ଆଇସିସି ଟେଷ୍ଟ ର‌୍ୟାଙ୍କିଙ୍ଗ୍‌: ବୁମରା, ଶାର୍ଦ୍ଦୁଲ ଉଠିଲେ

ଦୁବାଇ: ଓଭାଲ ଟେଷ୍ଟ ବିଜୟର ଦୁଇ ନାୟକ ଯଶପ୍ରୀତ ବୁମରା ଓ ଶାର୍ଦ୍ଦୁଲ ଠାକୁରଙ୍କ ମାନ୍ୟତାରେ ଉନ୍ନତି ଘଟିଛି । ଆଇସିସି ଦ୍ୱାରା ଜାରି ସଦ୍ୟତମ ବୋଲର ତାଲିକାରେ ବୁମରା ଗୋଟିଏ ସ୍ଥାନ ଉଠି ନବମ ସ୍ଥାନରେ ପହଞ୍ଚିଛନ୍ତି । ଅନ୍ୟପଟେ ଠାକୁର ଆଇସିସି ବ୍ୟାଟିଂ ତାଲିକାରେ ବଡ଼ ଲମ୍ଫ ଦେଇଛନ୍ତି । ସେ ଏକାସଙ୍ଗେ ୫୯ଟି ସ୍ଥାନ ଲମ୍ଫ ଦେଇ ୭୯ତମ ସ୍ଥାନରେ ପହଞ୍ଚି ଯାଇଛନ୍ତି ।

ଲଣ୍ଡନର କେନିଙ୍ଗଟନ୍ ଓଭାଲରେ ଅନୁଷ୍ଠିତ ଇଂଲଣ୍ଡ ବିପକ୍ଷ ଚତୁର୍ଥ ଟେଷ୍ଟର ପଞ୍ଚମ ଦିବସରେ ବୁମରା ନିଜ ଘାତକ ପ୍ରଦର୍ଶନ ଦ୍ୱାରା ଇଂଲଣ୍ଡ ବ୍ୟାଟିଂକୁ ଧରାଶାୟୀ କରିଥିଲେ । ସେ ଦୁଇ ଓଭର ବ୍ୟବଧାନ ମଧ୍ୟରେ ଓଲି ପୋପ୍ ଓ ଜନି ବେୟାରଷ୍ଟୋଙ୍କୁ ଚମତ୍କାର ୟର୍କର ସହ କ୍ଲିନ୍ ବୋଲ୍ଡ କରି ଭାରତର ବିଜୟପଥ ଉନ୍ମୁକ୍ତ କରିଦେଇଥିଲେ । ତାଙ୍କର ଏହି ବୋଲିଂ ସ୍ପେଲ୍ ନିର୍ଣ୍ଣାୟକ ସାବ୍ୟସ୍ତ ହୋଇଥିଲା । ଭାରତ ୧୫୭ ରନରେ ଇଂଲଣ୍ଡକୁ ହରାଇ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ସିରିଜରେ ୨-୧ରେ ଅଗ୍ରଣୀ ହାସଲ କରିଥିଲା । ଶୁକ୍ରବାର ଠାରୁ ମାଞ୍ଚେଷ୍ଟରରେ ସିରିଜର ପଞ୍ଚମ ତଥା ଅନ୍ତିମ ଟେଷ୍ଟ ଖେଳାଯିବ ।

ଓଭାଲ ଟେଷ୍ଟରେ ଜବରଦସ୍ତ ଅଲରାଉଣ୍ଡ ପ୍ରଦର୍ଶନ କରିଥିବା ଠାକୁରଙ୍କ ଉଭୟ ବ୍ୟାଟିଂ ଓ ବୋଲିଂ ମାନ୍ୟତାରେ ଉନ୍ନତି ଘଟିଛି । ଓଭାଲ ଟେଷ୍ଟରେ ଠାକୁର ଯଥାକ୍ରମେ ୫୭ ଓ ୬୦ ରନ୍ କରିବା ସହ ତିନୋଟି ୱିକେଟ୍ ନେଇଥିଲେ । ତାଙ୍କର ଏହି ପ୍ରଦର୍ଶନ ପାଇଁ ଠାକୁର ବ୍ୟାଟିଂ ତାଲିକାରେ ୫୯ଟି ସ୍ଥାନ ଉନ୍ନୀତ ହୋଇ ୭୯ତମ ସ୍ଥାନ ହାସଲ କରିଥିବା ବେଳେ ବୋଲରଙ୍କ ତାଲିକାରେ ୭ଟି ସ୍ଥାନ ଉଠି ୪୯ତମ ସ୍ଥାନରେ ପହଞ୍ଚିଛନ୍ତି ।

ବୋଲର ତାଲିକାରେ ଅଷ୍ଟ୍ରେଲିଆର ପ୍ୟାଟ୍ କମିନ୍ସ ଶୀର୍ଷ ସ୍ଥାନ ବଜାୟ ରଖିଛନ୍ତି । ଚଳିତ ଇଂଲଣ୍ଡ ବିପକ୍ଷ ସିରିଜରେ ଗୋଟିଏ ବି ମ୍ୟାଚ୍ ଖେଳିନଥିବା ସତ୍ତ୍ୱେ ଭାରତର ଷ୍ଟାର ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ପୂର୍ବଭଳି ଦ୍ୱିତୀୟ ସ୍ଥାନରେ ରହିଛନ୍ତି ।

ବ୍ୟାଟିଂ ତାଲିକାର ଶୀର୍ଷ ୧୦ରେ କୌଣସି ପରିବର୍ତ୍ତନ ଘଟି ନାହିଁ । ଇଂଲଣ୍ଡ ଅଧିନାୟକ ଜୋ ରୁଟ୍ ପ୍ରଥମ ସ୍ଥାନ ବଜାୟ ରଖିଛନ୍ତି । ଓଭାଲ ଟେଷ୍ଟରେ ଶତକୀୟ ଇନିଂସ୍ ଖେଳିଥିବା ରୋହିତ ଶର୍ମା ମଧ୍ୟ ପଞ୍ଚମ ସ୍ଥାନରେ ସ୍ଥିର ରହିଥିବା ବେଳେ ଅଧିନାୟକ ବିରାଟ କୋହଲି ପୂର୍ବ ଭଳି ଷଷ୍ଠ ସ୍ଥାନରେ ଅଛନ୍ତି ।

ଅଲରାଉଣ୍ଡରଙ୍କ ତାଲିକାରେ ଅଶ୍ୱିନ ଗୋଟିଏ ସ୍ଥାନ ଖସି ପଞ୍ଚମ ସ୍ଥାନରେ ରହିଥିବା ବେଳେ ରବୀନ୍ଦ୍ର ଜାଡେଜା ତୃତୀୟ ସ୍ଥାନ ବଜାୟ ରଖିଛନ୍ତି । ୱେଷ୍ଟଇଣ୍ଡିଜର ଜାସନ୍ ହୋଲ୍ଡର ଏହି ତାଲିକାର ଶୀର୍ଷ ସ୍ଥାନ ବଜାୟ ରଖିଛନ୍ତି ।

Comments are closed.