ଟି-୨୦ ବିଶ୍ୱକପ: ପାକିସ୍ତାନକୁ ହରାଇ ଫାଇନାଲରେ ଅଷ୍ଟ୍ରେଲିଆ

ଦୁବାଇ: ଟି୨୦ ବିଶ୍ୱକପରେ ଗୁରୁବାର ରୋମାଞ୍ଚକ ଦ୍ୱିତୀୟ ସେମିଫାଇନାଲରେ ପାକିସ୍ତାନକୁ ୫ ୱିକେଟରେ ହରାଇ ଅଷ୍ଟ୍ରେଲିଆ ଫାଇନାଲକୁ ଉନ୍ନୀତ ହୋଇଛି । ଏହି ସଂଘର୍ଷପୂର୍ଣ୍ଣ ସେମିରେ ପାକିସ୍ତାନ ପ୍ରଥମେ ବ୍ୟାଟିଂ ଆମନ୍ତ୍ରିତ ହେବା ପରେ ମହମ୍ମଦ ରିଜୱାନଙ୍କ ଅର୍ଦ୍ଧଶତକ ସହାୟତାରେ ୪ ୱିକେଟ୍ ହରାଇ ୧୭୬ ରନର ଚ୍ୟାଲେଞ୍ଜିଂ ସ୍କୋର କରିଥିଲା । ଏହାର ଜବାବରେ ଅଷ୍ଟ୍ରେଲିଆ ଏକଦା ୯୬ ରନରେ ୫ ୱିକେଟ୍ ହରାଇ ସଙ୍କଟରେ ପଡିଥିଲା । ହେଲେ ମାର୍କସ ଷ୍ଟୋଇନିସ୍ ଓ ମାଥ୍ୟୁ ୱେଡ୍ ଷଷ୍ଠ ୱିକେଟରେ ଅପରାଜିତ ୮୧ ରନ ଭାଗିଦାରୀ ସହ ଅଷ୍ଟ୍ରେଲିଆକୁ ବିଜୟ ଦେଇଥିଲେ । ଅଷ୍ଟ୍ରେଲିଆ ଗୋଟିଏ ଓଭର ବାକିଥାଇ ବିଜୟଲକ୍ଷ୍ୟ ହାସଲ କରିନେଇଥିଲା । ପାକିସ୍ତାନର ଶ୍ରେଷ୍ଠ ବୋଲର ଶାହୀନ ଶାହା ଆଫ୍ରିଦିଙ୍କ ୧୯ତମ ଓଭରରେ ମାଥ୍ୟୁ ୱେଡ୍ ୨ଟି ଛକା ମାରି ପାକିସ୍ତାନର ଆଶା ଧୂଳିସାତ୍ କରିଦେଇଥଲେ । ୱେଡ୍ ମାତ୍ର ୧୭ ବଲରେ ୨ଟି ଚୌକା ଓ ୪ଟି ଛକା ସହ ଅପରାଜିତ ୪୧ ରନ୍ କରିଥିବା ବେଳେ ଷ୍ଟୋଇନିସ୍ ୩୧ ବଲରେ ୨ଟି ଚୌକା ଓ ସମାନ ସଂଖ୍ୟକ ଛକା ସହ ୪୦ ରନ୍ କରି ନଟ୍ ଆଉଟ୍ ରହିଥିଲେ । ଏହି ଦୁହିଁଙ୍କ ବ୍ୟତୀତ ଡେଭିଡ୍ ୱାର୍ଣ୍ଣର ୪୯ ରନର ଗୁରୁତ୍ୱପୂର୍ଣ୍ଣ ପାଳିି ଖେଳିଥିଲେ । ୱେଡ୍ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଥିଲେ । ରବିବାର ଖେଳାଯିବାକୁ ଥିବା ଫାଇନାଲରେ ଅଷ୍ଟ୍ରେଲିଆ ଚିରାଚରିତ ପ୍ରତିଦ୍ୱନ୍ଦ୍ୱୀ ତଥା ପଡେଶୀ ନ୍ୟୁଜିଲାଣ୍ଡକୁ ଭେଟିବ । ଏଥର ଟି୨୦ ବିଶ୍ୱକପରେ ଏକ ନୂଆ ଚାମ୍ପିୟନକୁ ଦେଖିବାକୁ ମିଳିବ ।
ପୂର୍ବରୁ ଅଷ୍ଟ୍ରେଲିଆ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଆମନ୍ତ୍ରଣ ପାଇ ବ୍ୟାଟିଂ କରିଥିବା ପାକିସ୍ତାନକୁ ଭଲ ଷ୍ଟାର୍ଟ ଦେଇଥିଲେ ଦୁଇ ଓପ୍ନର ରିଜୱାନ୍ ଓ ବାବର ଆଜମ। ଦୁହେଁ ୧୦ ଓଭରରେ ୭୧ ରନର ଭାଗିଦାରୀ କରିଥିଲେ। ଏହାରି ଭିତରେ ରିଜୱାନ୍ କିଛି ଜୀବନଦାନ ମଧ୍ୟ ପାଇଥିଲେ। ଯାହାର ସେ ଫାଇଦା ଉଠାଇଥିଲେ।

