ସହିଦ୍ ଭଗତ ସିଂହଙ୍କ ଗାଁରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଭଗଓ୍ବନ୍ତ ସିଂ ମାନ

ଚଣ୍ଡିଗଡ଼: ଆଜିଠାରୁ ପଞ୍ଜାବର ରାଜନୀତିରେ ଏକ ନୂଆ ଅଧ୍ୟାୟ ଆରମ୍ଭ ହୋଇଛି। ସ୍ୱାଧୀନତା ସଂଗ୍ରାମୀ ସହିଦ ଭଗତ ସିଂହଙ୍କ ଗାଁ ଖଟକର କଲାନରେ ପଞ୍ଜାବର ୧୭ ତମ ମୁଖ୍ୟମନ୍ତ୍ରୀ ଭାବରେ ଭଗଓ୍ବନ୍ତ ସିଂ ମାନ ଶପଥ ଗ୍ରହଣ କରିଛନ୍ତି। ରାଜ୍ୟପାଳ ବନୱାରୀ ଲାଲ ପୁରୋହିତ ମାନଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ। ଶପଥ ନେବା ପରେ ଭଗଓ୍ବନ୍ତ ସିଂ ମାନ ରାଜ୍ୟବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସେ କହିଛନ୍ତି ଯେ ଭଗତ ସିଂହ ଯେଉଁ ଲଢେ଼ଇ କରିଥିଲେ ଆମ୍ ଆଦମୀ ପାର୍ଟି ମଧ୍ୟ ତାହା କରୁଛି। ନୂଆ ମୁଖ୍ୟମନ୍ତ୍ରୀ ମାନ୍ କହିଛନ୍ତି ଯେ ଏହି ଆନ୍ଦୋଳନରୁ ଜନ୍ମ ହୋଇଥିବା ଦଳ ଦେଶରେ ପରିବର୍ତ୍ତନ ଆଣିଛି। ସେ କହିଛନ୍ତି ପଞ୍ଜାବର ସ୍କୁଲ ଓ କଲେଜଗୁଡ଼ିକର ଉନ୍ନତି ହେବ | ଆମେ ଦିଲ୍ଲୀ ମଡେଲ୍ ଅନୁଯାୟୀ ପଞ୍ଜାବର ବିକାଶ କରିବୁ।

ଏହି ଅବସରରେ ଆମ୍ ଆଦମୀ ପାର୍ଟିର ଜାତୀୟ ସଂଯୋଜକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ମଧ୍ୟ ଉପସ୍ଥିତ ଥିଲେ। ଭଗଓ୍ବନ୍ତ ସିଂ ମାନଙ୍କ ଶପଥ ଗ୍ରହଣ ଉତ୍ସବରେ ଲକ୍ଷ ଲକ୍ଷ ଲୋକ ପହଞ୍ଚିଥିଲେ। ଶପଥ ଗ୍ରହଣର ଠିକ୍ ପୂର୍ବରୁ ଭଗଓ୍ବନ୍ତ ମାନ ଟ୍ୱିଟ୍ କରି କହିଥିଲେ – ସୂର୍ଯ୍ୟଙ୍କ ସ୍ବର୍ଣ୍ଣିମ କିରଣ ଆଜି ଏକ ନୂଆ ସକାଳ ଆଣିଛି। ସହିଦ ଭଗତ ସିଂହ ଏବଂ ବାବା ସାହେବଙ୍କ ସ୍ୱପ୍ନକୁ ସାକାର କରିବା ପାଇଁ ପୁରା ପଞ୍ଜାବ ଆଜି ଖଟକର କଲାନରେ ଶପଥ ନେବ। ସହିଦ ଭଗତ ସିଂହଜୀଙ୍କର ବିଚାର ଧାରାକୁ ଜଗିବା ପାଇଁ ମୁଁ ତାଙ୍କ ଜନ୍ମ ମାଟି ଖଟକର କଲାନକୁ ଯାଉଛି |”

ଭଗଓ୍ବନ୍ତ ସିଂ ମାନ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବା ପୂର୍ବରୁ ଆମ୍ ଆଦମୀ ପାର୍ଟିର ସଂଯୋଜକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ମଧ୍ୟ ଟ୍ୱିଟ କରି କହିଥିଲେ, “ପଞ୍ଜାବ ପାଇଁ ଆଜି ଏକ ବଡ଼ ଦିନ। ନୂତନ ଆଶାର ଏହି ସ୍ବର୍ଣ୍ଣିମ ସକାଳରେ, ଆଜି ପୁରା ପଞ୍ଜାବ ଏକାଠି ହୋଇ ଏକ ସମୃଦ୍ଧ ପଞ୍ଜାବ ପାଇଁ ଶପଥ ନେବେ | ସେହି ଐତିହାସିକ ମୁହୂର୍ତ୍ତର ସାକ୍ଷୀ ହେବା ପାଇଁ ମୁଁ ସହିଦ୍ ଭଗତ ସିଂହଙ୍କ ପୈତୃକ ଗାଁ ଖଟକର କାଲାନ ଅଭିମୁଖେ ବାହାରିଛି ।

ଏହା ପୂର୍ବରୁ ଶପଥ ଗ୍ରହଣ ସମାରୋହ ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା। ଭଗଓ୍ବନ୍ତ ସିଂ ମାନ ଆଜି ଏକା ଶପଥ ନେଇଛନ୍ତି। ପଞ୍ଜାବ କ୍ୟାବିନେଟରେ ମୁଖ୍ୟମନ୍ତ୍ରୀଙ୍କ ସମେତ ୧୮ ଜଣ ମନ୍ତ୍ରୀ ସାମିଲ ହେବେ ବୋଲି ମନେ କରାଯାଉଛି । ପଞ୍ଜାବ ବିଧାନସଭା ନିର୍ବାଚନରେ ୧୧୭ ଟି ସିଟ୍ ମଧ୍ୟରୁ ଆପ୍ ୯୨ ଟି ସିଟ୍ ଜିତିଥିଲା। ପଞ୍ଜାବର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବା ପୂର୍ବରୁ ଭଗଓ୍ବନ୍ତ ସିଂ ମାନ ଶପଥ ଗ୍ରହଣ ସମାରୋହରେ ଯୋଗଦେବାକୁ ରାଜ୍ୟବାସୀଙ୍କୁ ନିମନ୍ତ୍ରଣ କରିଥିଲେ।

Comments are closed.