ନ୍ୟୁଜିଲାଣ୍ଡ ପରେ ଇଂଲଣ୍ଡ ବି ପାକିସ୍ତାନ ଗସ୍ତରୁ ଓହରିଲା

ଲଣ୍ଡନ: ପାକିସ୍ତାନ କ୍ରିକେଟ୍ ବୋର୍ଡ଼ (ପିସିବି)କୁ ଡବଲ୍ ଝଟକା ଲାଗିଛି । ସୁରକ୍ଷା କାରଣରୁ ନ୍ୟୁଜିଲାଣ୍ଡ ଟିମ୍ ପାକିସ୍ତାନ ଗସ୍ତରୁ ଓହରିବାର ତିନି ଦିନ ପରେ ଇଂଲଣ୍ଡ ମଧ୍ୟ ପାକିସ୍ତାନ ଗସ୍ତ ବାତିଲ କରିବାକୁ ନିଷ୍ପତ୍ତି ନେଇଛି । ଇଂଲଣ୍ଡର ଉଭୟ ପୁରୁଷ ଓ ମହିଳା ଦଳର ପାକିସ୍ତାନ ଗସ୍ତ ବାତିଲ ହୋଇଛି। ସୋମବାର ଇଂଲଣ୍ଡ ଏବଂ ୱେଲ୍ସ କ୍ରିକେଟ୍ ବୋର୍ଡ(ଇସିବି) ଏହି ସୂଚନା ଦେଇଛି। ତିନି ଦିନ ପୂର୍ବେ ନ୍ୟୁଜିଲାଣ୍ଡ ଶେଷ ମୁହୂର୍ତ୍ତରେ ପାକିସ୍ତାନ ବିପକ୍ଷ ସୀମିତ ଓଭର ସିରିଜକୁ ବାତିଲ କରି ଦେଇଥିଲା। ସୁରକ୍ଷା କାରଣ ଦର୍ଶାଇ ଦଳ ପାକିସ୍ତାନରେ ଦ୍ୱିପାକ୍ଷିକ ସିରିଜ୍ ଖେଳିବାକୁ ମନା କରିଦେଇଥିଲେ।

ଇଂଲଣ୍ଡର ପୁରୁଷ ଦଳ ଅକ୍ଟୋବର ୧୩ ଓ ୧୪ରେ ରାଓ୍ବଲପିଣ୍ଡିରେ ଦୁଇଟି ଟି-୨୦ ମ୍ୟାଚ୍ ଖେଳିବାର ଥିଲା । ସେହିପରି ଇଂଲଣ୍ଡର ମହିଳା ଦଳ ମଧ୍ୟ ତିନୋଟି ଦିନିକିଆ ଖେଳିବା ପାଇଁ ଅକ୍ଟୋବରରେ ପାକିସ୍ତାନ ଗସ୍ତ କରିବାର କାର୍ଯ୍ୟକ୍ରମ ଥିଲା ।

ଇସିବି ଦ୍ଵାରା ଜାରି ଏକ ବିବୃତ୍ତିରେ କୁହାଯାଇଛି, ‘ଚଳିତ ବର୍ଷ ପ୍ରାରମ୍ଭରେ ଆମେ ଟି-୨୦ ବିଶ୍ୱକପ ପ୍ରସ୍ତୁତି ପାଇଁ ପାକିସ୍ତାନରେ ମ୍ୟାଚ୍ ଖେଳିବାକୁ ରାଜି ହୋଇଥିଲୁ। ଏହା ବ୍ୟତୀତ ମହିଳା ଦଳକୁ ପୁରୁଷ ଦଳ ସହିତ ପାକିସ୍ତାନ ଗସ୍ତ କରିବାର ଥିଲା । ତେବେ ମହିଳା ଏବଂ ପୁରୁଷ ଦଳର ପାକିସ୍ତାନ ଗସ୍ତରୁ ଓହରିଯିବାକୁ ନିଷ୍ପତ୍ତି ହୋଇଛି ।

ସୁରକ୍ଷା କାରଣରୁ ନ୍ୟୁଜିଲାଣ୍ଡ ଟିମ୍ ପାକିସ୍ତାନ ଗସ୍ତ ବାତିଲ କରିବା ପରେ ଇଂଲଣ୍ଡ ଗସ୍ତକୁ ନେଇ ପ୍ରଶ୍ନ ଉଠିଥିଲା।

Comments are closed.