କଂଗ୍ରେସ ସଭାପତି ରେସରେ ନାହାଁନ୍ତି ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ: ଏଥର ଗାନ୍ଧୀ ପରିବାରର କେହି ସଦସ୍ୟ କଂଗ୍ରେସ ସଭାପତି ପଦ ପାଇଁ ନିର୍ବାଚନ ଲଢ଼ିବେ ନାହିଁ । ଏହି ପଦ ଦୌଡ଼ରେ ସବୁଠୁ ଆଗରେ ଥିବା ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ୍ ଶୁକ୍ରବାର ଏହା ସ୍ପଷ୍ଟ କରିଛନ୍ତି ।

ଅଶୋକ ଗେହଲୋଟ୍ ‘ଭାରତ ଯୋଡୋ ଯାତ୍ରା’ରେ ବ୍ୟସ୍ତ ଥିବା ରାହୁଲ ଗାନ୍ଧୀଙ୍କୁ କେରଳରେ ଭେଟିଛନ୍ତି । ଗଣମାଧ୍ୟମକୁ ଗେହଲୋଟ୍ କହିଛନ୍ତି, ‘ସେ ପୁଣିଥରେ କଂଗ୍ରେସ ସଭାପତି ହୁଅନ୍ତୁ ବୋଲି ମୁଁ ରାହୁଲଜୀଙ୍କୁ ଅନେକ ଥର ଅନୁରୋଧ କରିଥିଲି । କିନ୍ତୁ ଗାନ୍ଧୀ ପରିବାରର କେହି ସଦସ୍ୟ ଦଳର ପରବର୍ତ୍ତୀ ମୁଖ୍ୟ ହେବେ ନାହିଁ ବୋଲି ରାହୁଲ ମୋତେ କହିଛନ୍ତି । ଏକ କାରଣ ପାଇଁ ଏଥର ଜଣେ ଅଣ-ଗାନ୍ଧୀଙ୍କୁ କଂଗ୍ରେସ ସଭାପତି ଭାବରେ ନିଯୁକ୍ତ କରାଯିବା ଉଚିତ ବୋଲି ରାହୁଲ ମୋତେ କହିଛନ୍ତି ।

କଂଗ୍ରେସ ସଭାପତି ପଦ ପାଇଁ ଅଶୋକ ଗେହଲୋଟ୍ ଗାନ୍ଧୀ ପରିବାରର ମୁଖ୍ୟ ପସନ୍ଦ ବୋଲି ଚର୍ଚ୍ଚା ହେଉଛି । ତେବେ ଅଶୋକ ଗେହଲୋଟ୍ ରାଜସ୍ଥାନର ମୁଖ୍ୟମନ୍ତ୍ରୀ ପଦ ଛାଡିବାକୁ ପ୍ରସ୍ତୁତ ନୁହଁନ୍ତି। ସେ କହିଥିଲେ ଯେ ସେ ଉଭୟ ଦାୟିତ୍ବ ସମ୍ଭାଳି ପାରିବେ। କିନ୍ତୁ ଗୁରୁବାର ରାହୁଲ ଗାନ୍ଧୀଙ୍କ ସ୍ପଷ୍ଟୋକ୍ତି ପରେ ଗେହଲୋଟଙ୍କ ସ୍ୱପ୍ନ ମଉଳି ଯାଇଛି ।

ରାହୁଲ ଗାନ୍ଧୀ ଗୁରୁବାର ଗଣମାଧ୍ୟମକୁ କହିଥିଲେ ଯେ ଉଦୟପୁର ଚିନ୍ତନ ଶିବିରରେ ଗୃହୀତ “ଏକ ବ୍ୟକ୍ତି, ଏକ ପଦ” ସଂକଳ୍ପ ପ୍ରତି କଂଗ୍ରେସ ପ୍ରତିବଦ୍ଧ। ତେଣୁ ମୁଁ ଆଶା କରୁଛି ଏହି ପ୍ରତିବଦ୍ଧତା ବଜାୟ ରହିବ।

କ୍ରମାଗତ ନିର୍ବାଚନରେ ପରାଜୟ ଏବଂ ନେତୃତ୍ବ ଉପରେ ପ୍ରଶ୍ନ ଉଠିବା ପରେ ଗାନ୍ଧୀ ପରିବାର ଦଳର ମୁଖ୍ୟ ପଦରୁ ଏଥର ଦୂରେଇ ରହିବାକୁ ନିଷ୍ପତ୍ତି ନେଇଛନ୍ତି ।

କଂଗ୍ରେସ ସଭାପତି ପଦ ପାଇଁ ଅଶୋକ ଗେହଲୋଟ୍ ସୋମବାର ନାମାଙ୍କନ ପତ୍ର ଦାଖଲ କରିପାରନ୍ତି। ପ୍ରଥମେ କଂଗ୍ରେସ ସାଂସଦ ଶଶି ଥରୁର ଏହି ପଦ ପାଇଁ ନିର୍ବାଚନ ଲଢ଼ିବାକୁ ଇଚ୍ଛା ପ୍ରକାଶ କରିଥିଲେ ।

ଏହି ଦୌଡ଼ରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ମନୀଷ ତିୱାରୀଙ୍କ ସହ ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କମଲ ନାଥ ଓ ଦିଗବିଜୟ ସିଂହ ମଧ୍ୟ ସାମିଲ ହେବା ସମ୍ଭାବନା ରହିଛି।

Comments are closed.