ଆଜି ଭାରତ-ଦକ୍ଷିଣ ଆଫ୍ରିକା ପ୍ରଥମ ଦିନିକିଆ, ୭ ବର୍ଷ ପରେ ଖେଳାଳି ଭାବେ ପଡ଼ିଆକୁ ଓହ୍ଲାଇବେ କୋହଲି

ପାର୍ଲ: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ତିନି ମ୍ୟାଚ୍ ସିରିଜର ପ୍ରଥମ ଦିନିକିଆ ବୁଧବାର ଖେଳାଯିବ । ସାତ ବର୍ଷର ଅଧିନାୟକ ଯାତ୍ରା ପରେ କୋହଲି ଜଣେ ଖେଳାଳି ଭାବେ ପଡ଼ିଆକୁ ଓହ୍ଲାଇବେ । ତେଣୁ ସ୍ୱାଭାବିକ ଭାବେ ତାଙ୍କ ଉପରେ ସମସ୍ତଙ୍କ ନଜର ରହିବ । ରୋହିତ ଶର୍ମାଙ୍କ ଅନୁପସ୍ଥିତିରେ କେଏଲ ରାହୁଲ ଏହି ସିରିଜରେ ଦଳର ନେତୃତ୍ୱ ନେବେ । ଦଳର ଭାବି ଅଧିନାୟକ ଭାବେ ଦାବିଦାର ଥିବା ରହୁଲଙ୍କ ନେତୃତ୍ୱ ଦକ୍ଷତା ଏହି ସିରିଜରୁ ଆକଳନ କରାଯିବ । ଏହି ସିରିଜ ତାଙ୍କ ପାଇଁ ମଧ୍ୟ ଗୁରୁତ୍ୱ ବହନ କରୁଛି । ଟେଷ୍ଟ ସିରିଜରେ ଅପ୍ରତ୍ୟାଶିତ ପରାଜୟ ପରେ ଭାରତ ଦିନିକିଆ ସିରିଜ ଜିତି ହିସାବ ବରାବର କରିବା ଲକ୍ଷ୍ୟରେ ରହିବ ।

ବ୍ୟାଟିଂ ହେଉ କି ଫିଲ୍ଡିଂ ଏଇ ସାତ ବର୍ଷ ଧରି ଅଧିନାୟକ ଭାବେ କୋହଲିଙ୍କ ପ୍ରତିଟି କାର୍ଯ୍ୟ ଚର୍ଚ୍ଚାରେ ରହୁଥିଲା । ବିଶେଷକରି ତାଙ୍କ ଆକ୍ରମଣାତ୍ମକ ଆଭିମୁଖ୍ୟ ସର୍ବଦା ସମସ୍ତଙ୍କ ଧ୍ୟାନ ଆକର୍ଷଣ କରୁଥିଲା । ଅଧିନାୟକ ଦାୟିତ୍ୱରୁ ମୁକ୍ତ ହେବା ପରେ ପଡ଼ିଆରେ ସେ ଆଗଭଳି ଅତ୍ୟଧିକ ପ୍ରତିକ୍ରିୟାଶୀଳ ହେବେ ନା ନିଜକୁ ନିୟନ୍ତ୍ରଣରେ ରଖିବେ ତାହା ଦେଖିବାକୁ ରହିଲା । ଏକ ଆଶ୍ଚର୍ଯ୍ୟଜନକ ଘଟଣା କ୍ରମେ ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜ ପରାଜୟର ଦିନକ ପରେ କୋହଲି ଟେଷ୍ଟ ନେତୃତ୍ୱ ଛାଡ଼ି ଦେଇଥିଲେ । ଏହି ନିଷ୍ପତ୍ତି ସହ ସବୁ ଫର୍ମାଟରେ ଭାରତୀୟ ଦଳର ଅଧିନାୟକ ଭାବେ ତାଙ୍କ ଇନିଂସ୍ ଶେଷ ହୋଇଥିଲା ।

