ବାବ୍ରି ମସଜିଦ ଭଙ୍ଗ ମାମଲାରେ ରାୟ : ଆଡଭାନି, ଯୋଶୀଙ୍କ ସମେତ ସବୁ ଅଭିଯୁକ୍ତ ଦୋଷମୁକ୍ତ, କୋର୍ଟ କହିଲେ ଯୋଜନାବଦ୍ଧ ନ ଥିଲା ମସଜିଦ ଭଙ୍ଗ ଘଟଣା

ଲକ୍ଷ୍‌ନୌ – ବହୁ ପ୍ରତୀକ୍ଷିତ ବାବ୍ରୀ ମସଜିଦ୍ ଭଙ୍ଗ ଷଡଯନ୍ତ୍ର ମାମଲାରେ ସମସ୍ତ ଅଭିଯୁକ୍ତ ଦୋଷମୁକ୍ତ ହୋଇଛନ୍ତି । ବରିଷ୍ଠ ବିଜେପି ନେତା ଲାଲକୃଷ୍ଣ ଆଡଭାନି,ମୁରଲୀ ମନୋହର ଯୋଶୀ, ଉମା ଭାରତୀ , କଲ୍ୟାଣ ସିଂହଙ୍କ ସମେତ ସମସ୍ତ ୩୨ ଅଭିଯୁକ୍ତଙ୍କୁ ଦୋଷମୁକ୍ତ କରିଛନ୍ତି ସ୍ୱତନ୍ତ୍ର ସିବିଆଇ କୋର୍ଟ ।

ଅଭିଯୁକ୍ତଙ୍କ ବିରୋଧରେ ଷଡଯନ୍ତ୍ର ନେଇ ନିର୍ଦ୍ଦିଷ୍ଟ ପ୍ରମାଣ ନାହିଁ ବୋଲି ସ୍ୱତନ୍ତ୍ର କୋର୍ଟ ବିଚାରପତି ଜଷ୍ଟିସ ସୁରେନ୍ଦ୍ର କୁମାର ଯାଦବ । ଦୀର୍ଘ ୨୮ ବର୍ଷ ପରେ ମାମଲାର ରାୟ ଆସିଛି । ବାବ୍ରି ମସଜିଦ ଭଙ୍ଗ ଘଟଣା ସୁନିୟୋଜିତ ନ ଥିଲା ବୋଲି କୋର୍ଟ ନିଜ ରାୟରେ ଉଲ୍ଲେଖ କରିଛନ୍ତି । ଏହା ଏକ ଆକସ୍ମିକ ଘଟଣା ଥିଲା ବୋଲି କୋର୍ଟ କହିଛନ୍ତି । ଏହି ମାମଲାରେ ମୋଟ ୪୯ ଲୋକଙ୍କୁ ଅଭିଯୁକ୍ତ କରାଯାଇଥିଲା । କିନ୍ତୁ ୧୭ ଜଣଙ୍କ ମୃତ୍ୟୁ ହୋଇସାରିଛି । ସିବିଆଇ ଓ ଅଭିଯୁକ୍ତଙ୍କ ଓକିଲ ପ୍ରାୟ ୮ ଶହ ପୃଷ୍ଠାର ଲିଖିତ ଯୁକ୍ତିତର୍କ ଦାଖଲ କରିଥିଲେ । ପୂର୍ବରୁ ସିବିଆଇ ଏହି ମାମଲାରେ ୩୫୧ ସାକ୍ଷୀଙ୍କ ବୟାନ ରେକର୍ଡ କରିବା ସହ ୬ ଶହରୁ ଅଧିକ ଦସ୍ତାବିଜ୍ ପ୍ରମାଣ ସ୍ୱରୂପ ଦାଖଲ କରିଥିଲା ।

ସବୁ ଅଭିଯୁକ୍ତଙ୍କୁ କୋର୍ଟ ଦୋଷମୁକ୍ତ କଲା ପରେ ମୁସଲିମ ପକ୍ଷର ଓକିଲ ଜଫରୟାବ ଜିଲାନୀ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ, ସ୍ୱତନ୍ତ୍ର କୋର୍ଟଙ୍କ ରାୟ ଆଇନ ବିରୋଧୀ । ରାୟକୁ ହାଇକୋର୍ଟରେ ଚ୍ୟାଲେଂଜ କରାଯିବ ବୋଲି ସେ କହିଛନ୍ତି ।

Comments are closed.