ହୋଲିରେ ହିନ୍ଦୁସ୍ଥାନୀ ଶାସ୍ତ୍ରୀୟ ସଙ୍ଗୀତ ସନ୍ଧ୍ୟା ‘ବୃନ୍ଦାବନ ମହୋତ୍ସବ’

କଳାଅନୁରାଗୀଙ୍କୁ ଶାସ୍ତ୍ରୀୟ ସଙ୍ଗୀତର ନିକଟତର କରିବ : ପଦ୍ମବିଭୂଷଣ ପଣ୍ଡିତ ଡ . ହରିପ୍ରସାଦ ଚୌରାସିଆ

ଭୁବନେଶ୍ୱର: ପବିତ୍ର ଦୋଳପୂର୍ଣ୍ଣିମା ଓ ହୋଲି ପର୍ବ ଅବସରରେ ହିନ୍ଦୁସ୍ଥାନୀ ଶାସ୍ତ୍ରୀୟ ସଙ୍ଗୀତ ସନ୍ଧ୍ୟା ‘ ବୃନ୍ଦାବନ ମହୋତ୍ସବ’ର ଷଷ୍ଠ ସଂସ୍କରଣ ଚଳିତ ମାସ ୧୯ ତାରିଖ ସନ୍ଧ୍ୟାରେ ରାଜ୍ୟ ପର୍ଯ୍ୟଟନ ବିଭାଗ ଏବଂ ବୃନ୍ଦାବନ ଗୁରୁକୁଳର ମିଳିତ ଆନୁକୂଲ୍ୟରେ ସ୍ଥାନୀୟ ରବୀନ୍ଦ୍ର ମଣ୍ଡପରେ ଅନୁଷ୍ଠିତ ହେବ । ଗୋଟିଏ ମଞ୍ଚରେ ଶାସ୍ତ୍ରୀୟ ସଙ୍ଗୀତ ଜଗତର ବିଶିଷ୍ଟ ପ୍ରତିଭାମାନଙ୍କୁ କଳାପ୍ରେମୀମାନେ ଏକାଠି ପାଇପାରିବେ ବୋଲି ବିଶିଷ୍ଟ ବଂଶୀବାଦକ ପଦ୍ମବିଭୂଷଣ ପଣ୍ଡିତ ଡ . ହରିପ୍ରସାଦ ଚୌରାସିଆ ଆଜି ପୂର୍ବାହ୍ନରେ ଘାଟିକିଆ ବୃନ୍ଦାବନ ଗୁରୁକୁଳରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି ।

ଏହି ମହୋତ୍ସବ କଳାଅନୁରାଗୀ ଓ କଳାର ଛାତ୍ରଛାତ୍ରୀମାନଙ୍କୁ ଶାସ୍ତ୍ରୀୟ ସଙ୍ଗୀତର ନିକଟତର କରିବା ସହିତ ଅନୁପ୍ରାଣିତ କରିବ ବୋଲି ଡ . ଚୌରାସିଆ ଆଶାବ୍ୟକ୍ତ କରିଛନ୍ତି । ଶାସ୍ତ୍ରୀୟ ସଙ୍ଗୀତର ବହୁଳ ପ୍ରଚାରପ୍ରସାର ପାଇଁ ଏଭଳି ଉତ୍ସବର ଆୟୋଜନ କରାଯାଉଛି ବୋଲି ରାଜ୍ୟ ପର୍ଯ୍ୟଟନ ବିଭାଗର ଯୁଗ୍ମ ସଚିବ ଶ୍ରୀମତୀ ପୂଜା ମିଶ୍ର ପ୍ରକାଶ କରିବା ସହିତ ମହୋତ୍ସବର ପ୍ରସ୍ତୁତି ସମ୍ପର୍କରେ ସୂଚନା ଦେଇଥିଲେ ।

ପଦ୍ମ ବିଭୂଷଣ ପଣ୍ଡିତ ଡ . ଚୌରାସିଆଙ୍କ ପ୍ରତ୍ୟକ୍ଷ ପ୍ରେରଣାରେ ପ୍ରଖ୍ୟାତ ସଙ୍ଗୀତ ଶିଳ୍ପୀ ପଦ୍ମଭୂଷଣ ବେଗମ ପରବିନ ସୁଲତାନା , ଖ୍ୟାତନାମା ତବଲାବାଦକ ପଣ୍ଡିତ ଅଭିଜିତ ବାନାର୍ଜୀ , ବିଶିଷ୍ଟ ସିତାରବାଦକ ପଣ୍ଡିତ ଶୁଭେନ୍ଦ୍ର ରାଓ , ହାରମୋନିୟମବାଦକ ପଣ୍ଡିତ ଜ୍ୟୋତି ଗୋହୋ , ସେଲୋବାଦିକା ବିଦୁଷୀ ସାସକିଆ ରାଓ ଦେ ହାସ ଶାସ୍ତ୍ରୀୟ ସଙ୍ଗୀତ ପରିବେଷଣ କରିବେ । କାର୍ଯ୍ୟକ୍ରମ ସନ୍ଧ୍ୟା ୬.୧୫ରେ ଆରମ୍ଭ ହେବ । ସାଂସ୍କୃତିକ ସନ୍ଧ୍ୟାର ପ୍ରଥମ କାର୍ଯ୍ୟକ୍ରମ ଭାବେ ଗୁରୁକୁଳର ଛାତ୍ରଛାତ୍ରୀମାନେ ପ୍ରାରମ୍ଭିକ ବଂଶୀବାଦନ କରି ଉଦଘାଟନ କରିବେ । ତାପରେ ଯୁଗଳବନ୍ଦୀ ଓ ଶାସ୍ତ୍ରୀୟ ସଂଗୀତ ପରିବେଷଣ କାର୍ଯ୍ୟକ୍ରମ ରହିଛି । ଅନ୍ୟମାନଙ୍କ ମଧ୍ୟରେ ପଣ୍ଡିତ ଡ . ଚୌରାସିଆଙ୍କ ଧର୍ମପତ୍ନୀ ତଥା ବୃନ୍ଦାବନ ଗୁରୁକୁଳର ଟ୍ରଷ୍ଟି ଅନୁରାଧା ଚୌରାସିଆ , ଗୁରୁକୁଳର ସମ୍ପାଦକ ଦିଗବିଜୟ ସିଂହ ଚୌହାନ ଓ ଗୁରୁକୁଳର ଛାତ୍ରଛାତ୍ରୀ ମାନେ ଉପସ୍ଥିତ ଥିଲେ ।

Comments are closed.