ଟି୨୦ ବିଶ୍ୱକପ୍ ପରେ ଏହି ଫର୍ମାଟରେ ଅଧିନାୟକ ପଦ ଛାଡ଼ିଥିଲେ କୋହଲି । କିନ୍ତୁ ସେ ଦିନିକିଆ ଓ ଟେଷ୍ଟରେ ନେତୃତ୍ୱ ନେବା ଜାରି ରଖିବାକୁ ଇଚ୍ଛା ପ୍ରକାଶ କରିଥିଲେ । ହେଲେ ତାଙ୍କୁ ଡିସେମ୍ବରରେ ଦିିନିକିଆ ଅଧିନାୟକ ପଦରୁ ବି ହଟାଇ ଦିଆଯାଇଥିଲା । ଏନେଇ ଏହି ଷ୍ଟାର ବ୍ୟାଟ୍ସମ୍ୟାନ୍ ଓ ବିସିସିଆଇ ମଧ୍ୟରେ ବାକଯୁଦ୍ଧ ଆରମ୍ଭ ହୋଇଥିଲା । ଦିନିକିଆ ଅଧିନାୟକ ପଦରୁ ହଟାଯିବାର ମାସକ ପରେ ସେ ସମସ୍ତଙ୍କୁ ଚକିତ କରି ଟେଷ୍ଟ ନେତୃତ୍ୱ ଛାଡ଼ିଛନ୍ତି । ତାଙ୍କର ଅଗଣିତ ପ୍ରଶଂସକ ଆଶା କରିବେ ଯେ, ବିସିସିଆଇ ସହ ବିବାଦକୁ ଭୁଲି ସେ ଜଣେ ବ୍ୟାଟ୍‌ସମ୍ୟାନ୍ ଭାବେ ନୂଆ ଇନିଂସ୍ ଆରମ୍ଭ କରିବେ । ଦୀର୍ଘ ଦୁଇ ବର୍ଷର ଶତକ ମରୁଡ଼ିକୁ କୋହଲି ଶେଷ କରିବେ ବୋଲି ମଧ୍ୟ ପ୍ରଶଂସକ ଚାହିଁବେ ।

୨୦୨୩ ବିଶ୍ୱକପକୁ ଦୃଷ୍ଟିରେ ରଖି ନୂଆ ମ୍ୟାନେଜମେଣ୍ଟ ସହ ଭାରତ ଏହି ସିରିଜରୁ ନିଜର ପ୍ରସ୍ତୁତି ଓ ଦଳ ଗଢିବା ପ୍ରକ୍ରିିୟା ଆରମ୍ଭ କରବ । ଭାରତ ଶେଷଥର ପାଇଁ ନିଜର ଶକ୍ତିଶାଳୀ ଦଳ ସହ ମାର୍ଚ୍ଚରେ ଇଂଲଣ୍ଡ ବିପକ୍ଷରେ ଏକ ଦିନିକିଆ ସିରିଜ୍ ଖେଳିଥିଲା । ଏହାପରେ ଏକ ଦ୍ୱିତୀୟ ସ୍ତରୀୟ ଦଳ ସହ ଶ୍ରୀଲଙ୍କା ଗସ୍ତ କରି ସେଠାରେ ମଧ୍ୟ ଏକ ତିନି ମ୍ୟାଚ୍ ବିଶିଷ୍ଟ ସିରିଜ୍ ଖେଳିଥିଲା ।

ଭାରତ ଯେବେ ଶେଷଥର ଦକ୍ଷିଣ ଆଫ୍ରିକା ଗସ୍ତରେ ଯାଇଥିଲା, ୬ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜରେ ଘରୋଇ ଦଳକୁ ୫-୧ରେ ହରାଇଥିଲା । ଉକ୍ତ ବିଜୟରୁ ପ୍ରେରଣା ହାସଲ କରିବାକୁ ଚାହିଁବ ଭାରତ ।

ଭାରତ: କେଏଲ ରାହୁଲ (ଅଧିନାୟକ), ଯଶପ୍ରୀତ ବୁମରା, ଶିଖର ଧାୱନ, ଋତୁରାଜ ଗାଏକ୍ୱାଡ, ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ଶ୍ରେୟାସ ଆୟର, ଭେଙ୍କଟେଶ ଆୟର, ରିଷଭ ପନ୍ତ, ଇଶାନ କିଶାନ, ୟୁଜବେନ୍ଦ୍ର ଚହଲ, ଆର.ଅଶ୍ୱିନ, ଭୁବନେଶ୍ୱର କୁମାର, ଦୀପକ ଚହର, ପ୍ରସିଦ୍ଧ କ୍ରିଷ୍ଣା, ଶାର୍ଦ୍ଦୁଲ ଠାକୁର, ମହମ୍ମଦ ସିରାଜ, ଜୟନ୍ତ ଯାଦବ, ନବଦୀପ ସାଇନି ।
ଦକ୍ଷିଣ ଆଫ୍ରିକା: ତେମ୍ବା ବାଭୁମା (ଅଧିନାୟକ), କେଶବ ମହାରାଜ, କ୍ୱିଣ୍ଟନ ଡି’କକ୍‌, ଜୁବାୟର ହାମଜା, ମାର୍କୋ ଜାନସେନ୍‌, ଜେନମ୍ୟାନ୍ ମାଲାନ୍‌, ସିସାଣ୍ଡା ମାଗାଲା, ଏଡେନ ମାର୍କରମ, ଡେଭିଡ୍ ମିଲର, ଲୁନଗି ଏନଗିଡି, ୱେନ୍ ପାର୍ନେଲ, ଆଣ୍ଡିଲେ ଫେଲୁକାୟୋ, ଡ୍ୱେନ୍ ପ୍ରିଟୋରିୟସ, କାଜିସୋ ରବାଡା, ତାବ୍ରେଜ୍ ସାମସି, ରାସି ଭାନ୍ ଡର ଡୁସେନ୍‌, କାଇଲ ଭେରିୟେନ୍ ।

Comments are closed.