ତାମିଲନାଡୁ ବ୍ୟାଟ୍ସମ୍ୟାନ୍ ଜଗଦୀଶନଙ୍କ ବିଶ୍ବ ରେକର୍ଡ

ନୂଆଦିଲ୍ଲୀ: ତାମିଲନାଡୁ ବ୍ୟାଟ୍ସମ୍ୟାନ୍ ଏନ୍ ଜଗଦୀଶନ୍ ବିଜୟ ହଜାରେ ଟ୍ରଫିରେ ୨୭୭ ରନର ଅବିଶ୍ବସନୀୟ ଇନିଂସ ଖେଳି ବିଶ୍ବ ରେକର୍ଡ କରିଛନ୍ତି । ଏହି ଯୁବ ବ୍ୟାଟ୍ସମ୍ୟାନ୍ ୧୧୪ ବଲରେ ଏହି ବିଶାଳ ସ୍କୋର୍ କରିଥିଲେ । ତାଙ୍କର ଏହି ରେକର୍ଡ ପାଳିରେ ୨୫ଟି ଚୌକା ଓ ୧୫ ଛକା ସାମିଲ ଥିଲା । ଲିଷ୍ଟ-ଏ କ୍ରିକେଟ୍ ଇତିହାସରେ ଜଗଦୀଶନଙ୍କ ୨୭୭ ରନ୍ ହେଉଛି ସବୁଠୁ ବଡ଼ ବ୍ୟକ୍ତିଗତ ସ୍କୋର । ଏହାଛଡ଼ା ଜଗଦୀଶନ୍ ପ୍ରଥମ କ୍ରିକେଟର ଭାବେ କ୍ରମାଗତ ୫ଟି ଶତକ ହାସଲ କରିଛନ୍ତି। ଏହି ୨୬ ବର୍ଷୀୟ ବ୍ୟାଟ୍ସମ୍ୟାନ୍ ବିଜୟ ହଜାରେ ଟ୍ରଫିରେ ଅରୁଣାଚଳ ପ୍ରଦେଶ ବିପକ୍ଷରେ ମ୍ୟାଚରେ ଏହି ରେକର୍ଡ ପ୍ରଦର୍ଶନ କରିଛନ୍ତି।

ଜଗଦୀଶନ୍ ତାଙ୍କ ନାମରେ ନୂଆ ରେକର୍ଡ କରିଛନ୍ତି | ଜଗଦୀଶନ୍ ୨୭୭ ରନର ଏହି ଇନିଂସ ସହ ଇଂଲଣ୍ଡର ୨୨ ବର୍ଷୀୟ ଆଲିଷ୍ଟେୟାର ବ୍ରାଉନଙ୍କ ରେକର୍ଡ ଭାଙ୍ଗିଛନ୍ତି, ଯିଏ ସରେ ପାଇଁ ଗ୍ଲାମରଗାନ ବିପକ୍ଷ ଲିଷ୍ଟ-ଏ ମ୍ୟାଚରେ ୨୬୮ ରନର ଇନିଂସ ଖେଳିଥିଲେ |

ଏହି ମ୍ୟାଚରେ ତାମିଲନାଡୁ ଦୁଇଟି ୱିକେଟ୍ ହରାଇ ୫୦୬ ରନର ବୃହତ୍ ସ୍କୋର୍ କରିଥିଲା, ଯାହା ପୁରୁଷ ଲିଷ୍ଟ-ଏ କ୍ରିକେଟ୍ ରେ ସର୍ବାଧିକ ଟିମ୍ ସ୍କୋର। ଏହା ପୂର୍ବରୁ ଏହି ରେକର୍ଡ ଇଂଲଣ୍ଡ ନାମରେ ଥିଲା । ଇଂଲଣ୍ଡ ଚଳିତ ବର୍ଷ ଆରମ୍ଭରେ ନେଦରଲାଣ୍ଡ୍ସ ବିପକ୍ଷରେ ୪ ୱିକେଟ୍ ହରାଇ ୪୯୮ କରିଥିଲା। ଭାରତୀୟ ଲିଷ୍ଟ-ଏ କ୍ରିକେଟରେ ସର୍ବାଧିକ ସ୍କୋର ମୁମ୍ବାଇ ନାମରେ ଥିଲା । ମୁମ୍ବାଇ ୨୦୨୧ ମସିହାରେ ପୁଡୁଚେରୀ ବିପକ୍ଷରେ ଚାରି ଓ୍ବିକେଟ୍ ହରାଇ ୪୫୭ ରନ୍ କରିଥିଲା ।

ଜଗଦୀଶନ୍ ମାତ୍ର ୧୧୪ ବଲରେ ୨୦୦ ରନ୍ ଛୁଇଁଥିଲେ । ଏଥିସହ ସେ ଲିଷ୍ଟ-ଏ ଇତିହାସରେ ଦ୍ରୁତତମ ଦ୍ୱିଶତକ ହାସଲ କରିବାରେ ରେକର୍ଡ ମଧ୍ୟ କରିଛନ୍ତି । ଏହି ଡାହାଣହାତୀ ବ୍ୟାଟ୍ସମ୍ୟାନ୍ ମଧ୍ୟ କ୍ରମାଗତ ପଞ୍ଚମ ଲିଷ୍ଟ-ଏ ଶତକ ହାସଲ କରିଛନ୍ତି, ଯାହା ଏକ ନୂଆ ରେକର୍ଡ। ବିଜୟ ହଜାରେ ଟ୍ରଫିରେ ସର୍ବାଧିକ ବ୍ୟକ୍ତିଗତ ସ୍କୋର ମାମଲାରେ ଜଗଦୀଶନ୍, ପୃଥ୍ବୀ ଶ’ (ପୁଡୁଚେରୀ ବିପକ୍ଷରେ ୨୨୭ ରନ୍)ଙ୍କ ରେକର୍ଡ ଭାଙ୍ଗିଛନ୍ତି।

କୌତୁହଳର ବିଷୟ ହେଉଛି, ଜଗଦୀଶନଙ୍କୁ ଆଇପିଏଲର‌ ପରବର୍ତ୍ତୀ ସଂସ୍କରଣ ପୂର୍ବରୁ ଚେନ୍ନାଇ ସୁପରକିଙ୍ଗ୍ସ ରିଲିଜ୍ କରିଦେଇଥିଲା ।

Comments are closed.