ନୂଆ ଡ୍ରୋନ୍ ନୀତି ଘୋଷଣା କଲେ ସରକାର, ଆଉ ଦରକାର ହେବନି ସୁରକ୍ଷା କ୍ଲିୟରାନ୍ସ

ନୂଆଦିଲ୍ଲୀ: ସମ୍ପ୍ରତି ସୀମା ସୁରକ୍ଷା ଠାରୁ ପାଣିପାଗ ବିଭାଗ, ବିପର୍ଯ୍ୟୟ ପରିଚାଳନା, ସର୍ବେକ୍ଷଣ, କୃଷି, ସାମଗ୍ରୀ ବିତରଣ ଏବଂ ଫଟୋଗ୍ରାଫି ପର୍ଯ୍ୟନ୍ତ ଡ୍ରୋନ୍ ର ବ୍ୟବହାର କରାଯାଉଛି। ଆଗାମୀ ସମୟରେ ଡ୍ରୋନର ଉପଯୋଗିତାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ନୂଆ ଡ୍ରୋନ୍ ନୀତି ଘୋଷଣା କରିଛନ୍ତି।
ନୂତନ ଡ୍ରୋନ୍ ନୀତି ଅନୁଯାୟୀ ସମସ୍ତ ଡ୍ରୋନ୍ ଅନଲାଇନରେ ପଞ୍ଜିକୃତ ହେବ। ଏଣିକି ଡ୍ରୋନର ରକ୍ଷଣାବେକ୍ଷଣ, ଲାଇସେନ୍ସ ଏବଂ ପ୍ରମାଣପତ୍ର ପାଇଁ ସୁରକ୍ଷା କ୍ଲିୟରାନ୍ସ ଆବଶ୍ୟକ ପଡ଼ିବ ନାହିଁ | ମାଇକ୍ରୋ ଡ୍ରୋନ୍ (ଅଣ-ବ୍ୟବସାୟିକ ବ୍ୟବହାର ପାଇଁ) ଏବଂ ନାନୋ ଡ୍ରୋନ୍ ପାଇଁ ରିମୋଟ ପାଇଲଟ୍ ଲାଇସେନ୍ସ ଦରକାର ହେବ ନାହିଁ।

ଭାରି ଭାର ଧାରଣ କରୁଥିବା ଡ୍ରୋନ୍ ଏବଂ ଡ୍ରୋନ୍ ଟ୍ୟାକ୍ସିକୁ ନୂଆ ନୀତି ପରିସରଭୁକ୍ତ କରିବା ପାଇଁ ଡ୍ରୋନ୍ ର ସର୍ବାଧିକ ଓଜନ ୩୦୦ ରୁ ୫୦୦ କିଲୋଗ୍ରାମକୁ ବୃଦ୍ଧି କରାଯାଇଛି । ଫର୍ମ / ଅନୁମତି ସଂଖ୍ୟା ୨୫ ରୁ ୫କୁ ହ୍ରାସ କରାଯାଇଛି | ନୂଆ ଡ୍ରୋନ୍ ନୀତି ଅନୁଯାୟୀ ଏଣିକି ପଞ୍ଜିକରଣ କିମ୍ବା ଲାଇସେନ୍ସ ପାଇଁ କୌଣସି ସୁରକ୍ଷା କ୍ଲିୟରାନ୍ସ ଆବଶ୍ୟକ ପଡ଼ିବ ନାହିଁ | ଅନୁମତି ପାଇଁ ଶୁଳ୍କ ନଗଣ୍ୟ ସ୍ତରକୁ ହ୍ରାସ କରାଯାଇଛି |

କାର୍ଗୋ ଡେଲିଭରୀ ପାଇଁ କରିଡର ନିର୍ମାଣ କରାଯିବ | ଡିଜିସିଏ ଡ୍ରୋନ୍ ତାଲିମ ଆବଶ୍ୟକତା ଉପରେ ଦୃଷ୍ଟି ଦେବ ଏବଂ ଅନଲାଇନରେ ପାଇଲଟ୍ ଲାଇସେନ୍ସ ପ୍ରଦାନ କରିବ। ଡ୍ରୋନ୍ ସ୍କୁଲରେ ଫ୍ଲାଇଙ୍ଗ୍ ଡ୍ରୋନ୍ ପାଇଁ ତାଲିମ ଏବଂ ପରୀକ୍ଷା ଅନୁଷ୍ଠିତ ହେବ | ରିମୋଟ୍ ପାଇଲଟ୍ ଲାଇସେନ୍ସ ଫି ପାଇଁ ଦେୟ ୩୦୦୦ରୁ (ବଡ ଡ୍ରୋନ୍ ପାଇଁ) ସମସ୍ତ ବର୍ଗ ପାଇଁ ୧୦୦ ଟଙ୍କାକୁ ହ୍ରାସ କରାଯାଇଛି ଏବଂ ଏହା ୧୦ ବର୍ଷ ପାଇଁ ବୈଧ ଅଟେ |

୨୦୨୧ ଡ୍ରୋନ୍ ନିୟମ ଅନୁଯାୟୀ ସର୍ବାଧିକ ଜରିମାନା ୧ ଲକ୍ଷ ଟଙ୍କାକୁ ହ୍ରାସ କରାଯାଇଛି। ତେବେ ଏହା ଅନ୍ୟ ନିୟମର ଉଲ୍ଲଂଘନ ପାଇଁ ଲାଗୁ ହେବ ନାହିଁ |
ଡିଜିଟାଲ୍ ସ୍କାଏ ପ୍ଲାଟଫର୍ମରେ ସବୁଜ, ହଳଦିଆ ଏବଂ ନାଲି ରଙ୍ଗର ଇଣ୍ଟରାକ୍ଟିଭ୍ ଏୟାର ସ୍ପେସ୍ ପ୍ରଦର୍ଶିତ ହେବ | ଏହି ପ୍ଲାଟଫର୍ମଗୁଡିକୁ ଏକ ବ୍ୟବସାୟ ଅନୁକୂଳ ସିଙ୍ଗଲ୍ ୱିଣ୍ଡୋ ଅନ୍ଲାଇନ୍ ସିଷ୍ଟମ୍ ଅନୁଯାୟୀ ବିକଶିତ କରାଯିବ ।

Comments are closed.