ଇନ୍ ଫର୍ମ ବାବରଙ୍କୁ ଆଉଟ୍ କରିଥିଲେ ଆଡାମ ଜାମ୍ପା। ବାବର ୩୪ ବଲରେ ୫ ଚୌକା ସହ ୩୯ ରନ୍ କରିଥିଲେ। ଏହା ପରେ ରିଜୱାନଙ୍କୁ ଭରପୂର ସାଥ୍ ଦେଇଥିଲେ ଫଖର। ଦୁହେଁ ରନ୍ ଗତିକୁ ବଢ଼ାଇ ସହ ଦଳକୁ ବଡ଼ ସ୍କୋର ଅଭିମୁଖେ ନେଇଥିଲେ। ରିଜୱାନ୍ ୪୧ ବଲରେ ନିଜର ଅର୍ଦ୍ଧଶତକ ପୂରଣ କରିଥିଲେ। ରିଜୱାନ୍ ଓ ଫଖର ଦ୍ୱିତୀୟ ୱିକେଟ୍ ପାଇଁ ୭୨ ରନ୍ ଯୋଡ଼ିଥିଲେ। ରିଜୱାନ୍ ୫୨ ବଲରେ ୩ ଚୌକା ଓ ୪ ଛକା ସହ ୬୭ ରନ୍ କରି ଷ୍ଟାର୍କଙ୍କ ଶିକାର ହୋଇଥିଲେ।

ରିଜୱାନଙ୍କ ଆଉଟ୍ ପରେ ଫଖର ଧୂଆଁଧାର ବ୍ୟାଟିଂ କରି ପାକିସ୍ତାନକୁ ୧୭୬ ରନରେ ପହଞ୍ଚାଇଥିଲେ। ତେବେ ଆସିଫ୍ ଅଲୀ (୦) ଓ ଶୋଏବ ମଲିକ୍ (୧) ନିରାଶ କରିଥିଲେ। ଶେଷ ଓଭରରେ ଷ୍ଟାର୍କଙ୍କୁ ଛକା ମାରି ଫଖର ନିଜର ଅର୍ଦ୍ଧଶତକ ପୂରଣ କରିଥିଲେ। ସେ ୩୨ ବଲରେ ୩ ଚୌକା ଓ ୪ ଛକା ସହ ୫୫ ରନ୍ କରି ଅପରାଜିତ ଥିଲେ। ଅଷ୍ଟ୍ରେଲିଆ ପକ୍ଷରୁ ଷ୍ଟାର୍କ ୨ଟି, ଜାମ୍ପା ଓ କମିନ୍ସ ଗୋଟିଏ ଲେଖାଏ ୱିକେଟ୍ ହାସଲ କରିଥିଲେ।

Comments are closed.