ପ୍ରକାଶ ସିଂ ବାଦଲଙ୍କ ପରେ ସୁଖଦେବ ସିଂ ଧିଣ୍ଡସା ଫେରାଇଲେ ପଦ୍ମଭୂଷଣ ସମ୍ମାନ

ନୂଆଦିଲ୍ଲୀ – କୃଷି ଆଇନ ବିରୋଧରେ ଦେଶରେ ଚାଷୀଙ୍କ ଆନ୍ଦୋଳନ ତେଜିବାରେ ଲାଗିଛି । ଏହି ଆନ୍ଦୋଳନକୁ ସମର୍ଥନ ଜଣାଇ ପୁରସ୍କାର ଫେରାଇବା ଧାରା ମଧ୍ୟ ଆରମ୍ଭ ହୋଇଯାଇଛି। ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଅକାଳୀ ଦଳର ବରିଷ୍ଠ ନେତା ପ୍ରକାଶ ସିଂ ବାଦଲ କୃଷି ଆଇନକୁ ବିରୋଧ କରି ପଦ୍ମବିଭୂଷଣ ସମ୍ମାନ ଫେରାଇ ଦେଇଛନ୍ତି। ଚାଷୀଙ୍କ ସମର୍ଥନରେ ଏବେ ପଞ୍ଜାବର ଆଉ ଜଣେ ବରିଷ୍ଠ ନେତା ତଥା ରାଜ୍ୟସଭା ସାଂସଦ ସୁଖଦେବ ସିଂ ଧିଣ୍ଡସା ବି ପଦ୍ମ ଭୂଷଣ ସମ୍ମାନ ଫେରାଇବେ ବୋଲି କହିଛନ୍ତି। ଧିଣ୍ଡସା ଅକାଳୀ ଦଳରୁ ଅଲଗା ହୋଇ ଏକ ନୂଆ ଦଳ ସିରୋମଣି ଅକାଳୀ (ଡେମୋକ୍ରାଟିକ୍) ଗଠନ କରିଥିଲେ ।

ବାଦଲ ପରିବାରର କୃଷି ନିୟମକୁ ଆରମ୍ଭରୁ ବିରୋଧ କରିଆସୁଛି । ଏହି କାରଣରୁ କେନ୍ଦ୍ର ମନ୍ତ୍ରୀ ପଦରୁ ହରସିମ୍ରତ କୌର ବାଦଲ ଇସ୍ତଫା ଦେଇଥିଲେ ଏବଂ କେନ୍ଦ୍ରର ନୂତନ ଆଇନକୁ ଚାଷୀଙ୍କ ସହ ଏକ ବଡ ଠକେଇ ବୋଲି ଅଭିହିତ କରିଥିଲେ। କେବଳ ଏତିକି ନୁହେଁ ପଞ୍ଜାବ ନିର୍ବାଚନରେ ​​ଦଳ ଏକାକୀ ନିର୍ବାଚନ ଲଢିବାକୁ ଘୋଷଣା କରିଥିଲା । ପରେ ଅକାଳୀ ଦଳ ଏନଡିଏରୁ ଓହରି ଯାଇଥିଲା ।

କୃଷି ଆଇନକୁ ବିରୋଧ କରୁଥିବା ଅକାଳୀ ଦଳକୁ ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ ଟାର୍ଗେଟ କରିଛନ୍ତି । ଅମରିନ୍ଦର ଅଭିଯୋଗ କରିଛନ୍ତି ଯେ ଅକାଳୀ ଦଳ କେନ୍ଦ୍ର ସରକାରରେ ଥିଲାବେଳେ କୃଷି ଆଇନର ରୂପରେଖ ପ୍ରସ୍ତୁତ କରାଯାଇଥିଲା, ସେତେବେଳେ କାହିଁକି ଅକାଳୀ ଦଳ ତରଫରୁ ଏହାକୁ ବିରୋଧ କରାଯାଇ ନଥିଲା ବୋଲି ଅମରିନ୍ଦର ପ୍ରଶ୍ନ କରିଛନ୍ତି ।

Comments are closed.