ଧୋନିଙ୍କ ବଦାନ୍ୟତା: ବିନା ପାଉଣାରେ ମେଣ୍ଟର ଦାୟିତ୍ବ ତୁଲାଇବେ 

ନୂଆଦିଲ୍ଲୀ: ଆଗାମୀ ଟି୨୦ ବିଶ୍ୱକପ୍ ପାଇଁ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନି ଭାରତୀୟ ଦଳର ମେଣ୍ଟର ବା ମାର୍ଗଦର୍ଶକ ଭାବେ ଦାୟିତ୍ୱ ତୁଲାଇବେ । ତେବେ ଏଥିପାଇଁ ସେ କୌଣସି ପାଉଣା ନେବେ ନାହିଁ । ସେ ମାଗଣାରେ ଏହି ଦାୟିତ୍ବ ତୁଲାଇବେ ବୋଲି ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି କହିଛନ୍ତି । ଟି୨୦ ବିଶ୍ୱକପ୍ ପାଇଁ ଗତ ମାସରେ ଭାରତୀୟ ଦଳ ଘୋଷଣା କରିବା ସହ ବିସିସିଆଇ ଧୋନିଙ୍କୁ ଏହି ମେଗା ଇଭେଣ୍ଟ ପାଇଁ ମେଣ୍ଟର ଭାବେ ନିଯୁକ୍ତ କରିଥିଲା ।

ଭାରତୀୟ କ୍ରିକେଟର ସବୁଠୁ ସଫଳ ଅଧିନାୟକ ଧୋନି ଗତବର୍ଷ ଅଗଷ୍ଟ ୧୫ରେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଥିଲେ । ନ୍ୟୁଜିଲାଣ୍ଡ ବିପକ୍ଷ ୨୦୧୯ ବିଶ୍ୱକପ ସେମିଫାଇନାଲ ଥିଲା ତାଙ୍କ କ୍ୟାରିୟରର ଶେଷ ଅନ୍ତର୍ଜାତୀୟ ମ୍ୟାଚ୍ ।

ଧଳା ବଲ କ୍ରିକେଟରେ ରଣନୀତି ତିଆରି କରିବାରେ ଧୋନିଙ୍କ ଅଭିଜ୍ଞତା ଦୃଷ୍ଟିରୁ ତାଙ୍କୁ ଆଗାମୀ ଟି୨୦ ବିଶ୍ୱକପ୍ ପାଇଁ ଟିମ୍ ଇଣ୍ଡିଆର ମେଣ୍ଟର ଭାବେ ନିଯୁକ୍ତ କରିବାକୁ ଭାରତୀୟ ବୋର୍ଡ ନିଷ୍ପତ୍ତି ନେଇଛି । ଇତି ମଧ୍ୟରେ ସମ୍ପ୍ରତି ଆଇପିଏଲ୍‌-୨୦୨୧ରେ ଧୋନି ତାଙ୍କ ଦଳ ଚେନ୍ନାଇ ସୁପରକିଙ୍ଗ୍‌ସକୁ ଫାଇନାଲ ନେବାରେ ସଫଳ ହୋଇଛନ୍ତି ।

ଅଧିନାୟକ ଭାବେ ଏହି କିମ୍ବଦନ୍ତୀ କ୍ରିକେଟର ଭାରତକୁ ଦୁଇ ଦୁଇଟି ବିଶ୍ୱକପ୍ ବିଜୟୀ କରାଇଛନ୍ତି । ଧୋନିଙ୍କ ନେତୃତ୍ୱରେ ଭାରତ ୨୦୦୭ ଟି୨୦ ବିଶ୍ୱକପ୍ ଓ ୨୦୧୧ ଦିନିକିଆ ବିଶ୍ୱକପ୍ ଟାଇଟଲ୍ ଜିତିଥିଲା । ଏହାଛଡ଼ା ତାଙ୍କ ନେତୃତ୍ୱରେ ଭାରତ ୨୦୧୩ରେ ଆଇସିସି ଚାମ୍ପିୟନ୍ସ ଟ୍ରଫି ମଧ୍ୟ ଜିତିଥିଲା । ଧୋନି ବିଶ୍ୱର ଏକମାତ୍ର ଅଧିନାୟକ ଯିଏ କି ଆଇସିସିର ତିନୋଟି ପ୍ରମୁଖ ଟାଇଟଲ ହାସଲ କରିଛନ୍ତି ।

ଗତବର୍ଷ ଅଗଷ୍ଟ ୧୫ରେ ଏକ ସଂକ୍ଷିପ୍ତ ଇନଷ୍ଟାଗ୍ରାମ ପୋଷ୍ଟ ମାଧ୍ୟମରେ ଅନ୍ତର୍ଜାତୀୟ କ୍ରିକେଟକୁ ଅଲବିଦା କହି ଧୋନି କ୍ରିକେଟ ଜଗତକୁ ସ୍ତବ୍ଧ କରି ଦେଇଥିଲେ । ସେହି ଦିନଠୁ ସେ ନିଜ ଅବସର ସମ୍ପର୍କରେ ଥରେ ବି କିଛି କହି ନାହାନ୍ତି । ଏହି ସମ୍ମାନନୀୟ କ୍ରିକେଟର୍ ଭାରତ ପାଇଁ ୯୦ଟି ଟେଷ୍ଟ, ୩୫୦ ଦିନିକିଆ ଏବଂ ୯୮ ଟି୨୦ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଛନ୍ତି । ସେ ଟେଷ୍ଟରେ ୪୮୭୬ ରନ୍‌, ଦିନିକିଆରେ ୧୦,୭୭୩ ଏବଂ ଟି୨୦ରେ ୧୬୧୭ ରନ୍ କରିଛନ୍ତି ।

Comments are closed.