ଫେସବୁକ୍ ନାମ ବଦଳି ହେଲା ‘ମେଟା’

ସାନ୍ ଫ୍ରାନ୍ସିସ୍କୋ: ଫେସବୁକର ସିଇଓ ମାର୍କ ଜୁକରବର୍ଗ ଏକ ବଡ଼ ଘୋଷଣା କରିଛନ୍ତି। କମ୍ପାନୀର ନାମ ପରିବର୍ତ୍ତନ କରାଯାଇ ‘ମେଟା’ ରଖାଯାଇଥିବା ସେ କହିଛନ୍ତି | କମ୍ପାନୀର କନେକ୍ଟ ଇଭେଣ୍ଟରେ ଏହା ଘୋଷଣା କରାଯାଇଛି। ନାମ ପରିବର୍ତ୍ତନ ନେଇ କମ୍ପାନୀ ପକ୍ଷରୁ ଟ୍ୱିଟ୍ ମଧ୍ୟ କରାଯାଇଛି । ନୂଆ ନାମ ସହ କମ୍ପାନୀର ନୂଆ ଲୋଗୋ ମଧ୍ୟ ଜାରି କରାଯାଇଛି । ତେବେ ଫେସବୁକ୍ ଆପ୍ ର ନାମ ବଦଳିବ ନାହିଁ ବୋଲି କମ୍ପାନୀ ସ୍ପଷ୍ଟ କରିଛି ।

ଗତ ମାସରେ, ଫେସବୁକ ନିଜର ‘ମେଟାଭର୍ସ’ ଯୋଜନା ବିଷୟରେ ସୂଚନା ଦେଇଥିଲା | ସୂଚନାଥାଉକି ଡିଜିଟାଲ୍ ଦୁନିଆରେ ଭର୍ଚୁଆଲ୍, ଇଣ୍ଟରାକ୍ଟିଭ୍ ସ୍ପେସ୍ ଜାଣିବା ଏବଂ ବୁଝିବା ପାଇଁ ମେଟାଭର୍ସ ଶବ୍ଦ ବ୍ୟବହୃତ ହୁଏ | ମେଟାଭର୍ସ ହେଉଛି ଏକ ଭର୍ଚୁଆଲ୍ ଦୁନିଆ ଯେଉଁଠାରେ ଜଣେ ବ୍ୟକ୍ତି ଶାରୀରିକ ଭାବରେ ଉପସ୍ଥିତ ନଥିଲେ ବି ବିଦ୍ୟମାନ ରହିପାରିବେ |

ଏହା ପୂର୍ବରୁ ଫେସବୁକ୍ ଦ୍ୱାରା ଘୋଷଣା କରାଯାଇଥିଲା ଯେ ଏହି ସୋସିଆଲ୍ ନେଟୱାର୍କକୁ ମେଟାଭର୍ସ କରିବା ପାଇଁ ହଜାର ହଜାର କର୍ମଚାରୀ ଆବଶ୍ୟକ ହେବେ | ଏଥିପାଇଁ ୧୦,୦୦୦ ଲୋକଙ୍କୁ ନିଯୁକ୍ତି ଦିଆଯିବ ବୋଲି ଫେସବୁକ ପକ୍ଷରୁ ଘୋଷଣା କରାଯାଇଥିଲା। ମେଟାଭର୍ସ ଯୋଜନା ସହ ଫେସବୁକ୍ ଭର୍ଚୁଆଲ୍ ଅନୁଭୂତିର ଏକ ନୂଆ ଅଧ୍ୟାୟ ଆରମ୍ଭ କରିବା ଲକ୍ଷ୍ୟରେ ରହିଛି ।

ଫେସବୁକ୍ ଦ୍ବାରା ଏହି ନାମ ପରିବର୍ତ୍ତନ ଏପରି ଏକ ସମୟରେ ହୋଇଛି ଯେଉଁ ସମୟରେ ଅନଲାଇନ୍ ନିରାପତ୍ତା ଓ ଉତ୍ତେଜନାପୂର୍ଣ୍ଣ କଣ୍ଟେଣ୍ଟର ପ୍ରସାରଣ ନେଇ ଅନେକ ଦେଶ ଏହି ସୋସିଆଲ ମିଡ଼ିଆ କମ୍ପାନୀ ଉପରେ ପ୍ରଶ୍ନ ଉଠାଇଛନ୍ତି । ସୋସିଆଲ ମିଡିଆ କମ୍ପାନୀ ଦ୍ୱାରା ବ୍ୟବହୃତ ଆଲଗୋରିଦମ ଏବଂ ପ୍ରକ୍ରିୟାର ବିବରଣୀ ଦେବା ପାଇଁ ଭାରତ ସରକାର ମଧ୍ୟ ଫେସବୁକକୁ ଚିଠି ଲେଖିଛନ୍ତି ।

Comments are closed.