ଟିଭି ଚ୍ୟାନେଲ୍ ପାଇଁ ନୂଆ ନିୟମ: ଦୈନିକ ୩୦ ମିନିଟର ଜନହିତ ପ୍ରସାରଣ ବାଧ୍ୟତାମୂଳକ

ନୂଆଦିଲ୍ଲୀ: ଭାରତକୁ ଏକ ପ୍ରମୁଖ ଅପଲିଙ୍କିଙ୍ଗ୍ ହବ୍ (ହବ୍) କରିବା ଲକ୍ଷ୍ୟରେ କେନ୍ଦ୍ର ସରକାର ଟେଲିଭିଜନ୍ ଚ୍ୟାନେଲଗୁଡିକ ପାଇଁ ନୂଆ ଗାଇଡଲାଇନ୍ ଜାରି କରିଛନ୍ତି । ଏହାଛଡ଼ା ମନୋରଞ୍ଜନ ଚ୍ୟାନେଲଗୁଡିକ ପାଇଁ ଦୈନିକ ୩୦ ମିନିଟ୍ ର ଜନହିତ ସହ ଜଡ଼ିତ ପ୍ରସାରଣ ବାଧ୍ୟତାମୂଳକ କରାଯାଇଛି ।

ଭାରତରେ ସାଟେଲାଇଟ୍ ଟେଲିଭିଜନ ଚ୍ୟାନେଲଗୁଡ଼ିକର ଅପଲିଙ୍କିଂ ଏବଂ ଡାଉନ ଲିଙ୍କ୍ ପାଇଁ ଗାଇଡଲାଇନକୁ କେନ୍ଦ୍ର କ୍ୟାବିନେଟ୍ ଅନୁମୋଦନ କରିଛି। ଏହି ପଦକ୍ଷେପ ଦ୍ବାରା ଭୁଟାନ, ବାଂଲାଦେଶ, ଶ୍ରୀଲଙ୍କା ଏବଂ ନେପାଳର ଟେଲିଭିଜନ ଚ୍ୟାନେଲଗୁଡ଼ିକୁ ସିଙ୍ଗାପୁର ପରିବର୍ତ୍ତେ ଭାରତରୁ ଅପଲିଙ୍କ୍ କରିବାକୁ ଅନୁମତି ମିଳିବ ବୋଲି ଆଶା କରାଯାଉଛି।

ଭାରତୀୟ ଉପମହାଦେଶରେ ପ୍ରସାରଣ କରୁଥିବା ଚ୍ୟାନେଲଗୁଡ଼ିକ ପାଇଁ ସିଙ୍ଗାପୁର ହେଉଛି ପସନ୍ଦର ଅପଲିକିଂ ହବ୍ | ଜଣେ ଅଧିକାରୀ କହିଛନ୍ତି ଯେ ବର୍ତ୍ତମାନ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ସହ ପଞ୍ଜୀକୃତ ହୋଇଥିବା ମୋଟ ୮୯୭ଟି ଚ୍ୟାନେଲ ମଧ୍ୟରୁ କେବଳ ୩୦ଟି ଚ୍ୟାନେଲ ଭାରତରୁ ଅପଲିଙ୍କ୍ ହୋଇଛି।

ଯୁଗ୍ମ ସଚିବ (ବ୍ରଡକାଷ୍ଟିଂ) ସଞ୍ଜୀବ ଶଙ୍କର ଗଣମାଧ୍ୟମକୁ କହିଛନ୍ତି ଯେ କୌଣସି କାର୍ଯ୍ୟକ୍ରମର ସିଧା ପ୍ରସାରଣ ପାଇଁ ଅନୁମତି ନେବାକୁ ଆଉ ଆବଶ୍ୟକତା ପଡ଼ିବନି । କେବଳ ସିଧା ପ୍ରସାରଣ କାର୍ଯ୍ୟକ୍ରମର ପ୍ରାକ୍ ପଞ୍ଜୀକରଣ ଆବଶ୍ୟକ ହେବ। ସେ କହିଛନ୍ତି ଯେ ଏବେ ଷ୍ଟାଣ୍ଡାର୍ଡ ଡେଫିନେସନ୍ (ଏସଡି) ରୁ ହାଇ ଡେଫିନେସନ୍ (ଏଚଡି) କିମ୍ବା ଭାଷା ତଥା ଟ୍ରାନ୍ସମିସନ୍ ମୋଡ୍ ପରିବର୍ତ୍ତନ କରିବାକୁ କୌଣସି ଆଗୁଆ ଅନୁମତି ଆବଶ୍ୟକ ହେବ ନାହିଁ।

ନୂଆ ଗାଇଡଲାଇନ୍ ଅନୁଯାୟୀ, ଟେଲିଭିଜନ୍ ଚ୍ୟାନେଲଗୁଡିକ ପାଇଁ ପ୍ରତିଦିନ ୩୦ ମିନିଟ୍ ପାଇଁ ଜାତୀୟ ତଥା ଜନସାଧାରଣ ହିତ ସହ ଜଡ଼ିତ ବିଷୟବସ୍ତୁ ପ୍ରସାରଣ ବାଧ୍ୟତାମୂଳକ ହୋଇଛି |

Comments are closed.