ରାଜ୍ୟରେ ପ୍ରଥମ : କେନ୍ଦୁଝରର ୨୮୦ ବିଦ୍ୟାର୍ଥୀଙ୍କୁ ଡିଏମ୍ଏଫ୍ ବୃତ୍ତି

କେନ୍ଦୁଝର: କେନ୍ଦୁଝର ଜିଲ୍ଲାରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସମୂହର ୨୮୦ ଜଣ ମେଧାବୀ ଛାତ୍ରଛାତ୍ରୀ ନିକଟରେ ଡିଏମ୍ଏଫ୍ (ଜିଲ୍ଲା ଖଣିଜ ପାଣ୍ଠି) ମେଧାବୃତ୍ତି ପାଇଛନ୍ତି। ଏହି ଐତିହାସିକ ପଦକ୍ଷେପ ଫଳରେ ରାଜ୍ୟରେ କେନ୍ଦୁଝର ପ୍ରଥମ ଏଭଳି ଜିଲ୍ଲା ହୋଇପାରିଛି ଯେଉଁଠି ରାଜ୍ୟ ସରକାରଙ୍କ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଦଶମ ଶ୍ରେଣୀର ମେଧାବୀ ବିଦ୍ୟାର୍ଥୀଙ୍କୁ ଏଭଳି ବୃତ୍ତି ପ୍ରଦାନ କରାଯାଇଛି। ଏହି ଛାତ୍ରଛାତ୍ରୀମାନେ ଚଳିତ ବର୍ଷ ସିବିଏସ୍‌ଇ ଆୟୋଜିତ ଦଶମ ଶ୍ରେଣୀ ପରୀକ୍ଷାରେ ୬୦ ପ୍ରତିଶତରୁ ଅଧିକ ମାର୍କ ରଖିଛନ୍ତି। ଏଭଳି ୨୮୦ ବିଦ୍ୟାର୍ଥୀଙ୍କୁ ଡିଏମ୍ଏଫ୍ ବୃତ୍ତି ଜିଲ୍ଲା ପ୍ରଶାସନ ପ୍ରଦାନ କରିଛି। ଏ ବାବଦ ବ୍ୟୟ ହୋଇଛି ୫୪.୮ ଲକ୍ଷ ଟଙ୍କା। ସ୍କୁଲ ଶିକ୍ଷା ସାରିବା ପରେ ଉଚ୍ଚଶିକ୍ଷା ଜାରି ରଖିବା ନିମନ୍ତେ ମେଧାବୀ ଛାତ୍ରଛାତ୍ରୀଙ୍କୁ ପ୍ରୋତ୍ସାହନ ଯୋଗାଇଦେବା ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପରାମର୍ଶକ୍ରମେ ରାଜ୍ୟର ଆଗାମୀ ପିଢ଼ି ଯେଭଳି ଶିକ୍ଷା କ୍ଷେତ୍ରରେ କେବେ ବି ଅର୍ଥାଭାବର ସମ୍ମୁଖୀନ ନହୁଏ, ବରଂ ତାର ଶିକ୍ଷାଦୀକ୍ଷା ପାଇଁ ସରକାର ଓ ପ୍ରଶାସନ ନିଜ ଉତ୍ତରଦାୟିତ୍ବ ଯେପରି ସମ୍ପୂର୍ଣ୍ଣ ରୂପେ ନିର୍ବାହ କରେ ସେ ନେଇ କେନ୍ଦୁଝର ଜିଲ୍ଲା ପ୍ରଶାସନ ସମସ୍ତ ତତ୍ପରତା ପ୍ରକାଶ କରି ଆସିଛି।

