ତୃଣମୂଳ କଂଗ୍ରେସରେ ଯୋଗଦେଲେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ବାବୁଲ ସୁପ୍ରିୟୋ

କୋଲକାତା: ପୂର୍ବତନ କେନ୍ଦ୍ର ମନ୍ତ୍ରୀ ବାବୁଲ ସୁପ୍ରିୟୋ ତୃଣମୂଳ କଂଗ୍ରେସ (ଟିଏମସି)ରେ ଯୋଗ ଦେଇଛନ୍ତି। ଟିଏମସିର ଜାତୀୟ ସାଧାରଣ ସମ୍ପାଦକ ତଥା ଲୋକସଭା ସାଂସଦ ଅଭିଷେକ ବାନାର୍ଜୀ ଏବଂ ରାଜ୍ୟସଭା ସାଂସଦ ଡେରେକ ଓ’ବ୍ରାଏନଙ୍କ ଉପସ୍ଥିତିରେ ସୁପ୍ରିୟୋ ମମତାଙ୍କ ଦଳରେ ସାମିଲ ହୋଇଛନ୍ତି ।
କିଛି ମାସ ପୂର୍ବେ ସୁପ୍ରିୟୋ କେନ୍ଦ୍ର କ୍ୟାବିନେଟ ପୁନର୍ଗଠନ ପୂର୍ବରୁ ଇସ୍ତଫା ଦେଇଥିଲେ। ପରେ ସେ ରାଜନୀତିରୁ ସନ୍ନ୍ୟାସ ଘୋଷଣା କରିଥିଲେ। ସେ ମଧ୍ୟ ସାଂସଦ ପଦରୁ ଇସ୍ତଫା ଦେବେ ବୋଲି କହିଥିଲେ, କିନ୍ତୁ ପରେ ସେ ତାଙ୍କ ନିଷ୍ପତ୍ତିକୁ ଓହରି କହିଥିଲେ ଯେ ସେ ସାଂସଦ ରହିବେ ଏବଂ ଜନସାଧାରଣଙ୍କ ସେବା ଜାରି ରଖିବେ। ସେ ୨୦୧୯ ଲୋକସଭା ନିର୍ବାଚନରେ ବିଜେପି ଟିକେଟରେ ପଶ୍ଚିମବଙ୍ଗର ଆସାନସୋଲ ଆସନରୁ ଜିତିଥିଲେ।

ମଜାର ବିଷୟ ଯେ, ଟିଏମସି ସୁପ୍ରିମୋ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଜଣେ ସମାଲୋଚକ ଭାବେ ଜଣାଶୁଣା ସୁପ୍ରିୟୋ ଆଜି ତାଙ୍କ ସହ ହାତ ମିଳାଇଛନ୍ତି । ଅବଶ୍ୟ ରାଜନୀତିରେ କୌଣସି ସ୍ଥାୟୀ ‘ବନ୍ଧୁ’ କିମ୍ବା ‘ଶତ୍ରୁ’ ନଥାନ୍ତି। ତେବେ ବାବୁଲ ସୁପ୍ରିୟୋ ଟିଏମସିରେ ଯୋଗଦେବା ପଶ୍ଚିମବଙ୍ଗ ବିଜେପିକୁ ଆଉ ଏକ ଶକ୍ତ ଝଟକା ବୋଲି କୁହାଯାଉଛି । ସୁପ୍ରିୟୋଙ୍କ ପୂର୍ବରୁ ଅନେକ ନେତା ବିଜେପି ଛାଡ଼ି ଟିଏମସିରେ ଯୋଗ ଦେଇଥିଲେ।

Comments are closed.