ଜର୍ମାନୀରେ ପିଜା ଡେଲିଭରୀ ବୟ ଭାବେ କାମ କରୁଛନ୍ତି ଆଫଗାନିସ୍ତାନର ପୂର୍ବତନ ମନ୍ତ୍ରୀ

ନୂଆଦିଲ୍ଲୀ: ଏକଦା ନିଜ ଦେଶରେ କ୍ଷମତା ଉପଭୋଗ କରୁଥିବା ଆଫଗାନିସ୍ତାନର ପୂର୍ବତନ ଦୂରସଂଚାର ମନ୍ତ୍ରୀ ସୟଦ୍ ଅହମ୍ମଦ ସାଦତ୍ ଏବେ ଜର୍ମାନୀରେ ପିଜା ଡେଲିଭରୀ ବୟ ଭାବେ କାମ କରୁଛନ୍ତି । ଦିନେ ସୁରକ୍ଷା ବଳୟରେ ରହୁଥିବା ସାଦତଙ୍କୁ ଏବେ ସାଇକେଲରେ ଘରକୁ ଘର ଯାଇ ପିଜା ଦେଉଥିବା ଦେଖିବାକୁ ମିଳିଛି । ତାଙ୍କର ଏହି ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି।

ସାଦତ୍ ଜର୍ମାନୀର ଲିପଜିଗରେ ରୁହନ୍ତି । ସେ ଆଫଗାନିସ୍ତାନ ଛାଡିବା ପରେ ଗତ ବର୍ଷ ଡିସେମ୍ବରରେ ଜର୍ମାନୀ ଚାଲିଯାଇଥିଲେ।

ସାଦତ ୨୦୧୮ରେ ଅଶ୍ରଫ ଘନିଙ୍କ କ୍ୟାବିନେଟର ଜଣେ ମନ୍ତ୍ରୀ ଥିଲେ, କିନ୍ତୁ ତାଙ୍କ ସହ ମତଭେଦ ଯୋଗୁଁ ୨୦୨୦ରେ ସେ ନିଜ ପଦରୁ ଇସ୍ତଫା ଦେଇଥିଲେ। ପରେ ସେ ଆଫଗାନିସ୍ତାନ ଛାଡି ଜର୍ମାନୀ ପଳାଇଥିଲେ।

ଜର୍ମାନ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ସାଦତ୍ ବର୍ତ୍ତମାନ ଜର୍ମାନୀର ‘ଲିଭ୍ରାଣ୍ଡୋ’ କମ୍ପାନୀ ପାଇଁ କାମ କରୁଛନ୍ତି ଏବଂ ସେ ଜର୍ମାନୀର ଲିପଜିଗରେ ସାଇକେଲ ଯୋଗେ ଲୋକଙ୍କୁ ପିଜା ଡେଲିଭରୀ କରୁଛନ୍ତି।

ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟରୁ ଟେଲି ଯୋଗାଯୋଗ ଏବଂ ଇଲେକ୍ଟ୍ରୋନିକ୍ ଇଞ୍ଜିନିୟରିଂରେ ସାଦତ୍ ଦୁଇଟି ମାଷ୍ଟର ଡିଗ୍ରୀ ହାସଲ କରିଛନ୍ତି | ସେ ୨୩ ବର୍ଷ ଧରି ସାଉଦି ଆରବର ” ଆରାମକୋ” ଏବଂ ସାଉଦି ଟେଲିକମ୍ କମ୍ପାନୀ ସମେତ ୧୩ଟି ଦେଶରେ ୨୦ ରୁ ଅଧିକ ଟେଲିକମ୍ କମ୍ପାନୀ ପାଇଁ କାର୍ଯ୍ୟ କରିଥିଲେ।

ନିଜ ଦେଶରେ ସମ୍ପ୍ରତି ପରିସ୍ଥିତି ନେଇ ସାଦତ୍ ଆଶ୍ଚର୍ଯ୍ୟ ପ୍ରକାଶ କରିଛନ୍ତି । ଆଫଗାନିସ୍ତାନ ସରକାରର ଏତେ ଶୀଘ୍ର ପତନ ଘଟିବ ବୋଲି ସେ ଆଶା କରିନଥିଲେ ବୋଲି ସାଦତ୍ କହିଛନ୍ତି ।

Comments are closed.