ସତ୍ୟେନ୍ଦ୍ର ଜୈନଙ୍କ ସହଯୋଗୀଙ୍କ ଘରେ ଇଡିର ଚଢ଼ାଉ, ୨.୮୨ କୋଟି ଟଙ୍କା ନଗଦ ସହ ୧୩୩ ସୁନା ମୁଦ୍ରା ଜବତ

ନୂଆଦିଲ୍ଲୀ: ମନି ଲଣ୍ଡରିଂ ମାମଲାରେ ଗିରଫ ହୋଇଥିବା ଦିଲ୍ଲୀର ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କ ସମ୍ପର୍କୀୟ ଓ ସହଯୋଗୀଙ୍କ ଘରେ ଚଢ଼ାଉ କରି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ୨.୮୨ କୋଟି ଟଙ୍କା ନଗଦ ଏବଂ ୧୩୩ ସୁନା ମୁଦ୍ରା ଜବତ କରିଛି ।

ଇଡି ଅଙ୍କୁଷ ଜୈନ, ବୈଭବ ଜୈନ, ନବୀନ ଜୈନ ଏବଂ ସିଦ୍ଧାର୍ଥ ଜୈନ (ରାମ ପ୍ରକାଶ ଜୁଏଲର୍ସ ପିଭି ଲିମିଟେଡର ନିର୍ଦ୍ଦେଶକ), ଜିଏସ ମାଥୁର, ଯୋଗେଶ କୁମାର ଜୈନ (ରାମ ପ୍ରକାଶ ଜୁଏଲର୍ସ ପିଭି ଲିମିଟେଡର ନିର୍ଦ୍ଦେଶକ) ଙ୍କ ଘର ଓ ଅଫିସରେ ଚଢ଼ାଉ କରିଥିଲା। ଚଢ଼ାଉ ସମୟରେ ବିଭିନ୍ନ ସମ୍ବେଦନଶୀଳ କାଗଜପତ୍ର ଏବଂ ଡିଜିଟାଲ ରେକର୍ଡ ଜବତ କରାଯାଇଛି। ପିଏମ୍ଏଲ୍ଏ ଆଇନ ଅଧୀନରେ ୨.୮୨ କୋଟି ଟଙ୍କା ନଗଦ ଏବଂ ୧.୮ କିଲୋର ୧୩୩ ସୁନା ମୁଦ୍ରା ଜବତ କରାଯାଇଛି |

ଅନ୍ୟପକ୍ଷରେ ଇଡିର ଏହି ଚଢ଼ାଉ ପରେ କେନ୍ଦ୍ର ଉପରେ ବର୍ଷିଛି ଆମ୍ ଆଦମୀ ପାର୍ଟି (ଆପ୍) । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ଏବେ ନିଜର ସମ୍ପୂର୍ଣ୍ଣ ବଳ ଖଟେଇ ଆମ୍ ଆଦମୀ ପାର୍ଟି ପଛରେ ପଡ଼ିଯାଇଛନ୍ତି । ବିଶେଷ କରି ଦିଲ୍ଲୀ ଏବଂ ପଞ୍ଜାବ ସରକାରଙ୍କ ପଛରେ । ମିଛ ପରେ ମିଛ ମାମଲା ରୁଜୁ କରାଯାଉଛି। ଆପଣଙ୍କ ପାଖରେ ସବୁ କେନ୍ଦ୍ରୀୟ ଏଜେନ୍ସି ଅଛନ୍ତି, କିନ୍ତୁ ଆମ ସହିତ ଭଗବାନ ଅଛନ୍ତି |”

ଅର୍ଥ ହେରଫେର ମାମଲାରେ ଆପ୍ ନେତା ତଥା ଦିଲ୍ଲୀର ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କୁ ମେ ୩୦ରେ ଗିରଫ କରାଯାଇଥିଲା। ମେ ୩୧ରେ ଟ୍ରାଏଲ କୋର୍ଟ ସତ୍ୟନ୍ଦ୍ର ଜୈନଙ୍କୁ ଜୁନ୍ ୯ ପର୍ଯ୍ୟନ୍ତ ଇଡି ହାଜତକୁ ପଠାଇଥିଲେ।

Comments are closed.