି ବୋଲି ଜାଣିପାରିନଥିଲି

ନୂଆଦିଲ୍ଲୀ:ଶ୍ରଦ୍ଧା ୱାଲକର ହତ୍ୟା ମାମଲାର ଅଭିଯୁକ୍ତ ଆଫତାବଙ୍କ ନୂଆ ଗର୍ଲଫ୍ରେଣ୍ଡ ସାମ୍ନାକୁ ଆସିଛନ୍ତି । ସେ ପୋଲିସ ଆଗରେ ଚାଞ୍ଚଲ୍ୟକର ଖୁଲାସା କରିଛନ୍ତି । ଆଫତାବଙ୍କ ନୂଆ ଗର୍ଲଫ୍ରେଣ୍ଡ କହିଛନ୍ତି ଯେ ସେ ଆଫତାବଙ୍କୁ ଭେଟିବା ପାଇଁ ଦିଲ୍ଲୀର ମେହରୌଲି ସ୍ଥିତ ତାଙ୍କ ଫ୍ଲାଟକୁ ଦୁଇଥର ଯାଇଥିଲେ । କିନ୍ତୁ ଆଫତାବ୍ ସେହି ଘରେ ଶ୍ରଦ୍ଧାଙ୍କ ହତ୍ୟା କରିଥିବା ଓ ମୃତଦେହର କଟା ଅଂଶ ରଖିଛନ୍ତି ବୋଲି ସେ ଆଦୌ ଜାଣି ପାରିନଥିଲେ। ଏହି ହତ୍ୟାକାଣ୍ଡ ବିଷୟରେ ଜାଣିବା ପରେ ସେ ପୂରା ସ୍ତବ୍ଧ ହୋଇଯାଇଥିଲେ ବୋଲି ଆଫତାବଙ୍କ ନୂଆ ଗର୍ଲଫ୍ରେଣ୍ଡ କହିଛନ୍ତି।

ମେ ମାସରେ ଶ୍ରଦ୍ଧାଙ୍କୁ ହତ୍ୟା କରିବା ପରେ ଆଫତାବ୍ ଏହି ନୂଆ ଝିଅ ସହିତ ଡେଟିଂ ଆରମ୍ଭ କରିଥିଲେ। ଯେଉଁ ‘ବମ୍ବଲ୍’ ଡେଟିଂ ଆପ୍ ଜରିଆରେ ଆଫତାବ୍ ଓ ଶ୍ରଦ୍ଧାଙ୍କ ମଧ୍ୟରେ ପରିଚୟ ହୋଇଥିଲା ସେହି ଆପ୍ ମାଧ୍ୟମରେ ହିଁ ଆଫତାବ୍ ତାଙ୍କ ନୂଆ ଗର୍ଲଫ୍ରେଣ୍ଡଙ୍କୁ ଭେଟିଥିଲେ | ନୂଆ ଗର୍ଲଫ୍ରେଣ୍ଡ ଅକ୍ଟୋବରରେ ଦୁଇଥର ଆଫତାବଙ୍କ ଘରକୁ ଆସିଥିଲେ। ସେ ପୋଲିସକୁ କହିଛନ୍ତି ଯେ ଅକ୍ଟୋବର ୧୨ ରେ ଆଫତାବ୍ ତାଙ୍କୁ ଏକ ଆର୍ଟିଫିସିଆଲ୍ ରିଙ୍ଗ୍ ଦେଇଥିଲେ । ପୋଲିସ ତାଙ୍କଠାରୁ ଏହି ରିଙ୍ଗ୍ ଜବତ କରି ତାଙ୍କ ବୟାନ ରେକର୍ଡ କରିଛି।

ସୂଚନା ଅନୁଯାୟୀ, ପୋଲିସ ତଦନ୍ତରୁ ଜଣାପଡିଛି ଯେ ଶ୍ରଦ୍ଧାଙ୍କ ହତ୍ୟାର ୧୨ ଦିନ ପରେ ଅର୍ଥାତ ମେ ୩୦ରେ ଉଭୟଙ୍କ ମଧ୍ୟରେ ଦେଖା ସାକ୍ଷାତ ହୋଇଥିଲା । ଆଫତାବଙ୍କ ନୂଆ ପାର୍ଟନର ଜଣେ ମାନସିକ ରୋଗ ବିଶେଷଜ୍ଞ ବୋଲି ଜଣାପଡିଛି | ସେ ପୋଲିସକୁ କହିଥିଲେ ଯେ ସେ ଅକ୍ଟୋବରରେ ଦୁଇଥର ଆଫତାବଙ୍କ ଘରକୁ ଯାଇଥିଲେ, କିନ୍ତୁ ସେହି ଘରେ କାହାକୁ ହତ୍ୟା କରାଯାଇଛି କିମ୍ବା କଟା ଶରୀର ଅଙ୍ଗ ରଖାଯାଇଛି ବୋଲି ସେ ଜାଣି ପାରିନଥିଲେ ।

ଅନ୍ୟପକ୍ଷରେ ଏହି ମାମଲାରେ ଆଫତାବଙ୍କ ପଲିଗ୍ରାଫ୍ ଟେଷ୍ଟ ଶେଷ ହୋଇଛି । ପଲିଗ୍ରାଫ୍ ଟେଷ୍ଟ ବେଳେ ଶ୍ରଦ୍ଧାଙ୍କୁ ହତ୍ୟା କରିଥିବା ମାନିଛନ୍ତି ଆଫତାବ୍ । କିନ୍ତୁ ଏଥିପାଇଁ
ସେ କୌଣସି ଅନୁତାପ କିମ୍ବା ଦୁଃଖ ପ୍ରକାଶ କରିନାହାଁନ୍ତି। ଡିସେମ୍ବର ୧ରେ ତାଙ୍କର ନାର୍କୋ ଟେଷ୍ଟ କରାଯିବ ।

Comments are closed.