ଡ୍ରଗ୍ସ ପାର୍ଟି ମାମଲା: ଆର୍ୟନଙ୍କୁ ମିଳିଲାନି ଆଶ୍ବସ୍ତି, ଜାମିନ ଆବେଦନ ଶୁଣାଣି ବୁଧବାରକୁ ଘୁଞ୍ଚିଲା

ମୁମ୍ବାଇ: ଡ୍ରଗ୍ସ ମାମଲାରେ ଗିରଫ ହୋଇଥିବା ଶାହାରୁଖ ଖାନଙ୍କ ପୁଅ ଆର୍ୟନ ଖାନଙ୍କୁ ଆଜି ବି ଆଶ୍ବସ୍ତି ମିଳିନାହିଁ । ତାଙ୍କର ଜାମିନ ଆବେଦନ ଉପରେ ଶୁଣାଣି ଆଜି ସ୍ଥଗିତ ରଖାଯାଇଛି। ସ୍ୱତନ୍ତ୍ର ଏନଡିପିଏସ କୋର୍ଟରେ ଦାଖଲ ହୋଇଥିବା ଆର୍ଯ୍ୟନ ଖାନ ଏବଂ ଅରବାଜ ମର୍ଚାଣ୍ଟଙ୍କ ଜାମିନ ଆବେଦନ ଶୁଣାଣି ବୁଧବାର ହେବ। ବୁଧବାର ଦିନ ଏନସିବି ପକ୍ଷରୁ ପ୍ରଥମେ ଜାମିନ ଆବେଦନ ଉପରେ ଜବାବ ଦାଖଲ କରାଯିବ । ଏହା ପରେ ଆର୍ୟନଙ୍କୁ ଜାମିନ ପ୍ରଦାନ କରାଯିବ କି ନାହିଁ ତାହା କୋର୍ଟ ନିଷ୍ପତ୍ତି ନେବେ।

ଆର୍ୟନଙ୍କ ତରଫରୁ ଓକିଲ ସତୀଶ ମନଶିନ୍ଦେ ଏବଂ ତାଙ୍କ ଦଳ କୋର୍ଟରେ ହାଜର ହୋଇଥିଲେ। ଆର୍ଯ୍ୟନ୍ ଖାନଙ୍କ ଓକିଲ ସତୀଶ ମନେଶିନ୍ଦ କହିଛନ୍ତି ଯେ ଯଦି ଜାମିନ ଆବେଦନ ଖାରଜ ହୁଏ ତେବେ ଆମେ ହାଇକୋର୍ଟକୁ ଯିବୁ। ଆମେ ଏଠାରେ (ମୁମ୍ବାଇର ସ୍ୱତନ୍ତ୍ର ଏନଡିପିଏସ୍ କୋର୍ଟ) ଜାମିନ ଆବେଦନ କରିଛୁ ।
ଏହାପୂର୍ବରୁ ଶୁକ୍ରବାର ଦିନ ମୁମ୍ବାଇର ଏକ କୋର୍ଟ ଆର୍ୟନ ଖାନ ଏବଂ ଅନ୍ୟ ଦୁଇଜଣ ଅଭିଯୁକ୍ତଙ୍କ ଜାମିନ ଆବେଦନ ଖାରଜ କରିଦେଇଥିଲେ।

ଉଲ୍ଲେଖଯୋଗ୍ୟ ଯେ, ଅକ୍ଟୋବର ୨ରେ ଏକ କ୍ରୁଜ୍ ଜାହାଜରେ କରାଯାଇଥିବା ଏକ ରେଭ୍(ଡ୍ରଗ୍ସ) ପାର୍ଟି ଚଢ଼ାଉରେ ଏନସିବି ଡ୍ରଗ୍ ସେବନର ପ୍ରମାଣ ପାଇଥିଲା । ଉକ୍ତ କ୍ରୁଜ୍ ଜାହାଜରେ ଚଢାଉ ବେଳେ ଅଭିଯୁକ୍ତଙ୍କ ଠାରୁ ୧୩ ଗ୍ରାମ କୋକେନ୍, ୨୧ ଗ୍ରାମ ଚାରା, ୫ ଗ୍ରାମ ଏମଡି ଏବଂ ୨୨ ଏମଡିଏମ୍ଏ ଭଳି ନିଷିଦ୍ଧ ଡ୍ରଗ୍ସ ଜବତ କରିଥିଲା ଏନସିବି । ନିକଟରେ ରେଭ୍ ପାର୍ଟିରେ ସମ୍ପୃକ୍ତ ଥିବା ଅଭିଯୋଗରେ ଜଣେ ନାଇଜେରିଆ ନାଗରିକଙ୍କ ସମେତ ଆଉ ୧୦ ଜଣଙ୍କୁ ଗିରଫ କରାଯାଇଛି । ସେମାନଙ୍କ ମଧ୍ୟରେ ଦିଲ୍ଲୀର ଏକ ଇଭେଣ୍ଟ ମ୍ୟାନେଜମେଣ୍ଟ କମ୍ପାନୀରୁ ଚାରିଜଣ ମୁମ୍ବାଇ-ଗୋଆ ଯାତ୍ରା ପାଇଁ କର୍ଡେଲିଆ କ୍ରୁଜ୍ ଜାହାଜ ନେଇଥିଲେ।

Comments are closed.