ଭାରତରେ ଖୁବ୍ ଶୀଘ୍ର ହାଇସ୍ପିଡ଼୍ ଇଣ୍ଟରନେଟ ସେବା ଆରମ୍ଭ କରିବ ଏଲନ୍ ମସ୍କଙ୍କ କମ୍ପାନୀ ‘ଷ୍ଟାରଲିଙ୍କ୍’

ନୂଆଦିଲ୍ଲୀ: ବିଶ୍ୱର ସବୁଠାରୁ ଧନୀ ବ୍ୟବସାୟୀ ଏଲନ୍ ମସ୍କଙ୍କ ରକେଟ୍ କମ୍ପାନୀ ସ୍ପେସ୍ଏକ୍ସର ଏକ ସହଯୋଗୀ ‘ଷ୍ଟାରଲିଙ୍କ’ ଭାରତରେ ନିଜର ପଞ୍ଜିକରଣ କରିଛି। ଏହି କମ୍ପାନୀ ଉପଗ୍ରହ ମାଧ୍ୟମରେ ଇଣ୍ଟରନେଟ୍ ସୁବିଧା ଯୋଗାଇଥାଏ | ଏହାର ଉଦ୍ଦେଶ୍ୟ ହେଉଛି ଭାରତର ଗ୍ରାମାଞ୍ଚଳରେ ଇଣ୍ଟରନେଟ୍ ସେବା ଯୋଗାଇବା। ଏହି କ୍ଷେତ୍ରରେ ଏହା ଆମାଜନ ଇଙ୍କ୍ ବ୍ୟତୀତ ବ୍ରିଟେନ ସରକାରଙ୍କ ମିଳିତ ଉଦ୍ୟୋଗ କମ୍ପାନୀ ୱାନୱେବ ଓ ଭାରତ ଏୟାରଟେଲ ସହିତ ସିଧାସଳଖ ପ୍ରତିଦ୍ୱନ୍ଦ୍ୱିତା କରିବ | ସରକାରଙ୍କ ନିକଟରେ ଦାଖଲ ହୋଇଥିବା ଦଲିଲ ଅନୁଯାୟୀ, ଷ୍ଟାରଲିଙ୍କ୍ ସାଟେଲାଇଟ୍ କମ୍ୟୁନିକେସନ୍ ପ୍ରାଇଭେଟ ଲିମିଟେଡ୍ ନାମକ ଏହି କମ୍ପାନୀ ଭାରତରେ ବ୍ରଡବ୍ୟାଣ୍ଡ ଏବଂ ଅନ୍ୟାନ୍ୟ ଉପଗ୍ରହ ଭିତ୍ତିକ ସେବା ଯୋଗାଇବା ପାଇଁ ଲାଇସେନ୍ସ ପାଇଁ ଆବେଦନ କରିବ।

ଇଣ୍ଟରନେଟ୍ ପ୍ଲାଟଫର୍ମ ଲିଙ୍କଡଇନ୍ରେ ସେୟାର ହୋଇଥିବା ଏକ ପୋଷ୍ଟରେ ଷ୍ଟାରଲିଙ୍କ ଇଣ୍ଡିଆ କଣ୍ଟ୍ରି ନିର୍ଦ୍ଦେଶକ ସଞ୍ଜୟ ଭାର୍ଗବ କହିଛନ୍ତି ଯେ ବର୍ତ୍ତମାନ ସ୍ପେସ୍ଏକ୍ସର ୧୦୦ ପ୍ରତିଶତ ମାଲିକାନା ଥିବା ସହାୟକ କମ୍ପାନୀ ଭାରତରେ କାର୍ଯ୍ୟ କରୁଛି। ଏବେ ଆମେ ଲାଇସେନ୍ସ ପାଇଁ ଆବେଦନ କରିପାରିବୁ ଓ ଭାରତରେ ବ୍ୟାଙ୍କ ଆକାଉଣ୍ଟ ଖୋଲିପାରିବୁ | ଲିଙ୍କଡଇନରେ ଥିବା ତାଙ୍କର ପ୍ରୋଫାଇଲ୍ ଅନୁଯାୟୀ, ଭାର୍ଗବ କେବଳ ଚଳିତ ବର୍ଷ ଅକ୍ଟୋବରରେ କମ୍ପାନୀରେ ଯୋଗ ଦେଇଛନ୍ତି ।

Comments are closed.