ଚାରି ସପ୍ତାହ ପରେ ଜେଲରୁ ମୁକୁଳିଲେ ଆର୍ୟନ୍

ମୁମ୍ବାଇ: କ୍ରୁଜ ଡ୍ରଗ୍ସ ମାମଲାରେ ଗିରଫ ହେବାର ପ୍ରାୟ ଚାରି ସପ୍ତାହ ପରେ ବଲିଉଡ ଅଭିନେତା ଶାହରୁଖ ଖାନଙ୍କ ପୁଅ ଆଜି ଆର୍ୟନ ଖାନ ଆଜି ମୁମ୍ବାଇର ଆର୍ଥର ରୋଡ ଜେଲରୁ ମୁକ୍ତ ହୋଇଛନ୍ତି। ପୁଅକୁ ନେବାକୁ ଶାହାରୁଖ ନିଜେ ଆର୍ଥର ରୋଡ ଜେଲରେ ପହଞ୍ଚିଥିଲେ। ଆର୍ୟନଙ୍କୁ ସ୍ବାଗତ କରିବା ପାଇଁ ଶାହାରୁଖଙ୍କ ଘର ମନ୍ନତ ବାହାରେ ମଧ୍ୟ ବହୁ ସଂଖ୍ୟାରେ ଲୋକ ଜମା ହୋଇଛନ୍ତି | ଆର୍ୟନଙ୍କୁ ଅକ୍ଟୋବର ୨୮ରେ ବମ୍ବେ ହାଇକୋର୍ଟ ଜାମିନ ପ୍ରଦାନ କରିଥିଲେ । ତେବେ ଆଇନଗତ ଔପଚାରିକତା ପୂରଣରେ ବିଳମ୍ବ ଯୋଗୁଁ ଆର୍ୟନଙ୍କୁ ଆଉ ଦୁଇ ରାତି ଜେଲରେ କଟାଇବାକୁ ପଡ଼ିଥିଲା ।

ଆର୍ଥର ରୋଡ୍ ଜେଲ୍ ଅଧିକାରୀଙ୍କ କହିବାନୁସାରେ, ଆର୍ୟନ୍ ଖାନ୍ ତାଙ୍କ ମୁକ୍ତିରେ ବହୁତ ଖୁସି ଦେଖାଯାଉଥିଲେ | ସେ ଅନ୍ୟ କଏଦୀମାନଙ୍କ ସହ ସାକ୍ଷାତ କରି କଥା ହୋଇଥିଲେ ଏବଂ ସେମାନଙ୍କୁ ଆଲିଙ୍ଗନ ମଧ୍ୟ କରିଥିଲେ। ଏହାପୂର୍ବରୁ ଆର୍ଯ୍ୟନ ଅଧିକାରୀମାନଙ୍କୁ ମୁକ୍ତ କରିବାର ସମୟ ପଚାରିଥିଲେ। ଅକ୍ଟୋବର ୨ରେ କ୍ରୁଜ୍ ଜାହାଜରେ ଡ୍ରଗ୍ସ ପାର୍ଟି ଉପରେ ରେଡ୍ ପରେ ଆର୍ଯ୍ୟନଙ୍କ ସମେତ ୨୦ ଜଣଙ୍କୁ ଏନସିବି ଗିରଫ କରିଥିଲା |

ଆର୍ୟନ ଖାନ ଜାମିନ ପାଇଥିଲେ ମଧ୍ୟ କୋର୍ଟ ତାଙ୍କ ପାଇଁ କିଛି ସର୍ତ୍ତ ରଖିଛନ୍ତି। ଏହି ସବୁ ସର୍ତ୍ତ ଆର୍ୟନଙ୍କୁ ପାଳନ କରିବାକୁ ପଡ଼ିବ ‌। ସର୍ତ୍ତ ଉଲ୍ଲଂଘନ କଲେ ତାଙ୍କ ଜାମିନ ରଦ୍ଦ ହୋଇପାରେ ।

ଆର୍ୟନ ତଦନ୍ତ ଅଧିକାରୀଙ୍କୁ ନ ଜଣାଇ ମୁମ୍ବାଇ ଛାଡି ପାରିବେ ନାହିଁ। ଏ‌ହାଛଡା ପ୍ରତି ଶୁକ୍ରବାର ଦିନ ୧୧ ଟାରୁ ୨ ଟା ମଧ୍ୟରେ ଏନସିବି କାର୍ଯ୍ୟାଳୟରେ ହାଜିରା ପକାଇବାକୁ ପଡିବ | ଅନ୍ୟ କୌଣସି ଅଭିଯୁକ୍ତଙ୍କ ସହ ଯୋଗାଯୋଗ କରିବାକୁ ପଡିବ ନାହିଁ | ସେ ତଦନ୍ତ ସହ ଜଡିତ କୌଣସି କଥା ଗଣମାଧ୍ୟମ କିମ୍ବା ସୋସିଆଲ ମିଡିଆରେ ସେୟାର କରାଯାଇପାରିବ ନାହିଁ | ଆର୍ଯ୍ୟନଙ୍କୁ ତାଙ୍କ ପାସପୋର୍ଟକୁ ସ୍ୱତନ୍ତ୍ର ଏନଡିପିଏସ କୋର୍ଟରେ ଦାଖଲ କରିବାକୁ ପଡିବ।
କୋର୍ଟଙ୍କ ଅନୁମତି ବିନା ଦେଶ ବାହାରକୁ ଯାଇପାରିବେ ନାହିଁ |

ଯଦି କୌଣସି ସର୍ତ୍ତ ଉଲ୍ଲଂଘନ ହୁଏ, ତେବେ ଆର୍ୟନଙ୍କ ଜାମିନ ରଦ୍ଦ କରିବାକୁ ଏନସିବି ଆବେଦନ କରିପାରିବ ।

Comments are closed.