ବିନା ଅନୁମତିରେ ବିଧାୟକଙ୍କ ବିରୋଧରେ ଚାର୍ଜସିଟ୍‌; ଇଡି, ସିବିଆଇକୁ ପଶ୍ଚିମବଙ୍ଗ ବିଧାନସଭା ବାଚସ୍ପତିଙ୍କ ସମନ

କୋଲକାତା: ବିଭିନ୍ନ ମାମଲାରେ ରାଜ୍ୟର ବିଧାୟକ ମାନଙ୍କ ବିରୋଧରେ ଚାର୍ଜସିଟ୍ ନେଇ ପଶ୍ଚିମବଙ୍ଗ ବିଧାନସଭାର ବାଚସ୍ପତି ବିମନ ବନ୍ଦୋପାଧ୍ୟାୟ ସିବିଆଇ ଓ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ର ବରିଷ୍ଠ ଅଧିକାରୀଙ୍କୁ ସେପ୍ଟେମ୍ବର ୨୨ରେ ହାଜର ହେବା ପାଇଁ ସମନ କରିଛନ୍ତି ।

ବନ୍ଦୋପାଧ୍ୟାୟ କହିଛନ୍ତି ଯେ ମୋର ବିନା ଅନୁମତିରେ ଏହି ଦୁଇ କେନ୍ଦ୍ରୀୟ ସଂସ୍ଥା ରାଜ୍ୟର ବିଧାୟକ ମାନଙ୍କ ବିରୋଧରେ ବିଭିନ୍ନ ମାମଲାରେ ଚାର୍ଜସିଟ୍ ଦାଖଲ କରିଛି । ଏନେଇ ସେମାନଙ୍କୁ କାରଣ ଦର୍ଶାଇବାକୁ କୁହାଯାଇଛି । ସେପ୍ଟେମ୍ବର ୨୨ରେ ସେମାନଙ୍କୁ ହାଜର ହୋଇ ଏନେଇ ସ୍ପଷ୍ଟୀକରଣ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ନାରଦ ଷ୍ଟିଙ୍ଗ୍ ଓ ଚିଟ୍‌ଫଣ୍ଡ୍ ଦୁର୍ନୀତି ନେଇ ନିକଟରେ ସିବିଆଇ ଏବଂ ଇଡି ପକ୍ଷରୁ ରାଜ୍ୟର ଅନେକ ବିଧାୟକ ଏବଂ ମମତା ସରକାରର ମନ୍ତ୍ରୀଙ୍କୁ ସମାନ କରାଯିବା ସେମାନଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କରାଯାଇଛି । ଶାସକ ତୃଣମୂଳ କଂଗ୍ରେସର ଦୁଇ ନେତା ଶୁଖେନ୍ଦୁ ଶେଖର ରୟ ଏବଂ କୁନାଲ ଘୋଷ କହିଛନ୍ତି ଯେ, ସାଂସଦ ମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପୂର୍ବରୁ ସିବିଆଇ ଏବଂ ଇଡି ଭଳି କେନ୍ଦ୍ରୀୟ ସଂସ୍ଥା ଲୋକସଭା ବାଚସ୍ପତିଙ୍କ ଅନୁମତି ନେଇଥାନ୍ତି । କିନ୍ତୁ ପଶ୍ଚିମବଙ୍ଗ ବିଧାୟକଙ୍କ କ୍ଷେତ୍ରରେ ମାମଲା ରୁଜୁ କରିବା ପୂର୍ବରୁ ରାଜ୍ୟ ବାଚସ୍ପତିଙ୍କ ଅନୁମତି କାହିଁକି ନେଉନାହାନ୍ତି ବୋଲି ସେମାନେ ପ୍ରଶ୍ନ କରିଛନ୍ତି ।

ପ୍ରଟୋକୋଲ ଅନୁଯାୟୀ କୌଣସି ସାଂସଦ, ବିଧାୟକ ଏବଂ ବିଧାନ ପରିଷଦ ସଦସ୍ୟଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବା ପୂର୍ବରୁ ସମ୍ପୃକ୍ତ ଗୃହର ବାଚସ୍ପତି କିମ୍ବା ଅଧ୍ୟକ୍ଷଙ୍କ ଅନୁମତି ନିଆଯିବା ଉଚିତ ।

Comments are closed.