ଝିଅମାନଙ୍କ ସର୍ବନିମ୍ନ ବିବାହ ବୟସ ୧୮ରୁ ୨୧‌କୁ ବୃଦ୍ଧି ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁରି

ନୂଆଦିଲ୍ଲୀ: ଝିଅମାନଙ୍କ ପାଇଁ ସର୍ବନିମ୍ନ ବିବାହ ବୟସ ବୃଦ୍ଧି ସଂକ୍ରାନ୍ତୀୟ ଏକ ବିଲ୍ କେନ୍ଦ୍ର କ୍ୟାବିନେଟର ମଞ୍ଜୁରି ଲାଭ କରିଛି। ଝିଅମାନଙ୍କର ବିବାହ ପାଇଁ ସର୍ବନିମ୍ନ ବୟସ ଶୀଘ୍ର ୧୮ ରୁ ୨୧ ବର୍ଷକୁ ବୃଦ୍ଧି କରାଯାଇପାରେ | ଏଥିପାଇଁ ସରକାର ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଏହା ସହ ଜଡିତ ବିଲ୍ ସଂସଦର ଏହି ଅଧିବେଶନରେ ଉପସ୍ଥାପିତ ହେବାର ସମ୍ଭାବନା ରହିଛି। ବିବାହ ବୟସ ବୃଦ୍ଧି ପାଇଁ ଶିଶୁ ବିବାହ ଆଇନରେ ସଂଶୋଧନ କରାଯିବ। ସମ୍ପ୍ରତି ଝିଅମାନଙ୍କର ବିବାହ ପାଇଁ ସର୍ବନିମ୍ନ ବୟସ ୧୮ ବର୍ଷ ଧାର୍ଯ୍ୟ ହୋଇଥିବା ବେଳେ ପୁରୁଷଙ୍କ ପାଇଁ ଏହା ୨୧ ବର୍ଷ ରଖାଯାଇଛି।

ବୁଧବାର ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଆଇନ ପରିବର୍ତ୍ତନ ପାଇଁ ସଂଶୋଧନ ବିଲ୍ ଅନୁମୋଦନ କରାଯାଇଛି। କ୍ୟାବିନେଟ ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଧ୍ୟକ୍ଷତା କରିଥିଲେ। ଗତ ବର୍ଷ ଏହି ପ୍ରସଙ୍ଗରେ ଗଠିତ ଟାସ୍କଫୋର୍ସ ଏହାର ରିପୋର୍ଟରେ ଝିଅମାନଙ୍କ ବିବାହର ସର୍ବନିମ୍ନ ବୟସ ୧୮ ରୁ ୨୧ ବର୍ଷକୁ ବୃଦ୍ଧି କରିବାକୁ ସୁପାରିସ କରିଥିଲା। ପୂର୍ବତନ ସାଂସଦ ଜୟା ଜେଟଲୀଙ୍କ ଅଧ୍ୟକ୍ଷତାରେ ଟାସ୍କଫୋର୍ସ ଗଠନ କରାଯାଇଥିଲା | ଏହାର ରିପୋର୍ଟରେ, ଟାସ୍କଫୋର୍ସ ମା’ ହେବାର ବୟସ ସୀମା ଏବଂ ମହିଳାମାନଙ୍କ ସହ ଜଡିତ ଅନ୍ୟାନ୍ୟ ବିଷୟ ଉପରେ ମଧ୍ୟ ସୁପାରିସ କରିଥିଲା।

ଉଲ୍ଲେଖଯୋଗ୍ୟ, ଗତବର୍ଷ ଲାଲ୍ କିଲ୍ଲାରେ ସ୍ବାଧୀନତା ଦିବସ ସମ୍ବୋଧନରେ ମହିଳାଙ୍କ ବିବାହ ବୟସ ସୀମା ବୃଦ୍ଧି କରିବା ଯୋଜନା ସମ୍ପର୍କରେ ଘୋଷଣା କରିଥିଲେ ।

Comments are closed.