ପ୍ରସନ୍ନ ପଣ୍ଡା ଜନ୍ମ ଶତବାର୍ଷିକୀ ସମାରୋହ

ଝାରସୁଗୁଡ଼ା : ଦେଶର ବିସ୍ଥାପନ ବିରୋଧି ଆନ୍ଦୋଳନରେ ପ୍ରସନ୍ନ କୁମାର ପଣ୍ଡାଙ୍କ ନାଁ ସର୍ବାଗ୍ରେ ରହିବ। ଜନସେବା ହିଁ ଥିଲା ତାଙ୍କ ପାଇଁ ରାଜନୀତିର ପରିଭାଷା। ଜନନେତା ପ୍ରସନ୍ନ କୁମାର ପଣ୍ଡାଙ୍କ ଜନ୍ମ ଶତବାର୍ଷିକୀରେ ଯୋଗଦେଇ ବିଶିଷ୍ଟ ଅତିଥିମାନେ ମତବ୍ଯକ୍ତ କରିଛନ୍ତି।

ଝାରସୁଗୁଡ଼ା ସ୍ଥିତ ହୋଟେଲ ମେଘଦୁତ ଠାରେ ଜନନେତା ପ୍ରସନ୍ନ କୁମାର ପଣ୍ଡାଙ୍କ ଜନ୍ମ ଶତ ବାର୍ଷିକୀ ସମାରୋହ ଅବସରରେ ଆୟୋଜିତ ବକ୍ତୃତାମାଳାରେ ‘ଗଣତନ୍ତ୍ରର କୁହୁକ’ ଶୀର୍ଷକ ଆଲୋଚନାଚକ୍ରରେ ମୁଖ୍ୟ ଆଲୋଚକ ଭାବେ ବିଶିଷ୍ଟ ରାଜନୀତି ବିଜ୍ଞାନୀ ତଥା ସମ୍ଭକାର ଅଭିରାମ ବିଶ୍ବାଳ ଯୋଗ ଦେଇଥିଲେ। ସ୍ବର୍ଗତ ପଣ୍ଡାଙ୍କ ଜୀବନୀ ଉପରେ ଆଲୋକପାତ କରି ସେ ତାଙ୍କ ଭଳି ବ୍ୟକ୍ତିତ୍ୱ ସାଂପ୍ରତିକ ରାଜନୀତିରେ ବିରଳ ବୋଲି ପ୍ରକାଶ କରିଥିଲେ। ଶ୍ରୀ ବିଶ୍ବାଳ କହିଥିଲେ ପରିବେଶ ପ୍ରଦୂଷଣ, ବିସ୍ଥାପନ, ବିକାଶ ନାଁରେ ବିନାଶ, ସାଂପ୍ରଦାୟିକତାବାଦ ବିରୋଧୀ ଆଭିମୁଖ୍ୟ ପୋଷଣ କରି ଆସିଥିବା ପ୍ରସନ୍ନ ବାବୁ ପ୍ରକୃତପକ୍ଷେ ବିକାଶ ବିରୋଧି ନ ଥିଲେ ବରଂ ସେ ଥିଲେ ଜନଗଣଙ୍କ ସ୍ବାର୍ଥ ବିରୋଧରେ ହେଉଥିବା କାର୍ଯ୍ୟର ବିରୋଧି । ଆଜି ଯେତେବେଳେ ସହିଷ୍ଣୂତା ଓ ସହନଶୀଳତା ଉଭେଇ ଯାଇ ଆକ୍ରମଣ ହେଲେ ନୀରବତା ଦେଖା ଯାଉଛି ସେତେବେଳେ ପ୍ରସନ୍ନ ପଣ୍ଡାଙ୍କ ଭଳି ଯୋଗଜନ୍ମାଙ୍କ ଆଦର୍ଶ କଥା ଲୋକେ ମନେ କରନ୍ତି ବୋଲି ଶ୍ରୀ ବିଶ୍ବାଳ କହିଥିଲେ ।

ବ୍ରଜରାଜନଗର ବିଧାୟିକା ଅଳକା ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କହିଥିଲେ ପ୍ରସନ୍ନ ପଣ୍ଡାଙ୍କ ବ୍ୟକ୍ତିତ୍ବରୁ ସେ ବହୁ ମାତ୍ରାରେ ପ୍ରଭାବିତ । ପ୍ରସନ୍ନ ପଣ୍ଡାଙ୍କ ମାଟିରେ ପ୍ରତିନିଧିତ୍ବ କରିବାର ସୁଯୋଗ ପାଇ ସେ ଗର୍ବିତ ହେବା ସହ ତାଙ୍କ ପଥ ଅନୁସରଣ କରି ଲୋକଙ୍କ ସେବା କରିବାର ସୁଯୋଗର ସଦୁପଯୋଗ କରିବେ ବୋଲି ମତ ରଖିଥିଲେ । ରାଜ୍ୟ ଏଆଇଟିୟୁସିର ସଭାପତି କମ୍ରେଡ ଅଶୋକ ଦାସ ପ୍ରସନ୍ନ ପଣ୍ଡାଙ୍କ ରାଜନୈତିକ ଜୀବନର ବିଭିନ୍ନ ଅନାଲୋଚିତ ଦିଗକୁ ଉନ୍ମୋଚନ କରି କହିଥିଲେ ପ୍ରସନ୍ନ ପଣ୍ଡା ଗରିବ, ଶୋଷିତ, ନିଷ୍ପେସିତ, ସର୍ବହରାଙ୍କ ପାଇଁ ଯେଉ ତ୍ୟାଗ ଓ ବଳିଦାନ ଦେଇ ଯାଇଛନ୍ତି ତାହା ତାଙ୍କୁ ଅମରତ୍ବ ପ୍ରଦାନ କରିଛି । ମୁଖ୍ୟବକ୍ତା ଭାବେ ବରିଷ୍ଠ ସାମ୍ବାଦିକ ଶିବ ନନ୍ଦ ଯୋଗ ଦେଇ କହିଥିଲେ ପ୍ରସନ୍ନ ପଣ୍ଡା ଦେଶର ରାଜନୀତିରେ ଏକ ବ୍ୟତିକ୍ରମ । ତାଙ୍କର ଉଦାରତା, ସଚ୍ଚୋଟତା, ଲୋକଙ୍କ ପ୍ରତି ସମର୍ପଣ ଭାବ ଏକ ଅନନ୍ୟ ବ୍ୟକ୍ତିତ୍ବର ଅଧିକାରୀ କରିଛି ।

