ଚରଣଜିତ୍ ସିଂ ଚନ୍ନି ପଞ୍ଜାବର ନୂଆ ମୁଖ୍ୟମନ୍ତ୍ରୀ

ଚଣ୍ଡିଗଡ଼: କ୍ୟାପଟେନ୍ ଅମରିନ୍ଦର ସିଂଙ୍କ ଇସ୍ତଫାର ୨୪ ଘଣ୍ଟା ପରେ ଶେଷରେ ପଞ୍ଜାବର ନୂଆ ମୁଖ୍ୟମନ୍ତ୍ରୀଙ୍କ ନାମ ସ୍ଥିର ହୋଇଛି। କଂଗ୍ରେସ ଦଳିତ ନେତା ଚରଣଜିତ ସିଂ ଚନ୍ନି ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀ ହେବେ। ଦଳର ପଞ୍ଜାବ ପ୍ରଭାରୀ ଥିବା ହରିଶ ରାୱତ ଟ୍ୱିଟ୍ କରି କଂଗ୍ରେସ ବିଧାୟକ ଦଳର ନେତା ଭାବରେ ଚନ୍ନିଙ୍କ ସର୍ବସମ୍ମତି କ୍ରମେ ନିଯୁକ୍ତି ସମ୍ପର୍କରେ ସୂଚନା ଦେଇଛନ୍ତି।
ଚରଣଜିତ୍ ସିଂ ଚନ୍ନି କ୍ରମାଗତ ତିନି ଥର ଚାମକୌର ସାହିବରୁ ବିଧାୟକ ହୋଇଛନ୍ତି। ସେ ୨୦୦୭ରେ ସ୍ବାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ି ବିଜୟୀ ହୋଇଥିଲେ। ଏହା ପରେ ସେ ଦୁଇଥର କଂଗ୍ରେସ ଟିକେଟରେ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ସେ ୨୦୧୫ ରୁ ୨୦୧୬ ପର୍ଯ୍ୟନ୍ତ ପଞ୍ଜାବ ବିଧାନସଭାରେ ବିରୋଧୀ ଦଳର ନେତା ଥିଲେ। ଚନ୍ନି ରାମଦାସିଆ ଶିଖ ସମ୍ପ୍ରଦାୟର ଅଟନ୍ତି | ୨୦୧୭ରେ ଯେତେବେଳେ କ୍ୟାପଟେନ ଅମରିନ୍ଦର ସିଂଙ୍କ ନେତୃତ୍ୱରେ କଂଗ୍ରେସ ସରକାର ଗଠନ ହେଲା, ତାଙ୍କୁ ବୈଷୟିକ ଶିକ୍ଷା ଏବଂ ଶିଳ୍ପ ତାଲିମ ମନ୍ତ୍ରୀ କରାଯାଇଥିଲା। ଅମରିନ୍ଦର ସିଂଙ୍କ ବିରୋଧରେ ଅଗଷ୍ଟ ବିଦ୍ରୋହର ନେତୃତ୍ୱ ନେଇଥିବା ଲୋକଙ୍କ ମଧ୍ୟରେ ଚନ୍ନି ମଧ୍ୟ ଥିଲେ।

Comments are closed.