ଅସ୍ଥାନାଙ୍କ ନିଯୁକ୍ତି ଉପରେ ଦୁଇ ସପ୍ତାହ ଭିତରେ ନିଷ୍ପତ୍ତି ନେବାକୁ ଦିଲ୍ଲୀ ହାଇକୋର୍ଟକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ: ଭାରତୀୟ ପୋଲିସ ସେବା (ଆଇପିଏସ୍) ଅଧିକାରୀ ରାକେଶ ଅସ୍ଥାନାଙ୍କୁ ଦିଲ୍ଲୀ ପୋଲିସ କମିଶନର ଭାବେ ନିଯୁକ୍ତି ବିରୋଧରେ ଆଗତ ପିଟିସନ ଉପରେ ଦୁଇ ସପ୍ତାହ ମଧ୍ୟରେ ନିଷ୍ପତ୍ତି ଶୁଣାଇବାକୁ ବୁଧବାର ସୁପ୍ରିମକୋର୍ଟ ଦିଲ୍ଲୀ ହାଇକୋର୍ଟଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ଭାରତୀୟ ପୋଲିସ ସେବାର ୧୯୮୪ ବ୍ୟାଚ୍ ଅଧିକାରୀ ଆସ୍ଥାନାଙ୍କୁ ଗୁଜୁରାଟ କ୍ୟାଡରରୁ କେନ୍ଦ୍ର କ୍ୟାଡରକୁ ଅଣାଯାଇଥିଲା। ସୀମା ସୁରକ୍ଷା ବଳର ମହାନିର୍ଦ୍ଦେଶକ ଥିବା ଆସ୍ଥାନା ଜୁଲାଇ ୩୧ରେ ଅବସର ଗ୍ରହଣ କରିବାର ଚାରି ଦିନ ପୂର୍ବରୁ ୨୭ ଜୁଲାଇରେ ଦିଲ୍ଲୀ ପୋଲିସ କମିଶନର ଭାବରେ ନିଯୁକ୍ତ ହୋଇଥିଲେ। ଜାତୀୟ ରାଜଧାନୀର ପୋଲିସ ମୁଖ୍ୟ ଭାବେ ତାଙ୍କର କାର୍ଯ୍ୟକାଳ ଏକ ବର୍ଷ ହେବ।

ପ୍ରଧାନ ବିଚାରପତି ଏନ.ଭି ରମନ୍ନା, ଜଷ୍ଟିସ ଡିଓ୍ବାଇ ଚନ୍ଦ୍ରଚୂଡ ଏବଂ ଜଷ୍ଟିସ ସୂର୍ଯ୍ୟକାନ୍ତଙ୍କ ଏକ ଖଣ୍ଡପୀଠ ଆବେଦନକାରୀ ‘ଏନଜିଓ ଫର୍ ପବ୍ଲିକ୍ ଇଣ୍ଟରେଷ୍ଟ ଲିଟିଗେସନ୍ (ସିପିଏଲ୍)କୁ ଏହି ମାମଲାରେ ହାଇକୋର୍ଟ ଯିବାକୁ ଅନୁମତି ଦେଇଛନ୍ତି।
କେନ୍ଦ୍ର ତରଫରୁ ହାଜର ହୋଇଥିବା ସଲିସିଟର ଜେନେରାଲ ତୁଷାର ମେହେଟ୍ଟା କହିଥିଲେ ଯେ ବିଚାରାଧୀନ ଆବେଦନ ଉପରେ ସରକାର ଜବାବ ଦେବାକୁ ଅଛି । ତେଣୁ ହାଇକୋର୍ଟଙ୍କୁ ଅଧିକ ସମୟ ଦିଆଯାଉ।

ବରିଷ୍ଠ ଆଇନଜୀବୀ ପ୍ରଶାନ୍ତ ଭୂଷଣଙ୍କ ଦ୍ଵାରା ଦାଖଲ ହୋଇଥିବା ଏହି ପିଟିସନରେ ସେବା ଅବଧି ବଢାଇ ଆସ୍ଥାନାଙ୍କୁ ନିଯୁକ୍ତ କରାଯାଇଥିବାରୁ କେନ୍ଦ୍ରର ନିଷ୍ପତ୍ତିକୁ ରଦ୍ଦ କରିବା ପାଇଁ ନିବେଦନ କରାଯାଇଛି।

Comments are closed.