କେନ୍ଦ୍ର ମନ୍ତ୍ରୀ ରାଣେଙ୍କୁ ଗିରଫ ପାଇଁ ନିର୍ଦ୍ଦେଶ ଜାରି, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କୁ ଶକ୍ତ ଚାପୁଡ଼ା ମାରିବି ବୋଲି କହିଥିଲେ

ନାଶିକ: ଜନ ଆଶୀର୍ବାଦ ଯାତ୍ରା ସମୟରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ଉପରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିବାରୁ କେନ୍ଦ୍ର ମନ୍ତ୍ରୀ ନାରାୟଣ ରାଣେଙ୍କୁ ଗିରଫ କରିବା ପାଇଁ ନିର୍ଦ୍ଦେଶ ଜାରି କରାଯାଇଛି। ନାଶିକ ପୋଲିସର କ୍ରାଇମ ବ୍ରାଞ୍ଚ ଦ୍ୱାରା ଏହି ନିର୍ଦ୍ଦେଶ ଦିଆଯାଇଛି। ନାରାୟଣ ରାଣେ ସିଏମ୍ ଉଦ୍ଧବଙ୍କୁ ଅପମାନିତ କରିଥିବା ଅଭିଯୋଗ ହୋଇଛି। ଏନେଇ ଶିବସେନା ପକ୍ଷରୁ ପୋଲିସ ନିକଟରେ ଅଭିଯୋଗ ରୁଜୁ ହୋଇଥିଲା। ନାଶିକ୍ କ୍ରାଇମ ବ୍ରାଞ୍ଚ ଚିପଲୁନ୍ ଯାଇ କେନ୍ଦ୍ର ମନ୍ତ୍ରୀ ନାରାୟଣ ରାଣେଙ୍କୁ ଗିରଫ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ସୋମବାର ରାୟଗଡ ଜିଲ୍ଲାର ବିଜେପିର ଜନ ଆଶୀର୍ବାଦ ଯାତ୍ରା ବେଳେ ଏକ ସଭାକୁ ସମ୍ବୋଧିତ କରିବାବେଳେ ରାଣେଙ୍କ ମନ୍ତବ୍ୟ ବିବାଦ ସୃଷ୍ଟି କରିଥିଲା। ନିକଟରେ ନରେନ୍ଦ୍ର ମୋଦି କ୍ୟାବିନେଟରେ ସାମିଲ ହୋଇଥିବା ଏହି ବିଜେପି ନେତା ତଥା ପୂର୍ବତନ ଶିବସେନା ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଠାକରେ ଅଗଷ୍ଟ ୧୫ରେ ରାଜ୍ୟବାସୀଙ୍କୁ ସମ୍ବୋଧିତ କରିବା ସମୟରେ ସ୍ବାଧୀନତାର ବର୍ଷ ଭୁଲି ଯାଇଥିଲେ ଏବଂ ଯଦି ସେ ସେଠାରେ ଉପସ୍ଥିତ ଥାନ୍ତେ ତେବେ ସେ ତାଙ୍କୁ ଏକ ଶକ୍ତ ଚାପୁଡ଼ା ମାରିଥାଆନ୍ତେ ।

Comments are closed.