କେନ୍ଦୁଝର ଜିଲ୍ଲାରେ ରହିଛି ୯ଟି ଓଡ଼ିଶା ଆଦର୍ଶ ବିଦ୍ୟାଳୟ। ଚଳିତ ବର୍ଷ କରୋନା ମହାମାରୀଜନିତ ସମସ୍ତ ସମସ୍ୟା ଓ ଅସୁବିଧା ସତ୍ତ୍ୱେ ଏସବୁ ବିଦ୍ୟାଳୟମାନଙ୍କର ଦଶମ ଶ୍ରେଣୀ ରେଜଲ୍ଟ ଉଲ୍ଲେଖନୀୟ ରହିଛି। ୨୮୦ ବିଦ୍ୟାର୍ଥୀ ୬୦ ପ୍ରତିଶତରୁ ଊର୍ଦ୍ଧ୍ବ ନମ୍ବର ରଖିଥିବା ବେଳେ ୪୫ ଜଣ ଛାତ୍ରଛାତ୍ରୀ ୯୦ ପ୍ରତିଶତରୁ ଅଧିକ ମାର୍କ ରଖିଛନ୍ତି। ଖାଲି ସେତିକି ନୁହେଁ, ଶାଳପଡ଼ାସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଛାତ୍ର ଅମ୍ରିତ ରାଜ ବିଶ୍ବାଳ ୯୯.୪ ଶତକଡ଼ା ମାର୍କ ରଖି ସମଗ୍ର ରାଜ୍ୟରେ ଟପ୍ପର୍ ହୋଇପାରିଛନ୍ତି। ଏହି କାର୍ଯ୍ୟକ୍ରମ ଜାତୀୟ ଶିକ୍ଷାନୀତି ୨୦୧୯ ସୁପାରିଶ ଅନୁଯାୟୀ ପରିପୂରକ ଅଟେ ଏବଂ ପ୍ରତିବର୍ଷ ଜିଲ୍ଲାର ଓଡ଼ିଶା ଆଦର୍ଶ ବିଦ୍ୟାଳୟର ୨୫୦ରୁ ଊର୍ଦ୍ଧ୍ବ ଦଶମ ଶ୍ରେଣୀ ଛାତ୍ରଛାତ୍ରୀ ଏଥିରୁ ଉପକୃତ ହୋଇପାରିବେ ବୋଲି ସୂଚନା ଦେଇଛି ଜିଲ୍ଲା ପ୍ରଶାସନ। ତେବେ ମୂଳତଃ ରାଜ୍ୟ ସରକାରଙ୍କ ୫-ଟି ଉପକ୍ରମ ଅନ୍ତର୍ଗତ ହାଇସ୍କୁଲ ଶିକ୍ଷା ସାଙ୍ଗକୁ ଉଚ୍ଚଶିକ୍ଷାକୁ ପରିପୁଷ୍ଟ କରିବା ନିମନ୍ତେ ଏଭଳି ପଦକ୍ଷେପ ଗ୍ରହଣ କରିଛି କେନ୍ଦୁଝର ଜିଲ୍ଲା ପ୍ରଶାସନ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପରାମର୍ଶ ପ୍ରକାରେ ରାଜ୍ୟର ସରକାରୀ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ କେବଳ ଯେ ପ୍ରଶାସନ ଠାରୁ ପ୍ରୋତ୍ସାହନ ପାଇବେ ତାନୁହେଁ, ବିଭିନ୍ନ ବୃତ୍ତି ଜରିଆରେ ସେମାନଙ୍କ ଆଗାମୀ ଶିକ୍ଷା ନିମନ୍ତେ ପଥକୁ ସୁଗମ କରାଯିବ। ତାହାରି ଆଧାରରେ କେଉଁଝର ଜିଲ୍ଲା ପ୍ରଶାସନ ରାଜ୍ୟରେ ପ୍ରଥମ କରି ଏଭଳି ଡିଏମ୍ଏଫ୍ ଅନୁଦାନରେ ମେଧା ବୃତ୍ତି ପ୍ରଦାନ କରି ଏକ ନିଆରା ତଥା ଅନୁକରଣୀୟ ପଦକ୍ଷେପକୁ କାର୍ଯ୍ୟକାରୀ କରିଛନ୍ତି।

