ଅଙ୍କିତା ଭଣ୍ଡାରୀ ହତ୍ୟା ମାମଲା: ଅଭିଯୁକ୍ତଙ୍କ ବାପା ଓ ଭାଇ ବିଜେପିରୁ ବହିଷ୍କୃତ

ରିଷିକେଶ: ଅଙ୍କିତା ଭଣ୍ଡାରୀ ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ପୁଲକିତ ଆର୍ଯ୍ୟଙ୍କ ବାପା ତଥା ପୂର୍ବତନ ମନ୍ତ୍ରୀ ବିନୋଦ ଆର୍ଯ୍ୟ ଏବଂ ଭାଇ ଅଙ୍କିତ ଆର୍ଯ୍ୟ ବିଜେପିରୁ ବହିଷ୍କୃତ ହୋଇଛନ୍ତି ।

ଏହାପୂର୍ବରୁ ରାଜ୍ୟ ସରକାର ଅଙ୍କିତ ଆର୍ଯ୍ୟଙ୍କୁ ଉତ୍ତରାଖଣ୍ଡର ଓବିସି ଆୟୋଗର ଉପାଧ୍ୟକ୍ଷ ପଦରୁ ହଟାଇ ଦେଇଥିଲେ ।

ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି ଟ୍ୱିଟରରେ ଏହି ଦୁଇଟି ନିଷ୍ପତ୍ତି ବିଷୟରେ ସୂଚନା ଦେଇଛନ୍ତି।

ସେ କହିଛନ୍ତି, “ଅଙ୍କିତା ହତ୍ୟା ମାମଲାରେ ଆମେ ମୁଖ୍ୟ ଅଭିଯୁକ୍ତ ପୁଲକିତ ଆର୍ଯ୍ୟଙ୍କ ଭାଇ ଅଙ୍କିତ ଆର୍ଯ୍ୟଙ୍କୁ ତତ୍କାଳ ପଛୁଆ ବର୍ଗ ଆୟୋଗର ଉପାଧ୍ୟକ୍ଷ ପଦରୁ ହଟାଇଛୁ। ଏହା ସହିତ ଅଙ୍କିତ ଆର୍ଯ୍ୟ ଏବଂ ତାଙ୍କ ପିତା ବିନୋଦ ଆର୍ଯ୍ୟଙ୍କୁ ବିଜେପିରୁ ବହିଷ୍କାର କରାଯାଇଛି।

ଅନ୍ୟପକ୍ଷରେ ରିଷିକେଶରେ ଅଙ୍କିତାଙ୍କ ମୃତ୍ୟୁକୁ ନେଇ ଲୋକଙ୍କ ବିକ୍ଷୋଭ ଉଗ୍ରରୂପ ନେଇଛି । ଉତକ୍ଷିପ୍ତ ଲୋକେ ଅଭିଯୁକ୍ତ ପୁଲକିତ ଆର୍ଯ୍ୟଙ୍କ ରିସର୍ଟରେ ନିଆଁ ଲଗାଇ ଦେଇଛନ୍ତି । ଏହି ରିସର୍ଟରେ ଅଙ୍କିତା ଭଣ୍ଡାରୀ ରିସେପ୍ସନିଷ୍ଟ ଭାବେ କାର୍ଯ୍ୟ କରୁଥିଲେ ।

ଅଙ୍କିତାଙ୍କୁ ତାଙ୍କ ରିସର୍ଟକୁ ଆସୁଥିବା ଗ୍ରାହକଙ୍କ ସହ ଶାରୀରିକ ସମ୍ପର୍କ ରଖିବାକୁ ପୁଲକିତ ଚାପ ପକାଉଥିଲେ । ଅଙ୍କିତା ଏପରି କରିବାକୁ ମନା କରିଥିଲେ ଏବଂ ତାଙ୍କର ଏଭଳି ପ୍ରସ୍ତାବକୁ ସେ ସାର୍ବଜନୀନ କରିଦେବେ ବୋଲି ପୁଲକିତଙ୍କୁ ଚେତାବନୀ ଦେଇଥିଲେ । ଏଥିପାଇଁ ଅଙ୍କିତାଙ୍କୁ ସେ ଗଙ୍ଗା ନଦୀକୁ ଠେଲି ହତ୍ୟା କରିଥିଲେ ବୋଲି ପୁଲକିତ ପୋଲିସ ଆଗରେ ସ୍ବୀକାର କରିଥିଲେ ।

ଅଙ୍କିତା ଭଣ୍ଡାରୀଙ୍କ ହତ୍ୟା ମାମଲାରେ ରାଜ୍ୟ ପୋଲିସ ଏପର୍ଯ୍ୟନ୍ତ ପୁଲକିତ ଆର୍ଯ୍ୟଙ୍କ ସମେତ ତିନି ଜଣଙ୍କୁ ଗିରଫ କରିଛି।

ଅଙ୍କିତା ଭଣ୍ଡାରୀଙ୍କ ହତ୍ୟାକାଣ୍ଡକୁ ନେଇ ରିଷିକେଶରେ ଲୋକମାନେ ସ୍ଥାନୀୟ ବିଜେପି ବିଧାୟକ ରେଣୁ ବିଶ୍ବାସଙ୍କ ଉପରେ ମଧ୍ୟ ରାଗ ଶୁଝାଇଛନ୍ତି । ଲୋକେ ତାଙ୍କ କାର୍ ଭଙ୍ଗାରୁଜା କରିବା ସହ ପୋଲିସ ଉପସ୍ଥିତିରେ ବିଧାୟକଙ୍କୁ ଟଣା ଓଟରା ମଧ୍ୟ କରିଛନ୍ତି ‌।

Comments are closed.