ଗର୍ଭପାତ ବଟିକା ସମ୍ବନ୍ଧୀୟ ପୋଷ୍ଟ ହଟାଇଲେ ଫେସବୁକ୍, ଇନଷ୍ଟାଗ୍ରାମ

ୱାଶିଂଟନ୍: ଫେସବୁକ୍ ଏବଂ ଇନଷ୍ଟାଗ୍ରାମ ମହିଳାଙ୍କ ଗର୍ଭପାତ ବଟିକା ସମ୍ବନ୍ଧୀୟ ପୋଷ୍ଟଗୁଡ଼ିକୁ ହଟାଇବା ଆରମ୍ଭ କରିଛନ୍ତି ।

ଆମେରିକାର ସୁପ୍ରିମକୋର୍ଟଙ୍କ ଏକ ରାୟ ଦ୍ୱାରା ମହିଳାଙ୍କୁ ଏବେ ଗର୍ଭପାତ ବଟିକା ମିଳିବା ବନ୍ଦ ହୋଇପାରେ। କୋର୍ଟର ଏହି ରାୟ ଗର୍ଭପାତ ପ୍ରସଙ୍ଗରେ ମହିଳାମାନଙ୍କୁ ଦିଆଯାଇଥିବା ସାମ୍ବିଧାନିକ ଅଧିକାର ଛଡ଼ାଇ ନେଇଛି।

ସୁପ୍ରିମକୋର୍ଟ ରାୟ ଆସିବା ପରେ ଶୁକ୍ରବାର ଠାରୁ ଗର୍ଭପାତ ଉପରେ ତତ୍କାଳ ନିଷେଧାଦେଶ ଲାଗୁ ହୋଇଥିବା ରାଜ୍ୟରେ ରହୁଥିବା ମହିଳାମାନଙ୍କୁ ସାହାଯ୍ୟ କରିବା ପାଇଁ ଏଭଳି ସୋସିଆଲ ମିଡିଆ ପୋଷ୍ଟର ଉଦ୍ଦେଶ୍ୟ ଥିଲା । ଗର୍ଭପାତକୁ ଏକ ସାମ୍ବିଧାନିକ ଅଧିକାର ଭାବରେ ଘୋଷଣା କରି ୧୯୭୩ରେ ଦେଇଥିବା ନିଜର ଏକ ରାୟକୁ ସୁପ୍ରିମକୋର୍ଟ ରଦ୍ଦ କରିଦେଇଥିଲେ। ଯାହାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି ।

ମହିଳାମାନେ କିପରି ମେଲ୍ ମାଧ୍ୟମରେ ଗର୍ଭପାତ ବଟିକା ପାଇପାରିବେ ସେନେଇ ସୋସିଆଲ ମିଡିଆରେ ବିଭିନ୍ନ ମୀମ୍ ଏବଂ ଷ୍ଟାଟସ୍ ଅପଡେଟ୍ ଦ୍ବାରା ସୂଚନା ଦିଆଯାଉଛି । ଏଥିମଧ୍ୟରୁ କେତେକ ସଂସ୍ଥା ଗର୍ଭପାତ ନିଷେଧ ଥିବା ରାଜ୍ୟରେ ରହୁଥିବା ମହିଳାମାନଙ୍କୁ ପ୍ରେସକ୍ରିପସନ୍ ମେଲ୍ କରିବାକୁ ମଧ୍ୟ ପ୍ରସ୍ତାବ ଦେଇଥିଲେ |

ତେବେ କୋର୍ଟ ରାୟ ଆସିବା ଫେସବୁକ୍ ଏବଂ ଇନଷ୍ଟାଗ୍ରାମ ଏହି ପୋଷ୍ଟଗୁଡିକୁ ତୁରନ୍ତ ହଟାଇବା ଆରମ୍ଭ କରିଛନ୍ତି | ମିଡିଆ ଇଣ୍ଟେଲିଜେନ୍ସ ଫାର୍ମ ଜିଗନାଲ୍ ଲ୍ୟାବ୍ ର ଏକ ବିଶ୍ଳେଷଣ ଅନୁଯାୟୀ, ଶୁକ୍ରବାର ସକାଳେ ଟ୍ୱିଟର, ଫେସବୁକ୍, ରେଡ୍ଡିଟ୍ ଏବଂ ଟିଭି ପ୍ରସାରଣରେ ହଠାତ୍ ଗର୍ଭପାତ ବଟିକା ଏବଂ ମିଫେପ୍ରିଷ୍ଟୋନ୍ ଏବଂ ମିସୋପ୍ରୋଷ୍ଟୋଲ୍ (ଗର୍ଭପାତ ବଟିକାର ଡାକ୍ତରୀ ନାମ) ଭଳି ନିର୍ଦ୍ଦିଷ୍ଟ ସଂସ୍କରଣ ବିଷୟରେ ଉଲ୍ଲେଖ ଥିବା ପୋଷ୍ଟଗୁଡିକ ସଂଖ୍ୟା ବୃଦ୍ଧି ପାଇଥିଲା ‌। ଜିଗନାଲ ସୂଚନା ଅନୁଯାୟୀ ରବିବାର ପର୍ଯ୍ୟନ୍ତ ଏଭଳି ପୋଷ୍ଟ ସଂଖ୍ୟା ୨୫୦,୦୦୦ ରୁ ଅଧିକ ଥିଲା ।

Comments are closed.