ଏଥିସହ ଏହି ସଫଳତା ପଛରେ ଅବଦାନ ରଖିଥିବା ଜିଲ୍ଲାର ସମସ୍ତ ୯ଟି ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଅଧ୍ୟକ୍ଷମାନଙ୍କୁ କେନ୍ଦୁଝର ଜିଲ୍ଲାପାଳ ଆଶୀଷ ଠାକରେ ପବିତ୍ର ଗୁରୁଦିବସ ଅବ୍ୟବହିତ ପୂର୍ବରୁ ସମ୍ବର୍ଦ୍ଧିତ କରିଛନ୍ତି। ସେମାନଙ୍କ ପ୍ରଚେଷ୍ଟାକୁ ପ୍ରଶଂସା କରିବା ସହ ସେମାନଙ୍କ ପ୍ରୟାସକୁ ସ୍ବୀକୃତି ଦେଇଛନ୍ତି। ଏଭଳି କରି କେନ୍ଦୁଝର ଜିଲ୍ଲା ପ୍ରଶାସନ ମେଧା ପ୍ରତିଭାର ବିକାଶରେ ନିଜ ପ୍ରତିବଦ୍ଧତାକୁ ପୁଣି ଦୋହରାଇଛି। ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଙ୍ଗଠନ ଅଧ୍ୟକ୍ଷ ଉପେନ୍ଦ୍ର ତ୍ରିପାଠୀ ଅନ୍‌ଲାଇନ୍‌ରେ ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଯୋଗ ଦେଇ ସମସ୍ତ ଅଧ୍ୟକ୍ଷମାନଙ୍କୁ ଉତ୍ସାହିତ କରିଥିଲେ। ନିଜ ଉଦ୍‌ବୋଧନରେ ସେ ପରଫର୍ମ, ରିଫର୍ମ, ଟ୍ରାନ୍ସଫର୍ମ (ପ୍ରଦର୍ଶନ, ସଂସ୍କାର, ରୂପାନ୍ତରଣ) ଉପରେ ଗୁରୁତ୍ବାରୋପ କରିଥିଲେ। ସେପଟେ ଜିଲ୍ଲାପାଳ ଆଶୀଷ ଠାକରେ କହିଥିଲେ ଯେ- ଜିଲ୍ଲା ପ୍ରଶାସନ ମେଧାବୀ ଛାତ୍ରଛାତ୍ରୀଙ୍କୁ ଚିହ୍ନଟ କରିବା ଦିଗରେ ସମସ୍ତ ପ୍ରୟାସ କରିବା ସହ ସେମାନେ ଯେଭଳି ଶିକ୍ଷା କ୍ଷେତ୍ରରେ ଉତ୍କର୍ଷତା ହାସଲ କରିପାରିବେ ସେଥିପାଇଁ ସବୁ ସହଯୋଗ ଯୋଗାଇଦେବ। ଏଠାରେ କହିବା ବାହୁଲ୍ୟ ଯେ- ଓଡ଼ିଶା ଆଦର୍ଶ ବିଦ୍ୟାଳୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏକ ଉଚ୍ଚାକାଂକ୍ଷୀ ଯୋଜନା ଯେଉଁଠି ସାଧାରଣ ଓଡ଼ିଆ ପରିବାରର ଛାତ୍ରଛାତ୍ରୀ ସିବିଏସ୍‌ଇ ଢାଞ୍ଚାରେ ଇଂରାଜୀ ମାଧ୍ୟମ ଶିକ୍ଷାଦାନ ସହଜ ଓ ସୁଲଭରେ ଗ୍ରହଣ କରିପାରିବ। ଏହାଦ୍ୱାରା ରାଜ୍ୟର ପ୍ରତି ବ୍ଲକ୍‌ରେ ତଥା ମୋଟରେ ଲକ୍ଷ ଲକ୍ଷ ଛାତ୍ରଛାତ୍ରୀ ଉପକୃତ ହୋଇପାରୁଛନ୍ତି। ମୋଟା ଅଙ୍କ ଦେଇ କୌଣସି ଇଂରାଜୀ ମାଧ୍ୟମ ବିଦ୍ୟାଳୟରେ ନପଢ଼ି ମଧ୍ୟ ସେମାନେ ସରକାରଙ୍କ ଦ୍ବାରା ପରିଚାଳିତ ଏହି ଶିକ୍ଷାନୁଷ୍ଠାନମାନଙ୍କରେ ଉନ୍ନତ ଇଂରାଜୀ ଶିକ୍ଷା ହାସଲ କରିପାରୁଛନ୍ତି।

Comments are closed.