ମୋହନ ଭାଗଓ୍ବତଙ୍କୁ ‘ଜାତିର ପିତା’ ବୋଲି କହିଲେ ସର୍ବଭାରତୀୟ ଇମାମ୍ ସଂଗଠନର ମୁଖ୍ୟ

ନୂଆଦିଲ୍ଲୀ:ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘ (ଆରଏସ୍ଏସ୍) ମୁଖ୍ୟ ମୋହନ ଭାଗଓ୍ବତ ଗୁରୁବାର ହଠାତ୍ ସର୍ବଭାରତୀୟ ଇମାମ୍ ସଂଗଠନର ମୁଖ୍ୟ ଡ.ଉମର ଅହମ୍ମଦ ଇଲିଆସିଙ୍କୁ ଭେଟିଛନ୍ତି। ଦିଲ୍ଲୀର କସ୍ତୁରବା ଗାନ୍ଧୀ ମାର୍ଗ ସ୍ଥିତ ମସଜିଦରେ ଉଭୟଙ୍କ ମଧ୍ୟରେ ପ୍ରାୟ ଏକ ଘଣ୍ଟା ଧରି ରୁଦ୍ଧ ଦ୍ବାର ଆଲୋଚନା ହୋଇଥିଲା। କୌଣସି ମୁସଲିମ ଧାର୍ମିକ ସଂଗଠନର ମୁଖ୍ୟଙ୍କ ସହ ଆରଏସଏସ ମୁଖିଆଙ୍କ ଏହା ପ୍ରଥମ ସାକ୍ଷାତ ।

ଉଭୟଙ୍କ ମଧ୍ୟରେ ଆଲୋଚନା ପରେ ଗଣମାଧ୍ୟମ ପ୍ରତିନିଧି ଡକ୍ଟର ଉମର ଅହମ୍ମଦଙ୍କୁ ପଚାରିଥିଲେ ଯେ ଭାଗଓ୍ଵତ ‘ହିନ୍ଦୁ-ମୁସଲିମଙ୍କ ଡିଏନ୍ଏ ସମାନ’ ବୋଲି କହିଥିଲେ, ଆପଣ ଏହା ଉପରେ କ’ଣ କହିବେ? ଉତ୍ତରରେ ଇମାମ୍ କହିଥିଲେ, “ସେ ଯାହା କହିଛନ୍ତି ତାହା ଠିକ୍, କାରଣ ସେ ଜାତିର ପିତା ଏବଂ ଜାତିର ଋଷି। ସେ ଯାହା କହିଛନ୍ତି ତାହା ଠିକ୍ । ” ଡ.ଉମର ଅହମ୍ମଦ କହିଛନ୍ତି ଯେ ଭାଗଓ୍ବତ ତାଙ୍କ ନିମନ୍ତ୍ରଣ କ୍ରମେ ଆସିଥିଲେ । ଦେଶର ସ୍ବାର୍ଥ ସର୍ବୋପରି ବୋଲି ସେ କହିଛନ୍ତି ।

ଭାଗଓ୍ଵତ ସହ ସାକ୍ଷାତ ଆରଏସ୍ଏସ୍ ଯୁଗ୍ମ ସମ୍ପାଦକ ଡ.କୃଷ୍ଣ ଗୋପାଳ ଏବଂ ବରିଷ୍ଠ ପ୍ରଚାରକ ଇନ୍ଦ୍ରେଶ କୁମାର, ରାମଲାଲ ଏବଂ ହରିଶ କୁମାର ମଧ୍ୟ ଉପସ୍ଥିତ ଥିଲେ। ସାମ୍ପ୍ରଦାୟିକ ସଦଭାବ ବଜାୟ ରଖିବା ଏବଂ ହିନ୍ଦୁ ଏବଂ ମୁସଲମାନମାନଙ୍କ ମଧ୍ୟରେ ଥିବା ତିକ୍ତ ହେଉଥିବା ସମ୍ପର୍କ ସୁଧାରିବା ପାଇଁ ଆରଏସ୍ଏସ୍ ର ଏହା ଏକ ପ୍ରୟାସ ବୋଲି ଚର୍ଚ୍ଚା ହେଉଛି ।

ଡକ୍ଟର ଉମର ଅହମ୍ମଦଙ୍କୁ ଭେଟିବା ପରେ ସଂଘ ପ୍ରଚାର ପ୍ରମୁଖ ସୁନୀଲ ଆମ୍ବେକର କହିଛନ୍ତି ଯେ ଆରଏସ୍ଏସ୍ ସରସଙ୍ଘଚାଳକ(ମୋହନ ଭାଗଓ୍ବତ) ବିଭିନ୍ନ ବର୍ଗର ଲୋକଙ୍କୁ ଭେଟୁଛନ୍ତି। ଏହା ସଂଘର ସାଧାରଣ ଆଲୋଚନା ପ୍ରକ୍ରିୟାର ଏକ ଅଂଶ ବିଶେଷ |

Comments are closed.