ପଶ୍ଚିମବଙ୍ଗର ତିନୋଟି ଆସନ ଏବଂ ଓଡ଼ିଶାର ପିପିଲିରେ ଉପନିର୍ବାଚନ ପାଇଁ ତାରିଖ ଘୋଷଣା

ନୂଆଦିଲ୍ଲୀ: ନିର୍ବାଚନ ଆୟୋଗ ଆଜି ପଶ୍ଚିମବଙ୍ଗ ଏବଂ ଓଡିଶାରେ ବିଧାନସଭା ଉପନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି।

୩୦ ସେପ୍ଟେମ୍ବରରେ ପଶ୍ଚିମବଙ୍ଗର ଭବାନୀପୁର ବିଧାନସଭା ନିର୍ବାଚନମଣ୍ଡଳୀରେ ପାଇଁ ଉପନିର୍ବାଚନ କରିବାକୁ ନିର୍ବାଚନ ଆୟୋଗ ନିଷ୍ପତ୍ତି ନେଇଛନ୍ତି। ସେହି ଦିନ ପଶ୍ଚିମବଙ୍ଗର ସାମସେରଗଞ୍ଜ, ଜଙ୍ଗିପୁର ଏବଂ ଓଡ଼ିଶାର ପିପିଲିରେ ଉପନିର୍ବାଚନ ଅନୁଷ୍ଠିତ ହେବ। ଭୋଟ୍ ଗଣନା ଅକ୍ଟୋବର ୩ରେ ହେବ |

ପଶ୍ଚିମବଙ୍ଗରେ ମମତା ବାନାର୍ଜୀଙ୍କୁ ମୁଖ୍ୟମନ୍ତ୍ରୀ ପଦରେ ରହିବାକୁ ହେଲେ ବିଧାନସଭା ଉପନିର୍ବାଚନରେ ​​ଜିତିବା ଜରୁରୀ। ମେ ’ମାସରେ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ ମମତା ନନ୍ଦିଗ୍ରାମ ଆସନରୁ ବିଜେପି ପ୍ରାର୍ଥୀ ଶୁଭେନ୍ଦୁ ଅଧିକାରୀଙ୍କ ଠାରୁ ପରାସ୍ତ ହୋଇଥିଲେ। ନିୟମ ଅନୁଯାୟୀ ଯଦି ଜଣେ ମୁଖ୍ୟମନ୍ତ୍ରୀ ବିଧାନସଭା କିମ୍ବା ବିଧାନ ପରିଷଦର ସଦସ୍ୟ ନୁହଁନ୍ତି, ତେବେ ୬ ମାସ ମଧ୍ୟରେ ତାଙ୍କୁ ଉଭୟ ଗୃହ ମଧ୍ୟରୁ ଗୋଟିକରେ ସଦସ୍ୟ ହେବା ବାଧ୍ୟତାମୂଳକ ।

ତୃଣମୂଳ କଂଗ୍ରେସ ନେତା ଶୋଭନ୍ ଦେବ ବିଧାୟକ ପଦରୁ ଇସ୍ତଫା ଦେଇ ଭବାନୀପୁର ଆସନ ମମତାଙ୍କ ପାଇଁ ଛାଡ଼ି ଦେଇଥିଲେ। ଏହି ଆସନରୁ ମମତା ଉପନିର୍ବାଚନ ଲଢ଼ିବେ। ଭବାନୀପୁର ମମତାଙ୍କ ପାରମ୍ପରିକ ଆସନ ରହିଆସିଛି । ତେବେ ଏଥର ବିଧାନସଭା ନିର୍ବାଚନରେ ସେ ଏଠାରୁ ଲଢ଼ିବା ପରିବର୍ତ୍ତେ ତାଙ୍କର ଏକଦା ଘନିଷ୍ଠ ସହଯୋଗୀ ଥିବା ବିଜେପି ନେତା ଶୁଭେନ୍ଦୁ ଅଧିକାରୀଙ୍କ ବିରୋଧରେ ନନ୍ଦିଗ୍ରାମରୁ ପ୍ରତିଦ୍ବନ୍ଦିତା କରିଥିଲେ ।

Comments are closed.