‘ଲଖିମପୁର ଫାଇଲ୍ସ’ କାହିଁକି ହେବନି ? ‘ଦି କାଶ୍ମୀର ଫାଇଲ୍ସ’କୁ ବିଜେପିର ସମର୍ଥନ ନେଇ ଅଖିଳେଶଙ୍କ କଟାକ୍ଷ

ନୂଆଦିଲ୍ଲୀ: କାଶ୍ମୀର ପଣ୍ଡିତମାନଙ୍କ ଉପରେ ନିର୍ମିତ ଫିଲ୍ମ ‘ଦି କାଶ୍ମୀର ଫାଇଲ୍ସ’କୁ ନେଇ ଏବେ ସବୁଠି ଚର୍ଚ୍ଚା । ନବେ ଦଶକରେ ଆତଙ୍କବାଦୀଙ୍କ ଟାର୍ଗେଟ ହେବା ପରେ କାଶ୍ମୀରୀ ପଣ୍ଡିତମାନେ କିପରି କାଶ୍ମୀରରୁ ପଳାୟନ କରିଥିଲେ ତାହା ଏହି ଫିଲ୍ମର କଥାବସ୍ତୁ । ଏହି ଚଳଚ୍ଚିତ୍ର ସମ୍ପ୍ରତି ବକ୍ସ ଅଫିସରେ ଭଲ ବ୍ୟବସାୟ କରୁଛି | ବିନୋଦ ଅଗ୍ନିହୋତ୍ରୀଙ୍କ ନିର୍ଦ୍ଦେଶିତ ଚଳଚ୍ଚିତ୍ରକୁ ବିଜେପି ଏବଂ କେନ୍ଦ୍ର ସରକାରଙ୍କ ବହୁ ମନ୍ତ୍ରୀ ପ୍ରମୋଟ୍ କରୁଛନ୍ତି। ଏହାଛଡ଼ା ବିଜେପି ଶାସିତ ରାଜ୍ୟ ଗୁଡ଼ିକରେ ‘ଦି କାଶ୍ମୀର ଫାଇଲ୍ସ’ ଉପରେ ଟିକସଛାଡ଼ ହୋଇଛି। ବିଜେପି ଯେଉଁଭଳି ‘ଦି କାଶ୍ମୀର ଫାଇଲ୍ସ’ର ପ୍ରଚାର କରୁଛି ସେନେଇ ସମାଜବାଦୀ ପାର୍ଟିର ରାଷ୍ଟ୍ରୀୟ ସଭାପତି ଅଖିଳେଶ ଯାଦବ କଟାକ୍ଷ କରିଛନ୍ତି । ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା ବେଳେ ଅଖିଳେଶ କହିଛନ୍ତି ଯେ ‘ଲଖିମପୁର ଫାଇଲ୍ସ’ ନାମରେ ବି ଚଳଚ୍ଚିତ୍ର କରାଯିବା ଉଚିତ ।

ଅଖିଳେଶ ଯାଦବ କହିଛନ୍ତି, ‘ଯଦି କାଶ୍ମୀର ଉପରେ ଚଳଚ୍ଚିତ୍ର ନିର୍ମାଣ କରାଯାଇପାରୁଛି, ତେବେ ଲଖିମପୁର ଖେରୀ ଘଟଣା ଉପରେ କାହିଁକି ଫିଲ୍ମ ହେବ ନାହିଁ। ଲଖିମପୁରରେ ବିକ୍ଷୋଭ ପ୍ରଦର୍ଶନ କରୁଥିବା ବେଳେ ଚାଷୀମାନେ କାର୍ ଚଢ଼ାଇ ହତ୍ୟା କରାଯାଇଥିଲା। ସମୟ ଆସିଲେ ‘ଲଖିମପୁର ଫାଇଲ୍ସ’ ଉପରେ ବି ଫିଲ୍ମ ନିର୍ମାଣ କରାଯିବା ଉଚିତ |

ଉଲ୍ଲେଖଯୋଗ୍ୟ, ଗତ ବର୍ଷ ଅକ୍ଟୋବର ୩ରେ ଉତ୍ତର ପ୍ରଦେଶର ଲଖିମପୁର ଖେରୀରେ ଚାଷୀଙ୍କ ଉପରେ ଗାଡ଼ି ଚଢାଇ ଦିଆଯାଇଥିଲା । ଏଥିରେ ଚାରିଜଣ ଚାଷୀଙ୍କ ମୃତ୍ୟୁ ହୋଇଥିବା ବେଳେ ଉତ୍ତ୍ୟକ୍ତ ଚାଷୀ ଓ ସ୍ଥାନୀୟ ଲୋକଙ୍କ ଆକ୍ରମଣରେ ଜଣେ ବିଜେପି ନେତାଙ୍କ ସହ ଆଉ ଚାରି ଜଣଙ୍କ ମୃତ୍ୟୁ ହୋଇଥିଲା। କେନ୍ଦ୍ର ମନ୍ତ୍ରୀ ଅଜୟ କୁମାର ମିଶ୍ରଙ୍କ ପୁଅ ଆଶିଷ ମିଶ୍ର ହିଁ ଚାଷୀଙ୍କ ଉପରେ ଗାଡ଼ି ଚଢାଇଥିଲେ ବୋଲି ଅଭିଯୋଗ ହୋଇଥିଲା। ଘଟଣାର କିଛି ଦିନ ପରେ ଆଶିଷ ମିଶ୍ରଙ୍କୁ ଗିରଫ କରାଯାଇଥିଲା। ସେ ପ୍ରାୟ ୪ ମାସ ଜେଲରେ ରହିବା ପରେ ଆହ୍ଲାବାଦ ହାଇକୋର୍ଟର ଲକ୍ଷ୍ନୌ ବେଞ୍ଚରୁ ଜାମିନ ପାଇଥିଲେ।

Comments are closed.