କେମିକାଲ ଫ୍ୟାକ୍ଟ୍ରିରେ ବିସ୍ଫୋରଣ: ୮ ମୃତ, ୬୦ରୁ ଊର୍ଦ୍ଧ୍ବ ଆହତ

ମୁମ୍ବାଇ: ମହାରାଷ୍ଟ୍ରର ଥାନେ ଜିଲ୍ଲାର ଏକ କେମିକାଲ ଫ୍ୟାକ୍ଟ୍ରିରେ ଗୁରୁବାର ଅପରାହ୍ନରେ ବିସ୍ଫୋରଣ ପରେ ଅଗ୍ନିକାଣ୍ଡ ଘଟି ଅତି କମରେ ୮ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୬୦ରୁ ଊର୍ଦ୍ଧ୍ବ ଆହତ ହୋଇଛନ୍ତି। ଅନେକ ଲୋକ ଏବେ ବି ଭିତରେ ଫସି ରହିଛନ୍ତି।‌ ଦମକଳ ବାହୀନି ସହ ଏନଡିଆରଏଫ୍ ଓ ଏସଡିଆରଏଫ୍ ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି।

ସୂଚନାନୁସାରେ, ଡୋମ୍ବିଭାଲିର ମହାରାଷ୍ଟ୍ର ଇଣ୍ଡଷ୍ଟ୍ରିଆଲ୍ ଡେଭଲପମେଣ୍ଟ କର୍ପୋରେସନ (ଏମ୍ଆଇଡିସି) ଶିଳ୍ପାଞ୍ଚଳ ସ୍ଥିତ ‘ଅମୁଦାନ କେମିକାଲ୍ କମ୍ପାନୀ’ ର ରିଆକ୍ଟରରେ ବିସ୍ଫୋରଣ ଯୋଗୁଁ ଅପରାହ୍ନ ପ୍ରାୟ ୧:୪୦ରେ ଭୀଷଣ ନିଆଁ ଲାଗି ଯାଇଥିଲା।

କଲ୍ୟାଣ ତହସିଲଦାର ସଚିନ ସେଜଲ କହିଛନ୍ତି, ଘଟଣାସ୍ଥଳରୁ ଏପର୍ଯ୍ୟନ୍ତ ଉଦ୍ଧାର ହୋଇଥିବା ୮ ମୃତଦେହ ଏତେ ମାତ୍ରାରେ ଜଳି ଯାଇଛି ଯେ ସେମାନଙ୍କୁ ଚିହ୍ନଟ କରିବା କଷ୍ଟକର ହୋଇଛି। ବିସ୍ଫୋରଣ ଏବଂ ଅଗ୍ନିକାଣ୍ଡରେ ଏହି ଅଞ୍ଚଳର ଅତି କମରେ ପାଞ୍ଚଟି କମ୍ପାନୀ କ୍ଷତିଗ୍ରସ୍ତ ହୋଇଛି ବୋଲି ସେ କହିଛନ୍ତିି।

ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ସହ ଶିଳ୍ପ ମନ୍ତ୍ରୀ ଉଦୟ ସାମନ୍ତ, ସ୍ଥାନୀୟ ସାଂସଦ ଶ୍ରୀକାନ୍ତ ସିନ୍ଦେ ଏବଂ ବିଧାୟକ ରାଜୁ ପାଟିଲ ମୁମ୍ବାଇ ଠାରୁ ପ୍ରାୟ ୪୦ କିଲୋମିଟର ଦୂରରେ ଅବସ୍ଥିତ ଏମ୍ଆଇଡିସି ଶିଳ୍ପାଞ୍ଚଳ ପରିଦର୍ଶନ କରିଛନ୍ତି। ଓଆହତ ବ୍ୟକ୍ତିଙ୍କ ଚିକିତ୍ସା ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ ବୋଲି ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଘୋଷଣା କରିଛନ୍ତି। ଏହି ଘଟଣାରେ ମୃତାହତଙ୍କୁ ଏକ ସପ୍ତାହ ମଧ୍ୟରେ କ୍ଷତିପୂରଣ ପ୍ରଦାନ କରାଯିବ। ଏହି ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

ଜଣେ ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ମୁତାବକ କାରଖାନାରେ ବିସ୍ଫୋରଣ ଏତେ ଶକ୍ତିଶାଳୀ ଥିଲା ଯେ ଏହାର ଶବ୍ଦ ଏକ କିଲୋମିଟର ଯାଏଁ ଶୁଭିଥିଲା । ବିସ୍ଫୋରଣ ଯୋଗୁଁ ନିକଟସ୍ଥ କୋଠା ଗୁଡ଼ିକର ଝରକା ଫାଟିଯାଇଥିବା ବେଳେ କିଛି ଘର ମଧ୍ୟ କ୍ଷତିଗ୍ରସ୍ତ ହୋଇଛି।

Comments are closed.