କୁସ୍ତିଯୋଦ୍ଧାଙ୍କୁ ମିଳିଲା ବିଜେପି ସାଂସଦଙ୍କ ସମର୍ଥନ

ନୂଆଦିଲ୍ଲୀ: ଭାରତୀୟ କୁସ୍ତି ମହାସଂଘ (ଡବ୍ଲୁଏଫ୍ଆଇ) ମୁଖ୍ୟ ବ୍ରିଜଭୂଷଣ ଶରଣ ସିଂହଙ୍କ ଗିରଫ ଦାବିରେ କୁସ୍ତିଯୋଦ୍ଧାଙ୍କ ଆନ୍ଦୋଳନ ନେଇ କେନ୍ଦ୍ରର ଶାସକ ଦଳ ବିଜେପି ନିରବ ରହିଛି ‌‌। ହେଲେ ନିଜ ଦଳର ଲାଇନରୁ ହଟି ମହାରାଷ୍ଟ୍ରର ବିଜେପି ସାଂସଦ ପ୍ରୀତମ ମୁଣ୍ଡେ କୁସ୍ତିଯୋଦ୍ଧାଙ୍କୁ ସମର୍ଥନ କରିଛନ୍ତି । କୁସ୍ତିଯୋଦ୍ଧାଙ୍କ ଅଭିଯୋଗକୁ ଗମ୍ଭୀରତାର ସହ ନିଆଯିବା ଉଚିତ ବୋଲି କହିଛନ୍ତି ପ୍ରୀତମ ‌।

କୁସ୍ତିଯୋଦ୍ଧାଙ୍କ ଆନ୍ଦୋଳନ ନେଇ ସାମ୍ବାଦିକମାନଙ୍କ ପ୍ରଶ୍ନରେ ପ୍ରୀତମ ମୁଣ୍ଡେ କହିଛନ୍ତି ଯେ ଏହି ମାମଲାରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ସେ ଆଶାବାଦୀ ଅଛନ୍ତି।  ମୁଣ୍ଡେ କହିଛନ୍ତି, “ମୁଁ ଜଣେ ସାଂସଦ ଭାବେ ନୁହେଁ, ବରଂ ଜଣେ ମହିଳା ଭାବେ କହୁଛି, ଯଦି ଜଣେ ମହିଳାଙ୍କଠାରୁ ଏପରି ଅଭିଯୋଗ ଆସେ ତେବେ ଏହାକୁ ବିଚାରକୁ ନିଆଯିବା ଉଚିତ। ଏହାର ତଦନ୍ତ କରାଯିବା ଉଚିତ।” ତଦନ୍ତ ପରେ ଏହା ଉଚିତ କି ଅନୁଚିତ ତାହା କର୍ତ୍ତୃପକ୍ଷ ନିଷ୍ପତ୍ତି ନେବେ । ଯଦି ଏହି ମାମଲାରେ କାର୍ଯ୍ୟାନୁଷ୍ଠାନ ନ ହୁଏ ତେବେ ଏହାକୁ ଗଣତନ୍ତ୍ରରେ ସ୍ୱାଗତ କରାଯିବ ନାହିଁ।

ମୁଣ୍ଡେ କହିଛନ୍ତି, ଭାରତୀୟ କୁସ୍ତି ମହାସଂଘ ମୁଖ୍ୟଙ୍କ ବିରୋଧରେ ଅଧାପନ୍ତରିଆ ତଦନ୍ତ ନେଇ ବିଶ୍ବ ରେସଲିଂ ସଂସ୍ଥା ‘ୟୁନାଇଟେଡ୍ ୱାର୍ଲ୍ଡ ରେସଲିଂ (ୟୁଡବ୍ଲୁଡବ୍ଲୁ)’ ଅସନ୍ତୋଷ ପ୍ରକାଶ କରିଛି । ଏହାଛଡ଼ା ୪୫ ଦିନ ମଧ୍ୟରେ ଯଦି ନିର୍ବାଚନ ନହୁଏ ତେବେ ଭାରତୀୟ କୁସ୍ତି ମହାସଂଘକୁ ବାସନ୍ଦ କରିବାକୁ ଧମକ ଦେଇଛି।  ଏହା ନିରାଶାଜନକ ବୋଲି ସେ କହିଛନ୍ତି।

ପ୍ରୀତମ ମୁଣ୍ଡେଙ୍କ ପୂର୍ବରୁ ହରିୟାଣାର ବିଜେପି ସାଂସଦ ବ୍ରିଜେନ୍ଦ୍ର ସିଂ ମଧ୍ୟ କୁସ୍ତିଯୋଦ୍ଧାମାନଙ୍କୁ ସମର୍ଥନ ଜଣାଇଥିଲେ । କୁସ୍ତିଯୋଦ୍ଧାଙ୍କ ବିକ୍ଷୋଭକୁ ସେ ‘ହୃଦୟ ବିଦାରକ’ ବୋଲି କହିଥିଲେ । କାରଣ କୁସ୍ତିଯୋଦ୍ଧାମାନେ ଗଙ୍ଗା ନଦୀରେ ପଦକ ବିସର୍ଜନ କରିବାକୁ ଧମକ ଦେଇଥିଲେ।

Comments are closed.