ନୀରବ ମୋଦୀଙ୍କ ୫୦୦ କୋଟିର ସମ୍ପତ୍ତି ଜବତ ହେବ, ଇଡିକୁ ମିଳିଲା ଅନୁମତି

ନୂଆଦିଲ୍ଲୀ: ଏକ ସ୍ୱତନ୍ତ୍ର କୋର୍ଟ ପଳାତକ ହୀରା ବ୍ୟବସାୟୀ ନୀରବ ମୋଦୀଙ୍କ ୩୯ ସମ୍ପତ୍ତି ଜବତ କରିବାକୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)କୁ ଅନୁମତି ଦେଇଛନ୍ତି। ନୀରବଙ୍କ ଏହି ୩୯ ସମ୍ପତ୍ତିର ମୂଲ୍ୟ ପ୍ରାୟ ୫୦୦ କୋଟି ହେବ । ନୀରବ ମୋଦୀ ଏବଂ ତାଙ୍କ କମ୍ପାନୀ ଦ୍ୱାରା ବନ୍ଧକ ଥିବା ନଅଟି ସମ୍ପତ୍ତି ଜବତ ପାଇଁ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ (ପିଏନବି) ଆବେଦନକୁ ମଧ୍ୟ କୋର୍ଟ ଗ୍ରହଣ କରିଛନ୍ତି। ଡିସେମ୍ବର ୨୦୧୯ରେ ପଳାତକ ଅର୍ଥନୈତିକ ଅପରାଧୀ ଆଇନ -୨୦୧୮ ଅଧୀନରେ ନିରବଙ୍କୁ ସ୍ୱତନ୍ତ୍ର ପିଏମ୍ଏଲ୍ଏ କୋର୍ଟ ପଳାତକ ଘୋଷିତ କରିଥିଲେ ।

ଏହାପୂର୍ବରୁ ଚଳିତ ବର୍ଷ ଜୁଲାଇରେ ଇଡି ହଂକଂରେ ନୀରବ ମୋଦୀ ଗ୍ରୁପ୍‌ର ପ୍ରାୟ ୨୫୩.୬୨ କୋଟି ଟଙ୍କା ମୂଲ୍ୟର ସ୍ଥାବର ସମ୍ପତ୍ତି ଜବତ କରିଥିଲା। ଇଡି ଏକ ବିବୃତ୍ତିରେ କହିଥିଲା ଯେ, ସଂପୃକ୍ତ ସମ୍ପତ୍ତିରେ ରତ୍ନ ଏବଂ ଅଳଙ୍କାର ବ୍ୟତୀତ ୩୦.୯୮ ମିଲିୟନ ଡ଼ଲାର ଏବଂ ହଂକଂକ 5.75 ମିଲିୟନ ଡ଼ଲାର ସାମିଲ |

ଉଲ୍ଲେଖଯୋଗ୍ୟ ଯେ ନୀରବ ମୋଦୀ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରୁ ୧୪ ହଜାର କୋଟି ଟଙ୍କା ଠକେଇ କରିଥିଲେ । ଏହା ପରେ ସେ ବିଦେଶ ପଳାୟନ କରିଥିଲେ। ସେ ବର୍ତ୍ତମାନ ଲଣ୍ଡନର ଏକ ଜେଲରେ ଅଛନ୍ତି। ତାଙ୍କୁ ଫେରାଇ ଆଣିବାକୁ ଭାରତ ସରକାର ପ୍ରୟାସ ଜାରି ରଖିଛନ୍ତି। ଯାଞ୍ଚ୍ ବେଳେ ଇଡି ପୂର୍ବରୁ ଭାରତ ଏବଂ ବିଦେଶରେ ୨୩୯୬.୪୫ କୋଟି ଟଙ୍କା ମୂଲ୍ୟର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ଜବତ କରିଥିଲା।

Comments are closed.