ସେନା ମୁଖ୍ୟଙ୍କ ବଡ଼ ଘୋଷଣା, ଅଗ୍ନିପଥ ଯୋଜନା ଅଧୀନରେ ଦୁଇ ଦିନ ମଧ୍ୟରେ ଆରମ୍ଭ ହେବ ନିଯୁକ୍ତି ପ୍ରକ୍ରିୟା

ନୂଆଦିଲ୍ଲୀ: ବିହାର ସମେତ ଦେଶର ବିଭିନ୍ନ ରାଜ୍ୟରେ ଟ୍ରେନ୍ ପୋଡ଼ାଜଳା ଏବଂ ହିଂସା ମଧ୍ୟରେ ସେନା ବଡ଼ ଘୋଷଣା କରିଛି । ଅଗ୍ନିପଥ ଯୋଜନା ଅଧୀନରେ ଆସନ୍ତା ଦୁଇ ଦିନ ମଧ୍ୟରେ ସୈନିକ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହେବ ବୋଲି ସେନା ମୁଖ୍ୟ ମନୋଜ ପାଣ୍ଡେ କହିଛନ୍ତି । ଏ ସମ୍ପର୍କରେ http://joinindianarmy.nic.in ରେ ବିଜ୍ଞପ୍ତି ଜାରି କରାଯିବ। ଏହା ପରେ ସେନା ନିଯୁକ୍ତି ସହିତ ଜଡିତ ସଂଗଠନଗୁଡ଼ିକ ପଞ୍ଜୀକରଣ ଏବଂ ରାଲି କାର୍ଯ୍ୟସୂଚୀ ବିଷୟରେ ବିସ୍ତୃତ ଭାବରେ ଘୋଷଣା କରିବେ | ସେ କହିଛନ୍ତି ଯେ ଏହି ପ୍ରକ୍ରିୟାରେ ସବୁ ପ୍ରାର୍ଥୀଙ୍କୁ ପ୍ରସ୍ତୁତି ଏବଂ ପଞ୍ଜୀକରଣ ପାଇଁ ପର୍ଯ୍ୟାପ୍ତ ସମୟ ଦିଆଯିବ। ଚଳିତ ବର୍ଷ ଡିସେମ୍ବର ସୁଦ୍ଧା ପ୍ରଥମ ବ୍ୟାଚ୍ ‘ଅଗ୍ନିବୀର’ ମାନଙ୍କ ପ୍ରଶିକ୍ଷଣ ଆରମ୍ଭ ହେବ ସେନା ମୁଖ୍ୟ ପାଣ୍ଡେ କହିଛନ୍ତି।

ବିହାର, ଉତ୍ତର ପ୍ରଦେଶ, ମଧ୍ୟ ପ୍ରଦେଶ, ହରିୟାଣା ସମେତ ଦେଶର ଅନେକ ରାଜ୍ୟରେ ‘ଅଗ୍ନିପଥ’ଯୋଜନା ବିରୋଧରେ ଜୋରଦାର ଆନ୍ଦୋଳନ ହେଉଥିବା ବେଳେ ସେନା ମୁଖ୍ୟ ଏହି ଘୋଷଣା କରିଛନ୍ତି। ବିକ୍ଷୋଭକାରୀ ଯୁବକମାନେ ବିହାରରେ ଅନେକ ଟ୍ରେନ୍ ଜାଳି ଦେଇଛନ୍ତି । ଏହି ରାଜ୍ୟରୁ ବହୁ ସଂଖ୍ୟକ ଯୁବକ ସୈନ୍ୟବାହିନୀରେ ଭର୍ତ୍ତି ହେଉଛନ୍ତି । କିନ୍ତୁ ଟ୍ରେନରେ ନିଆଁ ଲଗାଇଥିବା ଯୁବକମାନଙ୍କୁ ଏକ ବଡ଼ ଝଟକା ଲାଗିପାରେ। ଅବସରପ୍ରାପ୍ତ ସେନା ଅଧିକାରୀମାନେ ସଙ୍କେତ ଦେଇଛନ୍ତି ଯେ ଯଦି ପୋଲିସ୍ ମାମଲାରେ କୌଣସି ଯୁବକଙ୍କ ନାମ ଆସେ, ତେବେ ସେନାରେ ତାଙ୍କ ପ୍ରବେଶ ରାସ୍ତା ସବୁଦିନ ପାଇଁ ବନ୍ଦ ହୋଇପାରେ ।

ଅଗ୍ନିପଥ ଯୋଜନା ନେଇ ଭାରତୀୟ ସେନା ମୁଖ୍ୟ ଜେନେରାଲ ମନୋଜ ପାଣ୍ଡେ କହିଛନ୍ତି ଯେ ଅଗ୍ନିପଥ ଯୋଜନା କାର୍ଯ୍ୟକାରୀ କରିବାକୁ ଆମର ୟୁନିଟ୍ ସମ୍ପୂର୍ଣ୍ଣ ପ୍ରସ୍ତୁତ ଏବଂ ଉତ୍ସାହିତ। ମୁଁ ଭାବୁଛି ଯୁବକମାନେ ଏହି ଯୋଜନା ବିଷୟରେ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବେ ଅବଗତ ନୁହଁନ୍ତି | ଥରେ ଯୁବକମାନେ ଏହି ଯୋଜନା ବିଷୟରେ ବୁଝିଗଲେ, ସେମାନେ ବିଶ୍ୱାସ କରିବେ ଯେ ଏହି ଯୋଜନା କେବଳ ଯୁବକମାନଙ୍କ ପାଇଁ ନୁହେଁ, ଦେଶ ତଥା ତିନି ଭାରତୀୟ ସେନା ପାଇଁ ମଧ୍ୟ ଲାଭଦାୟକ । ଗତ ଦୁଇ ଦିନ ମଧ୍ୟରେ ଆମର ମନ୍ତ୍ରଣାଳୟ, ରାଜ୍ୟ ସରକାର ଏବଂ ଅନେକ ଏଜେନ୍ସି ମଧ୍ୟ ଏହି ଯୋଜନା ସମ୍ବନ୍ଧରେ ଅନେକ ପଦକ୍ଷେପ ନେଇଛନ୍ତି। ଏହା ପରେ ଯୁବକମାନେ ଏହି ଯୋଜନା ଉପରେ ଅଧିକ ଭରସା ରଖିବେ ବୋଲି ପାଣ୍ଡେ କହିଛନ୍ତି।

Comments are closed.