କୃଷି ଆଇନକୁ ପୂରିଲା ବର୍ଷେ, ‘କଳା ଦିବସ’ ଭାବେ ପାଳିଲେ ଅକାଳି ଦଳ ଓ ଆମ୍ ଆଦମୀ ପାର୍ଟି

ନୂଆଦିଲ୍ଲୀ: ବିଜେପି ନେତୃତ୍ୱାଧୀନ ଏନ୍‌ଡିଏ ସରକାରର ତିନି କୃଷି ଆଇନକୁ ଆଜି ଏକ ବର୍ଷ ପୂରିଛି । ଆଜିର ଦିନକୁ ବିଜେପିର ପୂର୍ବତନ ସହଯୋଗୀ ଶିରୋମଣି ଅକାଳି ଦଳ ଓ ଆମ୍ ଆଦମୀ ପାର୍ଟି କଳା ଦିବସ ଭାବେ ପାଳନ କରିଛନ୍ତି । କୃଷି ଆଇନ ବିରୋଧରେ ଦିଲ୍ଲୀର ରକାବଗଞ୍ଜ ଗୁରୁଦ୍ୱାରାରୁ ସଂସଦ ଭବନ ଯାଏଁ ଦଳ ତରଫରୁ ଏକ ରାଲିର ଆୟୋଜନ କରାଯାଇଥିଲା । ହେଲେ ଏହାକୁ ଅନୁମତି ମିଳିନଥିଲା ।

କୃଷି ଆଇନ ବିରୋଧରେ ଅକାଳି ଦଳ ତରଫରୁ ଆଜିର ଦିଲ୍ଲୀର ବିଭିନ୍ନ ସ୍ଥାନରେ ବିଶାଳ ପଦଯାତ୍ରା ଏବଂ ରାଲିର ଆୟୋଜନ କରାଯାଇଥିଲା । ଏଥିଯୋଗୁଁ ଜାତୀୟ ରାଜଧାନୀର ବିଭିନ୍ନ ଅଞ୍ଚଳରେ ଟ୍ରାଫିକ୍ ସମସ୍ୟା ସୃଷ୍ଟି ହୋଇଛି । ଅକାଳି ଦଳ କର୍ମକର୍ତ୍ତାଙ୍କୁ ରୋକିବା ପାଇଁ ପୋଲିସ୍ ଅନେକ ସ୍ଥାନରେ ବ୍ୟାରିକେଡ୍ ଲଗାଇଛି । ପଞ୍ଜାବରୁ ଦିଲ୍ଲୀ ଆସୁଥିବା କିଛି ଅକାଳି କର୍ମୀଙ୍କୁ ଏଣ୍ଟ୍ରି ପଏଣ୍ଟରେ ଅଟକାଇଛି ପୋଲିସ୍ । ଅନେକ ସ୍ଥାନରେ ଅକାଳୀ ଦଳର କର୍ମୀ ଓ ପୋଲିସ୍ ମଧ୍ୟରେ ମୁହାଁମୁହିଁ ଖବର ବି ଆସିଛି ।

ଦଳୀୟ କର୍ମୀଙ୍କୁ ପୋଲିସ ରୋକିବା ନେଇ କେନ୍ଦ୍ରକୁ ସମାଲୋଚନା କରିଛନ୍ତି ଅକାଳୀ ଦଳର ନେତ୍ରୀ ହରସିମରତ କୌର । ଏ ସମ୍ପର୍କିତ ଭିଡ଼ିଓ ସେୟାର କରି ହରସିମରତ ଏହାକୁ ଅଘୋଷିତ ଜରୁରୀ ସ୍ଥିତି ବୋଲି କହିଛନ୍ତି । କୃଷି ଆଇନ ବିରୋଧରେ ପ୍ରତିବାଦକୁ ପୋଲିସ ଭଣ୍ଡୁର କରିବାକୁ ଉଦ୍ୟମ କରୁଛି ବୋଲି ସେ ଅଭିଯୋଗ କରିଛନ୍ତି ।

ଅନ୍ୟପଟେ କୃଷି ଆଇନର ଏକ ବର୍ଷ ପୂର୍ତ୍ତିକୁ ଆମ ଆଦମୀ ପାର୍ଟି ମଧ୍ୟ କଳା ଦିବସ ଭାବେ ପାଳନ କରିଛି । କୃଷି ଆଇନ ବିରୋଧରେ ଆନ୍ଦୋଳନରେ ପ୍ରାଣ ହରାଇଥିବା ଚାଷୀଙ୍କ ସ୍ମୃତିରେ ଦଳ ପୂରା ଦିଲ୍ଲୀରେ କ୍ୟାଣ୍ଡଲ ରାଲି କରିବ ବୋଲି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କହିଛନ୍ତି ।

Comments are closed.