ଅନ୍ୟ ମାନଙ୍କ ମଧ୍ୟରେ ପ୍ରକୃତି ପ୍ରେମୀ, ସଂଗ୍ରାମ ରାଉତ, ବୁଡ଼ି ଅଂଚଳ ସଂଗ୍ରାମ ସମିତିର ସଂପାଦକ ଗୋପିନାଥ ମାଝୀ, ମହମ୍ମଦ ରଉଫ ପ୍ରମୁଖ ଉଦବୋଧନ ଦେଇ ପ୍ରସନ୍ନ ପଣ୍ଡାଙ୍କ ଆଦର୍ଶ, ବିଚାରର ପ୍ରାସଂଗିକତା ସବୁବେଳେ ରହିଥିବ ବୋଲି ମତପୋଷଣ କରିଥିଲେ । ବରିଷ୍ଠ ସାମ୍ବାଦିକ ଶିବ ନନ୍ଦ ଏବଂ ଗୋପିନାଥ ମାଝୀଙ୍କୁ ପ୍ରସନ୍ନ ପଣ୍ଡା ସମ୍ମାନ ପ୍ରଦାନ କରାଯାଇଥିଲା । ମୁଖ୍ୟ ଅତିଥି ଏବଂ ଅନ୍ୟ ଅତିଥି ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ପ୍ରାରମ୍ଭିକ ଅଧିବେଶନରେ ପ୍ରାଧ୍ୟାପକ ତପନ କୁମାର ବାରିକ ଏବଂ ଦ୍ବିତୀୟ ଅଧିବେଶନରେ ସାମ୍ବାଦିକ ମେହବୁବ ମାହତାବ ସଂଯୋଜନା କରିଥିଲେ । ସାଂସଦ ପ୍ରତିନିଧି ରଘୁନନ୍ଦନ ପଣ୍ଡା ସଭାପତିତ୍ବ କରିଥିବା ବେଳେ ସାରଙ୍ଗଧର ମିଶ୍ର ସ୍ବାଗତ ଅଭିଭାଷଣ ଏବଂ ରତ୍ନାକର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ । ପ୍ରସନ୍ନ ପଣ୍ଡା ଆଇନ ମହାବିଦ୍ୟାଳୟ ଏବଂ ପ୍ରସନ୍ନ ପଣ୍ଡା ସ୍ମୃତି କମିଟିର ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅଜିତ ରଥ, ବିଜୟ ଦାସ, ଶତ୍ରୁଘ୍ନ ମେହେର ପ୍ରମୁଖ କାର୍ଯ୍ୟକ୍ରମରେ ସହାୟତା କରିଥିଲେ । ପ୍ରାରମ୍ଭରେ ପ୍ରସନ୍ନ ପଣ୍ଡାଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ ଏବଂ ଦୀପ ପ୍ରଜ୍ଜ୍ବଳନ କରାଯାଇଥିଲା । ସକାଳେ ବିଟିଏମ ବାଇପାସ ନିକଟରେ ପ୍ରସନ୍ନ ପଣ୍ଡାଙ୍କ ପ୍ରତିମୂର୍ତ୍ତିରେ ବିଧାୟିକା ଅଳକା ମହାନ୍ତି, ସିପିଆଇ ନେତା ଅନିତ ଚକ୍ରବର୍ତ୍ତୀ, ଶିକ୍ଷାବିତ ଅଭିରାମ ବିଶ୍ବାଳ, ସଂଗ୍ରାମ ରାଉତ, ଆଦିବାସୀ ସଂଗଠକ ମହେନ୍ଦ୍ର ନାୟକ, ବାବଲୁ ତ୍ରିପାଠୀ, ମିତ୍ରଭାନୁ ସାହୁ, ବିଜେପି ଯୁବନେତା ଟଙ୍କଧର ତ୍ରିପାଠୀ ପ୍ରମୁଖଙ୍କ ସମେତ ସିପିଆଇ, ବିଜେଡ଼ି, ବିଜେପି ଏବଂ କଂଗ୍ରେସ କର୍ମୀ ଏବଂ ନେତୃବର୍ଗ ପ୍ରସନ୍ନ ପଣ୍ଡାଙ୍କ ପ୍ରତିମୂର୍ତ୍ତରେ ମାଲ୍ୟାର୍ପଣ କରିଥିଲେ ।

Comments are closed.