ରାଜୀବ ଗାନ୍ଧୀ ହତ୍ୟାକାରୀଙ୍କ ମୁକ୍ତି ପ୍ରସଙ୍ଗ: ରିଭ୍ୟୁ ପିଟିସନ ଦାଖଲ କରିବ କଂଗ୍ରେସ

ନୂଆଦିଲ୍ଲୀ: ରାଜୀବ ଗାନ୍ଧୀ ହତ୍ୟା ମାମଲାରେ ୬ ଦୋଷୀଙ୍କୁ ମୁକ୍ତ କରିବା ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରିବ କଂଗ୍ରେସ । ଏହା ବିରୋଧରେ ଖୁବ ଶୀଘ୍ର ସୁପ୍ରିମକୋର୍ଟରେ ଏକ ରିଭ୍ୟୁ ପିଟିସନ ଦାଖଲ କରାଯିବ ବୋଲି କଂଗ୍ରେସ ସୂତ୍ରରୁ ପ୍ରକାଶ । ଉଲ୍ଲେଖଯୋଗ୍ୟ ଯେ ନଳିନୀ ଶ୍ରୀହରନଙ୍କ ସମେତ ରାଜୀବ ଗାନ୍ଧୀ ହତ୍ୟା ମାମଲାର ୬ ଜଣ ଦୋଷୀଙ୍କୁ ଆଗୁଆ ମୁକ୍ତ କରିବାକୁ ସର୍ବୋଚ୍ଚ ନ୍ୟାୟାଳୟ ନିର୍ଦ୍ଦେଶ ଦେଇଥିଲେ। ଅପରାଧୀଙ୍କ ଦଣ୍ଡକୁ କ୍ଷମା କରିବା ପାଇଁ ତାମିଲନାଡୁ ସରକାରଙ୍କ ସୁପାରିଶ ଆଧାରରେ କୋର୍ଟ ଏହି ନିର୍ଦ୍ଦେଶ ଦେଇଥିଲେ ।

ଦୋଷୀଙ୍କୁ ମୁକ୍ତ କରାଯିବର ୧୦ ଦିନ ପରେ କଂଗ୍ରେସ କହିଛି ଯେ ସୁପ୍ରିମକୋର୍ଟଙ୍କ ଏହି ନିଷ୍ପତ୍ତି ବିରୋଧରେ ରିଭ୍ୟୁ ପିଟିସନ ଦାଖଲ କରାଯିବ । ଏହି ୬ ରାଜୀବ ହତ୍ୟାକାରୀଙ୍କ ମୁକ୍ତିକୁ କଂଗ୍ରେସ ଦୁର୍ଭାଗ୍ୟଜନକ ଏବଂ ଗ୍ରହଣୀୟ ନୁହେଁ ବୋଲି କହିଥିଲା ।

ଉଲ୍ଲେଖଯୋଗ୍ୟ, ରାଜୀବ ଗାନ୍ଧୀ ହତ୍ୟାକାରୀଙ୍କୁ ଛାଡ଼ିବା ନିଷ୍ପତ୍ତି ବିରୋଧରେ କେନ୍ଦ୍ର ସରକାର ମଧ୍ୟ ସୁପ୍ରିମକୋର୍ଟରେ ରିଭ୍ୟୁ ପିଟିସନ ଦାଖଲ କରିଛନ୍ତି । କେନ୍ଦ୍ର ନିଜ ଆବେଦନରେ କହିଛି ଯେ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ହତ୍ୟା ମାମଲାରେ ସୁପ୍ରିମକୋର୍ଟ ସରକାରଙ୍କ ମଧ୍ୟ ପକ୍ଷ ଶୁଣିବା ଉଚିତ୍।

ଅନ୍ୟପକ୍ଷରେ ପୂର୍ବତନ କଂଗ୍ରେସ ସଭାପତି ସୋନିଆ ଗାନ୍ଧୀ ଚାରିଜଣ ଦୋଷୀଙ୍କର ମୃତ୍ୟୁଦଣ୍ଡ କୋହଳ କରିବାକୁ ସମର୍ଥନ କରିଥିଲେ। ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ଝିଅ ପ୍ରିୟଙ୍କା ଗାନ୍ଧୀ ବାଦ୍ରା ମଧ୍ୟ ଜଣେ ଅନ୍ୟତମ ଦୋଷୀ ନଳିନୀଙ୍କୁ ଭେଟି ତାଙ୍କୁ କ୍ଷମା କରି ଦେଇଥିଲେ। ତେବେ ରାଜୀବ ଗାନ୍ଧୀ ହତ୍ୟାକାରୀଙ୍କୁ ମୁକ୍ତି ପ୍ରସଙ୍ଗରେ ଦଳର ନେତୃବର୍ଗ ଗାନ୍ଧୀ ପରିବାର ସହ ସହମତ ନୁହେଁ ।

Comments are closed.