କେରଳରେ ବନ୍ୟା ସ୍ଥିତି ଗମ୍ଭୀର, ୧୦ଟି ଡ୍ୟାମ୍ ପାଇଁ ରେଡ୍ ଆଲର୍ଟ, ସବରିମାଲା ଯାତ୍ରା ସ୍ଥଗିତ

କେରଳ: କେରଳରେ ପ୍ରବଳ ବର୍ଷା ଓ ଗମ୍ଭୀର ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ୧୦ଟି ଡ୍ୟାମ୍ ପାଇଁ ରେଡ ଆଲର୍ଟ ଜାରି କରାଯାଇଥିବାବେଳେ କକ୍କି ଡ୍ୟାମର ଦୁଇଟି ଫାଟକ ଖୋଲାଯାଇଛି। ସବରିମାଲାସ୍ଥିତ ପ୍ରଭୁ ଆୟାପ୍ପା ମନ୍ଦିର ଯାତ୍ରା ମଧ୍ୟ ବର୍ତ୍ତମାନ ପାଇଁ ସ୍ଥଗିତ ରଖାଯାଇଛି। ଅନ୍ୟପକ୍ଷରେ ରାଜ୍ୟରେ ବର୍ଷା ଓ ବନ୍ୟା ଯୋଗୁଁ ମୃତ୍ୟୁ ସଂଖ୍ୟା ୩୫କୁ ବୃଦ୍ଧି ପାଇଛି। ରାଜ୍ୟରେ ବନ୍ୟା ସ୍ଥିତି ନେଇ ବିରୋଧୀ କଂଗ୍ରେସ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନଙ୍କୁ ଟାର୍ଗେଟ କରିଛି । ବନ୍ୟା ପରିସ୍ଥିତିର ମୁକାବିଲା ପାଇଁ ରାଜ୍ୟ ସରକାର ଆବଶ୍ୟକ ପଦକ୍ଷେପ ନେବାରେ ଅବହେଳା କରୁଛନ୍ତି ବୋଲି କଂଗ୍ରେସ ଅଭିଯୋଗ କରିଛି ।

ତେବେ ସରକାର ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି। କଲେକ୍ଟରେଟରେ ସମୀକ୍ଷା ବୈଠକ ପରେ ଅର୍ଥମନ୍ତ୍ରୀ କେ.ରାଜନ ଏବଂ ସ୍ୱାସ୍ଥ୍ୟମନ୍ତ୍ରୀ ବୀଣା ଜର୍ଜ ସୋମବାର ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ କକ୍କି ଡ୍ୟାମର ଦୁଇଟି ଫାଟକ ଖୋଲାଯାଇଛି। ଏଥିରୁ ପ୍ରାୟ ୧୦୦-୨୦୦ କ୍ୟୁସେକ୍ ଜଳ ଛଡ଼ାଯିବ ଏବଂ ପମ୍ପା ନଦୀର ଜଳ ସ୍ତର ୧୫ ସେମି ବୃଦ୍ଧି ପାଇପାରେ | ଡ୍ୟାମରେ ଥିବା ଜଳସ୍ତର ବିପଦ ସଙ୍କେତ ଅତିକ୍ରମ କରିଛି ଏବଂ ଅକ୍ଟୋବର ୨୦ରୁ ପ୍ରବଳ ବର୍ଷା ଯୋଗୁଁ ସ୍ଥିତି ଆହୁରି ବିଗିଡ଼ିବାର ସମ୍ଭାବନା ରହିଛି।

ଅକ୍ଟୋବର ୨୦ ରୁ ୨୪ ମଧ୍ୟରେ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଥିବା ବେଳେ ପ୍ରଭୁ ଆୟାପ୍ପା ମନ୍ଦିରରେ ତୀର୍ଥଯାତ୍ରୀଙ୍କୁ ଥୁଲା ମାସାମ ପୂଜା କରିବାକୁ ଅନୁମତି ଦିଆଯାଇ ନ ପାରେ ବୋଲି ରାଜ୍ୟ ସରକାର କହିଛନ୍ତି। ୧୬ ଅକ୍ଟୋବରରେ ପୂଜା ପାଇଁ ମନ୍ଦିର ଖୋଲା ଯାଇଥିଲା | ରିପୋର୍ଟ ଅନୁଯାୟୀ, ଥିରୁବନନ୍ତପୁରମରେ ଥିବା ଏକ ଘର ସମ୍ମୁଖରେ ଥିବା କଂକ୍ରିଟ କାନ୍ଥ ଭୁଶୁଡ଼ିବା ଯୋଗୁଁ ୨୨ ଦିନର ନବଜାତ ଶିଶୁଙ୍କ ସମେତ ୬ ଜଣ ଫସି ରହିଥିଲେ, ଯାହାକୁ ଅଗ୍ନିଶମ ବିଭାଗର କର୍ମଚାରୀମାନେ ସୁରକ୍ଷିତ ଭାବରେ ଉଦ୍ଧାର କରିଥିଲେ।

Comments are closed.