ଡବ୍ଲୁଟିସି ଫାଇନାଲ ପୂର୍ବରୁ ଉନ୍ମୋଚିତ ହେଲା ଟିମ୍ ଇଣ୍ଡିଆର ନୂଆ ଜର୍ସି

ମୁମ୍ବାଇ: ଅଷ୍ଟ୍ରେଲିଆ ବିପକ୍ଷ ବିଶ୍ୱ ଟେଷ୍ଟ ଚାମ୍ପିୟନସିପ୍ (ଡବ୍ଲୁଟିସି) ଫାଇନାଲ ପୂର୍ବରୁ ଭାରତୀୟ ଦଳର ବହୁ ପ୍ରତୀକ୍ଷିତ ନୂଆ ଜର୍ସି ଉନ୍ମୋଚିତ ହୋଇଛି । ତିନୋଟି ଫର୍ମାଟ୍ ପାଇଁ ଉନ୍ମୋଚିତ ଏହି ଜର୍ସିରେ ନୂଆ ଡିଜାଇନ୍ ସହ ଟିମ୍ ପ୍ରାୟୋଜକ ‘ଆଡିଡାସ’ର ବ୍ରାଣ୍ଡିଂ ରହିଛି । ଭାରତୀୟ ଦଳର ଏହି ନୂଆ ଜର୍ସି ଉନ୍ମୋଚନ ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ ଅନୁଷ୍ଠିତ ହୋଇଥିଲା । ଟିମ୍ ଇଣ୍ଡିଆର ଅଫିସିଆଲ ଇନଷ୍ଟାଗ୍ରାମରେ ନୂଆ ଜର୍ସିର ଝଲକ ସେୟାର କରାଯାଇଛି ।

‘ଆଡିଡାସ୍‌’ ଭାରତୀୟ ଦଳର ନୂଆ କିଟ୍ ପ୍ରାୟୋଜକ ହୋଇଛି । ଏଥିପାଇଁ ‘ଆଡିଡାସ୍‌’ ସହ ୩୫୦ କୋଟିର ପାଞ୍ଚ ବର୍ଷିଆ ଚୁକ୍ତି କରିଛି ବିସିସିଆଇ । ଆଡିଡାସ୍ ସହ ଏହି ଚୁକ୍ତି ନେଇ ଆମେ ଉତ୍ସାହିତ ବୋଲି ବିସିସିଆଇ ସମ୍ପାଦକ ଜୟ ଶାହା କହିଛନ୍ତି ।

ବିଶ୍ୱ ଟେଷ୍ଟ ଚାମ୍ପିୟନସିପ (ଡବ୍ଲୁଟିସି) ଫାଇନାଲରେ ଭାରତ ନୂଆ ଜର୍ସି ପିନ୍ଧି ଖେଳିବ । ଜୁନ୍ ୭ରୁ ଲଣ୍ଡନର ଓଭାଲରେ ଆରମ୍ଭ ହେଉଥିବା ଡବ୍ଳୁଟିସି ଫାଇନାଲରେ ବିଶ୍ୱର ଦୁଇ ଟପ୍ ଦଳ ମଧ୍ୟରେ ମୁକାବିଲା ନେଇ କ୍ରିକେଟ୍ ପ୍ରେମୀ ଉତ୍ସାହିତ ଅଛନ୍ତି । ଭାରତ ଡବ୍ଳୁଟିସିର ପ୍ରଥମ ସଂସ୍କରଣରେ ମଧ୍ୟ ଫାଇନାଲକୁ ଉନ୍ନୀତ ହୋଇଥିଲା । ହେଲେ ଟାଇଟଲ ମୁକାବିଲାରେ ନ୍ୟୁଜିଲାଣ୍ଡ ଠାରୁ ହାରି ରନର୍ସ ଅପ୍ ହୋଇଥିଲା । ଭାରତ ଏଥର ଟାଇଟଲ୍ ଜିତି ୧୦ ବର୍ଷର ଆଇସିସି ଟ୍ରଫି ମରୁଡ଼ିର ଅନ୍ତ ଘଟାଇବା ଲକ୍ଷ୍ୟରେ ରହିଛି ।

Comments are closed.